ବୌଦ୍ଧ ଜିଲାର ବିକାଶ ନିମନ୍ତେ ଯୋଜନାବଦ୍ଧ ଉନ୍ନୟନ କାର୍ଯ୍ୟ କରାଯିବା ସହିତ ଜନସାଧାରଣଙ୍କ ମତ ନିଆଯାଉ
ବୁଦ୍ଧିଜିବୀ ଫୋରମ ଗଠନ, ଜିଲାର ଉନ୍ନୟନ ନେଇ ବିଭିନ୍ନ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି
ବୌଦ୍ଧ : ବୌଦ୍ଧ ଜିଲାର ଉନ୍ନୟନ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉଥିବା ବେଳେ ସମସ୍ତ ପ୍ରକଳ୍ପ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧ ଭାବେ କରାଯିବାକୁ ନବଗଠିତ ବୁଦ୍ଧିଜିବୀ ଫୋରମ ପକ୍ଷରୁ ପ୍ରଶାସନକୁ ନିବେଦନ କରାଯାଇଛି। ଏହା ସହିତ ଉନ୍ନୟନ କାର୍ଯ୍ୟରେ ଜନସାଧାରଣଙ୍କୁ ସାମିଲ କରାଯାଇ ମତାମତ ନିଆଯିବାକୁ ପରାମର୍ଶ ଦିଆଯାଇଛି। ସହରର ବୁଦ୍ଧିଜିବୀ ମାନଙ୍କୁ ନେଇ ଜିଲ୍ଲାର ବିକାଶ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ସହର ତଥା ଜିଲାର ଉନ୍ନୟନ ନେଇ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ବିକ୍ଷିପ୍ତଭାବେ କରାନଯାଇ ମାଷ୍ଟରପ୍ଲାନ ପ୍ରକାରେ କରାଯିବାକୁ ନିବେଦନ କରାଯାଇଛି। ବୌଦ୍ଧ ଜିଲା ଗଠନ ହେବାର ୨୮ବର୍ଷ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ମୁଖ୍ୟ ସହରର ମାଷ୍ଟର ପ୍ଲାନ୍ ଚୂଡାନ୍ତ ହୋଇପାରିନାହିଁ ଯାହା ଫଳରେ ବୌଦ୍ଧ ସହରର ଉନ୍ନୟନରେ ବାଧା ସୃଷ୍ଟି ହେଉଅଛି। ଅଧାରେ ରହିଯାଇଥିବା ସହରର ମାଷ୍ଟର ପ୍ଲାନ୍ ଯଥାଶିଘ୍ର ଚୁଡାନ୍ତ କରିବାକୁ ଦାବୀ କରାଯାଇଛି। ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ରେ ଦିନକୁଦିନ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। କିଛି ବର୍ଷ ମଧ୍ୟରେ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବେ ମାନ୍ୟତା ପାଇବାର ସୁଯୋଗ ମଧ୍ୟ ରହିଛି। ଏଣୁ ଏକ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବେ ମାନ୍ୟତା ପାଇବା ନେଇ ଆବଶ୍ୟକ ରହିଥିବା ଭିତିଭୂମୀ ନିର୍ମାଣ କରାଯିବା, ମହାବିଦ୍ୟାଳୟ ପରିସରକୁ ଲାଗି ରହିଥିବା ସମସ୍ତ ସରକାରୀ ଓ ଅନାବାଦୀ ଜମିକୁ ମହାବିଦ୍ୟାଳୟ ନାମରେ ରେକର୍ଡଭୁକ୍ତ କରିବା, ରାଜ୍ୟ ସରକାରରଙ୍କ ନିର୍ଦେଶ ପ୍ରକାରେ ତୁରନ୍ତ ମହାବିଦ୍ୟାଳୟର ଗର୍ଭନିଂ ବଡି ଗଠନ ସହିତ ମହାବିଦ୍ୟାଳୟ ପାଇଁ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ କତୃପକ୍ଷଙ୍କୁ ପତ୍ର ଦେବାପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ବୌଦ୍ଧ ସହରର କେନ୍ଦ୍ରସ୍ଥଳରେ ରହିଥିବା ଗଡଖାଇ ପୁନରୁଦ୍ଧାର ଓ ବିକାଶ ଯୋଜନା ସହିତ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ କରାଯିବା ସମୟରେ ଭୈରବୀ ମନ୍ଦିରର ସୁରକ୍ଷା ଓ ଉନ୍ନୟନ ଏବଂ ବ୍ୟବସାୟୀମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବାକୁ ପ୍ରଶାସନକୁ ନିବେଦନ କରାଯାଇଛି। ମହାନଦୀ କୁଳର ସୁରକ୍ଷା ସହିତ ବୌଦ୍ଧ ସହର ପାଶ୍ୱର୍ରେ ନିୟମିତ ପାଣି ଧାର ପ୍ରବାହିତ ହେବା ପାଇଁ ମହାନଦୀ- ଶାଲୁଙ୍କି ସଙ୍ଗମ ସ୍ଥଳୀରେ ଏକ ଯୋଜନା ପ୍ରସ୍ତୁତ କରାଯିବାକୁ ଦାବୀ କରାଯାଇଛି। ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବାପାଇଁ ମଞ୍ଜୁର ହୋଇଥିବା ତିନିଶହ ଶଯ୍ୟା ବିଶିଷ୍ଟ ଜିଲା ଚିକିତ୍ସାଳୟ ର ନିର୍ମାଣ କାମ ତୁରନ୍ତ କରାଯିବାକୁ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କତୃପକ୍ଷଙ୍କୁ ପତ୍ର ଦେବାପାଇଁ ଆଲୋଚନା ହୋଇଥିଲା। ପ୍ରତିମାସରେ ଜିଲ୍ଲାର ବୁଦ୍ଧିଜିବୀମାନଙ୍କୁ ନେଇ ବୈଠକ କରିବା ସହିତ ପ୍ରଶାସନ ଓ ସରକାରଙ୍କୁ ଗଠନମୁଳକ ପ୍ରସ୍ତାବ ଦେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି।
ବୈଠକରେ ଇଂଟେଲେକ୍ଚୁଆଲ ଫୋରମ(ବୁଦ୍ଧିଜିବୀ ଫୋରମ) ଗଠନ କରାଯାଇ ଶିକ୍ଷାବିତ୍ ଗୁରୁପ୍ରସାଦ ଦାଶଙ୍କୁ ଆବାହକ ଭାବେ ମନୋନୀତ କରାଯାଇଥିଲା। ଏହି ବୈଠକରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡମ୍ବରୁଧର ଭୋଇ, ଇଞ୍ଜିନିୟର ସନ୍ତୋଷ କୁମାର ପୁରୋହିତ, ବ୍ୟାଙ୍କ ଅଧିକାରୀ ସୂର୍ଯ୍ୟକାନ୍ତ ଦଳବେହେରା, ପ୍ରତାପ କୁମାର ସାହୁ, ବରିଷ୍ଠ ନାଗରୀକ ଫଣିଭୂଷଣ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପୁରୋହିତ, ଅକ୍ଷୟ କୁମାର ମହାନ୍ତି, ଡ. ସଞ୍ଜୟ କୁମାର ପଣ୍ଡା, କେତନ କୁମାର ଅଗ୍ରଓ୍ୟାଲା, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ସାମ୍ବାଦିକ ସମ୍ପଦ୍ କୁମାର ଅଗ୍ରଓ୍ୟାଲା, ଦେବାଶିଷ ପୁରୋହିତ ଯୋଗଦାନ କରି ମତାମତ ପ୍ରଦାନ କରିଥିଲେ।
Comments are closed.