ଦାଦନ ଶ୍ରମିକ ଲୁହରେ ଭିଜୁଛି କଳାହାଣ୍ଡି

0

ବିଜୟ ଦ୍ୱିବେଦୀ

prayash

ଭବାନୀପାଟଣା: କଳାହାଣ୍ଡି ଜିଲାର ଗରିବ, ଆଦିବାସୀଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଯୋଜନା ରହିଛି; କିନ୍ତୁ ଜିଲାର ଦାଦନ ସଂଖ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ ଏହି ନିର୍ଯାତିତ ଶ୍ରମିକଙ୍କ ସେଠାରେ ଅକାଳରେ ମୃତ୍ୟୁ ଘଟୁଛି। ଗତ ୩ ବର୍ଷରେ ୫୦ରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକଙ୍କ ଶବ ନିଜଗ୍ରାମକୁ ଫେରି ଆସିଥିବା ବେଳେ ବହୁ ଶ୍ରମିକ ବର୍ତ୍ତମାନ ରାଜ୍ୟ ବାହାରେ ଦାଦନ ଦଲାଲଙ୍କ ନିକଟରେ ବନ୍ଧା ପଡି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ତେବେ କେତେ ସଂଖ୍ୟାରେ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଆଜି ପର୍ଯ୍ୟନ୍ତ ଯାଇଛନ୍ତି ଓ କେତେ ସେଠାରେ କାମ କରୁଥିବା ସମୟରେ ମୃତ୍ୟୁମୁଖରେ ପଡିଛନ୍ତି ତାହାର ସଠିକ ତଥ୍ୟ ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ପାଖରେ ନଥିବା ଜଣାପଡିଛି।
ପେଟର ଭୋକ ମେଣ୍ଟାଇବା ପାଇଁ ଲୋକ ଖୋଜେ ମୁଠାଏ ଭାତ; ଆଉ ଏଥିପାଇଁ ଖୋଜେ କାମ । କାମ ନ ମିଳିଲେ ଗରିବର ଚୂଲି ଜଳେନି। ଭାତ ସାଙ୍ଗକୁ ଋଣ ଶୁଝିବା ପାଇଁ କାମ ଖୋଜି ଖୋଜି ସେ ମହାଜନଙ୍କ ଦୁଆର ଖଟ୍‌ଖଟ୍‌ କରେ। ମହାଜନ ଚତୁରତା ସହିତ ତାକୁ କିଛି ଟଙ୍କା ଦେଇ ତା ଠାରୁ ସୁଧମୂଳ ସହ କଡାଗଣ୍ଡା ଅସୁଲ କରେ। କାଁଭାଁ କେତେବେଳେ କେମିତି ତାକୁ ସରକାର ବି ଦୟା କଲା ଭଳି ଦିନେ ଅଧେ କାମ ଦିଅନ୍ତି। କିନ୍ତୁ ଆର ଦିନକୁ ହାତ ଖାଲି। ହାତ ଖାଲି ତ ହାଣ୍ଡି ବି ଖାଲି। ପୂର୍ବରୁ କଳାହାଣ୍ଡି ଜିଲାରେ ନୂଆଁଖାଇ ସରିବା ପରେ ଦାଦନ ଖଟିବାକୁ ଶ୍ରମିକମାନେ ଘରୁ ଗୋଡ କାଢୁଥିଲେ; କିନ୍ତୁ ଆଜି ବର୍ଷା ଋତୁରେ ଚାଷବାସ ଚାଲିଥିବା ବେଳେ ନିଜ ଅଂଚଳର କାମ ଛାଡି ଦାଦନ ଶ୍ରମିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଠାରୁ କରିଥିବା ଋଣ ଶୁଝିବା ପାଇଁ ସେ ଗୋଡ କାଢ଼ି ଚାଲିଯାଉଛି ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ। ଏପରି ଭାବେ ମଣିଷକୁ ଦୟନୀୟ, ଅସହାୟ ସ୍ଥିତିରେ ପକାଇବାରେ ଭୋକ ଓ ଋଣ ରହିଛିି ନିର୍ମମ ଭୂମିକା। ଭାତ ମୁଠେ ଏବଂ ଋଣ ଟଙ୍କା ଶୁଝିବା ପାଇଁ ଯାଇଥିବା ମଣିଷ ଶବ ହୋଇ ଭିଟାମାଟିକୁ ଲେଉଟୁଛି।
ଗାଁ ଲୋକଙ୍କ ହାତକୁ କାମ ତଥା ଦାଦନ ସମସ୍ୟା ଦୂରୀକରଣ ପାଇଁ ସରକାର ଯୋଜନା ବଢାଇ ଚାଲିଥିଲେ ବି ଯୋଜନା ଗୁଡିକର ସଫଳ ରୂପାୟନ ହୋଇପାରୁ ନଥିବାରୁ ଗାଁର କାମଧନ୍ଦାର ଅଭାବ ପୂର୍ବପରି ଲାଗି ରହିଛି। ଫଳରେ ଲୋକେ ବାଧ୍ୟ ହୋଇ ଦାଦନ ଖଟିବାକୁ ସୁଦୂର ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ, ଗୋଆ ଆଦି ଅଞ୍ଚଳକୁ ଜିଲାରୁ ଶହ ଶହ ସଂଖ୍ୟାରେ ଚାଲିଯାଉଛନ୍ତି। ତେବେ ସେଠାରେ ମଧ୍ୟ ଶ୍ରମିକର ଦୁଃଖର ଅନ୍ତ ହୁଏ ନାହିଁ। ବଢିଚାଲିଛି ଦଲାଲ, ଠିକାଦରର ଶୋଷଣ ଓ ନିର୍ଯାତନା। ଗଧ ଖଟଣି ସହିତ ଅସ୍ୱାସ୍ଥ୍ୟକର ପରିବେଶରେ ଶ୍ରମିକମାନେ ମରିହଜି ଯାଉଥିବାର ମଧ୍ୟ ଲମ୍ବା ତାଲିକା ଦିନକୁ ଦିନ ବଢି ବଢି ଚାଲିଛି। କେହି ବନ୍ଧକ, ଅଟକ ରହିଥିବା ବେଳେ ବହୁ ଦାଦନଙ୍କର ଖୋଜ ଖବର ମିଳୁନାହିଁ। ସେମାନେ ଆଜି ପର୍ଯ୍ୟନ୍ତ ଜୀବିତ ନା ମୃତ୍ୟୁ ସେମାନଙ୍କ ପରିବାର ପାଇଁ ସ୍ୱପ୍ନ ହୋଇ ପଡିଛି। ବାପ, ପୁଅ ଆସିବ ଚାହିଁ ବସିଥିବା ବେଳେ ସ୍ତ୍ରୀ ତା’ର ସ୍ୱାମୀର ରାସ୍ତାକୁ ଚାହିଁ ରହିଛି। ପୁଅ, ଝିଅ ତାର ବାପା, ମା’ର ଆସିବା ବାଟକୁ ଚାହିଁ ଚାହିଁ ଦିନ ସରୁଛି। ମାତ୍ର ସେମାନଙ୍କର କୌଣସି ଖୋଜ ଖବର ମିଳୁନାହିଁ। ଏପରି ଦୁଃଖଦ ଘଟଣା ପ୍ରତିଦିନ ଦାଦନ ଖଟିବାକୁ ଯାଉଥିବା କଳାହାଣ୍ଡି ଜିଲାର ଧର୍ମଗଡ ଉପଖଣ୍ଡ ‘ଦଣ୍ଡପାଟ’ ଅଞ୍ଚଳ, ନର୍ଲା, କଲମପୁର, ଜୟପାଟଣା, କୋକସରା, କର୍ଲାମୁଣ୍ଡା ଏବଂ ଗୋଲାମୁଣ୍ଡା ବ୍ଲକ ସହିତ ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକରେ ଦେଖିବାକୁ ମିଳୁଛି। ପ୍ରତିବର୍ଷ ଏସବୁ ଅଞ୍ଚଳରୁ ୧୦ ହଜାର ପରିବାରର ପ୍ରାୟ ୩୦ ହଜାର ଶ୍ରମିକ ରାଜ୍ୟ ବାହାରକୁ ଚାଲାଣ ହୋଇଥାନ୍ତି। ଏପଟେ ମୃତକଙ୍କ ପରିବାର ନିଜ ପ୍ରତିପୋଷକକୁ ହରାଇ ଭୋକ ଉପାସରେ ଅସହାୟ ଜୀବନ କାଟୁଥିବା ଭଳି କରୁଣ କାହାଣୀର ଦୃଶ୍ୟ ଏହି ସବୁ ବ୍ଲକର ଏକାଧିକ ଗାଁରେ ଦେଖିବାକୁ ମିଳୁଛି।

kalyan agarbati
Leave A Reply