ବୌଦ୍ଧରେ ଅନ୍ତିମ ପର୍ଯ୍ୟାୟରେ ୮୧.୦୭ ପ୍ରତିଶତ ମତଦାନ:୬୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ, ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା
ବୌଦ୍ଧ: ବୌଦ୍ଧଜିଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୮୧.୦୭ ପ୍ରତିଶତ ମତଦାନ ହୋଇଛି। ସରକାରୀ ଭାବରେ ଦିଆଯାଇଥିବା ତଥ୍ୟ ମୁତାବକ ତୃତୀୟ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକର ତିନୋଟି ଜିଲାପରିଷଦ ଜୋନ ଓ ୨୨ଟି ପଞ୍ଚାୟତ ପାଇଁ ସରପଞ୍ଚ,ସମିତି ଏବଂ ୱାର୍ଡସଭ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ୪୮୯୮୧ ପୁରୁଷ ଭୋଟରଙ୍କ ମଧ୍ୟରୁ ୩୯୫୪୭ ଜଣ(୮୦.୭୪%) ମତାଧିକାର ସାବ୍ୟସ୍ତ କରିଥିବାବେଳେ ୪୫୮୮୬ ମହିଳା ଭୋଟରଙ୍କ ମଧ୍ୟରୁ ୩୭୩୬୧(୮୧.୪୨%) ଜଣ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଫଳରେ ତୃତୀୟ ପର୍ଯ୍ୟାୟରେ ସର୍ବମୋଟ ୯୪୮୬୭ ଜଣ ଭୋଟରଙ୍କ ମଧ୍ୟରୁ ୭୬୯୦୮ ଜଣ (୮୧.୦୭%) ନିଜର ମତାଧିକାର ସାବ୍ୟସ୍ତ କରି ୬୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି। ସକାଳ ୭ଟାରୁ ବୁଥ ଗୁଡିକ ଆଗରେ ଲମ୍ବାଧାଡି ଲିଗିଥିବା ଦେଖାଯାଇଥିଲା। ଗୋଟିଏ ଦୁଇଟି ପଞ୍ଚାୟତର ନିର୍ଦ୍ଦିଷ୍ଟ କେତୋଟି ବୁଥକୁ ବାଦ୍ ଦେଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହୋଇଥିବା ଜଣାଯାଇଛି। ବାମଣ୍ଡା ପଞ୍ଚାୟତର ଦେବଗଡ ବୁଥରେ ଜଣେ ମହିଳାଙ୍କ ଭୋଟକୁ ବୁଥ ନିର୍ବାଚନ ଅଧିକାରୀ ଦେଇଦେବା ଯୋଗୁଁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇବା ସହିତ ମତଦାନ ବନ୍ଦ ରହିଥିଲା। କିନ୍ତୁ ପୁଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ସହିତ ମତଦାନ ପ୍ରକ୍ରିୟାକୁ ସ୍ୱାଭାବିକ କରାଇଥିଲେ।
ସେହିପରି କେତେକ ବୁଥ ନିକଟରେ ଏକ ଦଳର ପତାକା ଉଡୁଥିବା ବେଳେ ଏହାକୁ ବିରୋଧ କରି ଅନ୍ୟ ଦୁଇଦଳର ସମର୍ଥକମାନେ ସେଠାରେ ସେମାନଙ୍କ ଦଳିୟ ପତାକା ଉଡାଇଥିଲେ। ପରିସ୍ଥିତି ଅଣାୟତ ହେବାକୁ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ଦଳୀୟ ପତାକାକୁ ସେଠାରୁ ହଟାଇ ଦିଆଯାଇଥିଲା। ଅନ୍ୟ କିଛି ବୁଥରେ ମଧ୍ୟ କାଁ ଭାଁ ହିଂସା ହୋଇଥିଲେ ମଧ୍ୟ ପୁଲିସ ଓ ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। ତେବେ ପୁରୁଷଙ୍କ ତୁଳନାରେ ମହିଳାମାନେ ମତଦାନରେ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଥିଲା। ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା ପ୍ରମୁଖ ବିଭିନ୍ନ ବୁଥ ପରିଦର୍ଶନ କରିବା ସହିତ ମତଦାନ କାର୍ଯ୍ୟ ପରିଚାଳନାର ତଦାରଖ କରିଥିଲେ।
Comments are closed.