ବୌଦ୍ଧ: ବଢୁଛି ପଞ୍ଚାୟତ ନିର୍ବାଚନ ଉଷ୍ମତା, ସାମାଜିକ ଗଣମାଧ୍ୟମ ଅଧିକ ସକ୍ରିୟ
ବୌଦ୍ଧ : ପଞ୍ଚାୟତ ନିର୍ବାଚନ ନେଇ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାପରେ ବୌଦ୍ଧଜିଲାରେ ନିର୍ବାଚନୀ ଉଷ୍ମତା ପ୍ରକାଶ ପାଇଛି। ଦଳୀୟ ନେତାମାନେ ଗାଁ ମୁହାଁ ହେବା ସହିତ ବିଭିନ୍ନ ସ୍ଥାନରେ ଭୋଜିଭାତର ମାହୋଲ ଲାଗି ରହିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବକମାନଙ୍କୁ ଆକର୍ଷିତ କରିବା ପାଇଁ କେଉଁଠି ଫୁଟବଲ ଖେଳ ଆଉ କେଉଁ କ୍ରିକେଟ। ଏସବୁ ମଧ୍ୟରେ ପୁରୁଣା ଶତ୍ରୁତାକୁ ଭୁଲି କେଉଁଠି ନେତା କୋଳାକୋଳି ତ ଆଉ କେଉଁଠି ଭୋଜିଭାତର ଆସର ଜମିଛି। ସବୁ ଦଳରେ ଏବେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ବିଭିନ୍ନ ରଣ କୌଶଳ ଆପଣାଉଥିବାବେଳେ ଏହାକୁ ନେଇ ସାମାଜିକ ଗଣମାଧ୍ୟମ ମଧ୍ୟ ଅଧିକ ସକ୍ରିୟ ହୋଇଛି। ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ କମିଶନ କଟକଣା ଜାରି କରିଥିବାବେଳେ ଏଥର ନିର୍ବାଚନରେ ସାମାଜିକ ଗଣମାଧ୍ୟମର ଗୁରତ୍ୱ ଅଧିକ ବୃଦ୍ଧି ପାଇଛି। ତେଣୁ ପ୍ରତ୍ୟେକ ପ୍ରାର୍ଥୀ କିପରି ସାମାଜିକ ଗଣମାଧ୍ୟମ ସହାୟତାରେ ନିଜର ସମର୍ଥକଙ୍କ ନିକଟରେ ପହଞ୍ଚିପାରିବେ ତାହାକୁ ନେଇ ମଧ୍ୟ ସ୍ୱତନ୍ତ୍ର ଉପାୟମାନ ଆପଣାଉଥିବା ଦେଖାଯାଉଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଞ୍ଚାୟତ ନିର୍ବାଚନ ସମୟରେ ଗ୍ରାମାଞ୍ଚଳରେ ବ୍ୟାପକ ଭାବରେ ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇଛି। ଅବକାରୀ ବିଭାଗ ପକ୍ଷରୁ ପ୍ରତିଦିନ ଚଢାଉ ଜାରି ରହିଥିଲେ ମଧ୍ୟ ବେଆଇନ ମଦ କାରବାର ବନ୍ଦ ହେବାର ନାମ ଧରୁନାହିଁ। ପ୍ରତ୍ୟେକ ଗ୍ରାମରେ ବହୁ ସଂଖ୍ୟାରେ କୁଚିଆ ମଦ ଦୋକାନ ଖୋଲାଯିବା ସହିତ ଜଙ୍ଗଲ ଓ ନଦୀନାଳ କୂଳିଆ ଅଞ୍ଚଳରେ ବ୍ୟାପକ ଭାବରେ ବେଆଇନ ମଦ ପ୍ରସ୍ତୁତ କରାଯାଉଥିବା ମଧ୍ୟ ଜଣାଯାଇଛି। ତେଣୁ ଏହାକୁ ନିୟନ୍ତ୍ରଣ କରାନଗଲେ ପଞ୍ଚାୟତ ନିର୍ବାଚନରେ ଅପରାଧିକ ଘଟଣାକୁ ମଧ୍ୟ ଏଡାଯାଇ ପାରିବନାହିଁ ବୋଲି ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଉଅଛି।
Comments are closed.