www.samajalive.in
Sunday, December 14, 2025
23.1 C
Bhubaneswar

ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୌଦ୍ଧର କୁଲାରୀ କୁଦ, ପରିବେଶ ପର୍ଯ୍ୟଟନ ପାଇଁ ବନ ବିଭାଗର ଅର୍ଥ ମଞ୍ଜୁର

ବୌଦ୍ଧ : ଐତିହାସିକ ବୌଦ୍ଧଜିଲାରେ ପର୍ଯ୍ୟଟନର ବିକାଶ ଦ୍ରୁତ ଗତିରେ ଚାଲିଛି। ଗୋଟିଏ ପଟେ ରାଜ୍ୟର ସର୍ବବୃହତ୍ତ ପରିବେଶ ପାର୍କ ନନ୍ଦନବନ ପ୍ରକଳ୍ପ କାର୍ଯ୍ୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରେ ଆରମ୍ଭ ହୋଇସାରିଥିବାବେଳେ ଅନ୍ୟପଟେ ଡମ୍ବରୁଗଡ ଓ କୁଲାରିକୁଦ ଭଳି ସ୍ଥାନରେ କଟେଜ ନିର୍ମାଣ ସହ ଇକୋ ଟୁରିଜିମର ବିକାଶ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି। ବୌଦ୍ଧ ମାଟିକୁ ମହାନଦୀ ପ୍ରକୃତିର ବଡଦାନ।

ମନମୁଣ୍ଡାଠାରୁ ମାରଡା ସାତକୋଶିଆ ଗଣ୍ଡ ପର୍ଯ୍ୟନ୍ତ ପ୍ରାୟ ୧୦୦ କିଲୋମିଟର ମହାନଦୀ ବୌଦ୍ଧ ଜିଲାକୁ ଛୁଇଁ ପ୍ରବାହିତ ହେଉଅଛି। ଏହି ରାସ୍ତା ମଧ୍ୟରେ ମହାନଦୀ କୂଳେକୂଳେ ଏହିଭଳି ପ୍ରାକୃତିକ ପରିବେଶ ସବୁ ଭରି ରହିଛି ଯାହାକୁ ଆଖିରେ ନଦେଖିଲେ ସାଧାରଣରେ ବିଶ୍ୱାସ କରିହେବନାହିଁ। କିଛିଦିନ ପୂର୍ବରୁ ବନ ବିଭାଗ ପକ୍ଷରୁ ମହାନଦୀ କୂଳରେ ଥିବା ଡମ୍ବରୁଗଡ ପାହାଡ ଉପରେ ଏକ ପାର୍କ ନିର୍ମାଣ ସରିଥିବାବେଳେ ୫ ଗୋଟି କଟେଜ କାର୍ଯ୍ୟ ସମାପନ ହୋଇ ବର୍ତ୍ତମାନ ପର୍ଯ୍ୟଟକମାନେ ରହିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଓ ବାହ୍ୟ ପରିବେଶର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି।

- Advertisement -

ଖୁବଶିଘ୍ର ନିର୍ମିତ କଟେଜ ସବୁ ପର୍ଯ୍ୟଟକମାନଙ୍କ ପାଇଁ ଯୋଗାଇଦିଆଯିବ। ସେହିପରି ଅନ୍ୟ ଏକ ଆକର୍ଷଣୀୟ ସ୍ଥାନ ହେଉଛି ମହାନଦୀ ମଧ୍ୟରେ ପ୍ରାୟ ଏକ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ପ୍ରାକୃତିକ ଭାବରେ ସୃଷ୍ଟି ହୋଇଥିବା କୁଲାରୀ କୁଦ। ବୌଦ୍ଧସହରଠାରୁ ମହାନଦୀ ତିନିଭାଗରେ ବିଭକ୍ତ ହୋଇଛି। ଫଳରେ ଦୁଇଟି ଦ୍ୱୀପ ସୃଷ୍ଟି ହୋଇ ଚାରିପଟେ ମହାନଦୀ ଘେରି ରହି ମନୋରମ ପରିବେଶ ସୃଷ୍ଟି କରିଛି। ଗୋଟିଏ ଦ୍ୱୀପ ମର୍ଜାକୁଦକୁ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଉଦ୍ୟମକ୍ରମେ ସ୍ଥାୟୀ ସେତୁ ନିର୍ମାଣ ହୋଇସାରି ଉଦଘାଟନ ଅପେକ୍ଷାରେ ରହିଛି। ମର୍ଜାକୁଦରେ ବୌଦ୍ଧ ଏନଏସି ର ଦୁଇଗୋଟି ୱାର୍ଡ ର ପ୍ରାୟ ୩ ହଜାର ଅଧିବାସୀ ରହୁଛନ୍ତି। ସେତୁ ନିର୍ମାଣ ପରେ ମର୍ଜାକୁଦରେ ରହିଥିବା ସରକାରୀ ଜମିର ଉପଯୁକ୍ତ ବିନିଯୋଗ କରାଯିବାକୁ ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତି ଚାଲିଛି। ମର୍ଜାକୁଦ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିବାବେଳେ ଏବେ ଅନ୍ୟତମ ଦ୍ୱୀପ କୁଲାରୀ କୁଦର ବିକାଶ ପ୍ରତି ଦୃଷ୍ଟି ଦିଆଯାଇଛି।

ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର କୁଲାରୀକୁଦ ପରିଦର୍ଶନ କରିବା ପରେ ସେଠାରେ ପର୍ଯ୍ୟଟନର ବିକାଶ ସମ୍ଭାବନା ନେଇ ମନ୍ତ୍ରୀ ଶ୍ରୀଅମାତ ଓ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ସହିତ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀଅମାତଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ବନଖଣ୍ଡ ଅଧିକାରୀ କୁଲାରୀକୁଦ ପରିଦର୍ଶନ କରିବାପରେ ଏହାର ବିକାଶ ହୋଇପାରିଲେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ରିପୋର୍ଟ ପ୍ରଦାନ କରିଥିଲେ। ପରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୁଲାରିକୁଦ ପରିଦର୍ଶନ କରିବା ପରେ ବନ ବିଭାଗ ପକ୍ଷରୁ ଏହାର ବିକାଶ କାର୍ଯ୍ୟ ହାତକୁ ନିଆଯାଇଥିବା ଜଣାଯାଇଛି। କୁଲାରୀକୁଦରେ ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କରାଯିବ ବୋଲି ଜଣାପଡିଛି।

ଏଥିପାଇଁ ବନ ବିଭାଗ ପକ୍ଷରୁ ଆର୍ଥିକ ଅନୁଦାନ ଯୋଗାଇଦିଆଯାଇଥିବା ଜଣାପଡିଛି। ମର୍ଜାକୁଦରୁ କୁଲାରୀକୁଦ ପର୍ଯ୍ୟନ୍ତ ପୁର୍ତ୍ତବିଭାଗ ପକ୍ଷରୁ ପ୍ରାୟ ଦେଢ କିଲୋମିଟର ରାସ୍ତା ନିର୍ମାଣ କରାଯିବାକୁ ନିଷ୍ପତି ହୋଇଥିବାବେଳେ ନଦୀକୂଳର ପଥର ପ୍ୟାଚିଂ କାମ ଜଳସଂପଦ ବିଭାଗ ପକ୍ଷରୁ କରାଯିବ ବୋଲି ଜଣାପଡିଛି। ତେବେ ଇକୋ ଟୁରିଜିମର ସମସ୍ତ ସୁବିଧା ସହିତ କୁଲାରୀକୁଦ ଖୁବ ଶିଘ୍ର ନୂତନ ରୂପରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ। କୁଲାରୀ କୁଦର ବିଶେଷତ୍ୱ ହେଲା ଯେ, ମହାନଦୀ ଗର୍ଭରେ ପ୍ରାୟ ୧ ବର୍ଗ କିଲୋମିଟର ଟାପୁ ରହିଛି। ଏହି ଟାପୁ ଉପରେ ଇଗ୍ଲୁ ଆକୃତିର ଦୁଇଟି ମନ୍ଦିର ମଧ୍ୟରେ ଶିବ ଓ ଶକ୍ତି ପୂଜା ପାଉଛନ୍ତିି। ଟାପୁର ଚାରିପଟେ ମହାନଦୀ ଘେରି ରହିଥିଲେ ମଧ୍ୟ ଗୋଟିଏ ପଟରେ ମହାନଦୀର ଗଭୀର ଜଳରାଶି ପ୍ରବାହିତ ହେଉଅଛି।

ଅନ୍ୟପଟରେ ବାଲୁକା ପ୍ରାନ୍ତର ସହିତ ପର୍ଯ୍ୟାପ୍ତ ମାତ୍ରାରେ ବଡ ବଡ ପଥରମାନ ରହିଛି। ଯାହାକି ଏଠାକୁ ସାଧାରଣଲୋକଙ୍କୁ ଆକୃଷ୍ଟ କରିଥାଏ। ବିସ୍ତିର୍ଣ୍ଣ ଅଞ୍ଚଳରେ ଥିବା ପଥରଗୁଡିକ ମଧ୍ୟରେ ସ୍ଥାନେ ସ୍ଥାନେ ଜମି ରହିଥିବା ଜଳ ଅତ୍ୟନ୍ତ ମନୋରମ ପରିବେଶ ସୃଷ୍ଟି କରୁଅଛି। ଏହି ପ୍ରାକୃତିକ କୁଦ(ଟାପୁ)ର ବିକାଶ ହୋଇପାରିଲେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କୁ ନିଶ୍ଚିତ ଭାବରେ ଆକିର୍ଷତ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories