ଅଛି ଖୁଣ୍ଟ ହେଲେ ଅଚଳ ଟ୍ରାଫିକ୍ ସିଗନାଲ୍‌

ଭିଡ ନିୟନ୍ତ୍ରଣ କରିବାକୁ ନାକେଦମ୍ ପୁଲିସ ଓ ହୋମଗାର୍ଡ

ବଲାଙ୍ଗିର: ବଲାଙ୍ଗିର ସହର ସଂପ୍ରସାରିତ ହେଉଛି । ଜନସଂଖ୍ୟା ବି ବଢିବାରେ ଲାଗିଛି । ସେହି ଅନୁସାରେ ଗାଡି ଚଳାଚଳ ପରିମାଣ ବି ସହରରେ ବୃଦ୍ଧି ପାଇଛି । ପର୍ବପର୍ବାଣୀ, ପୂଜା, ଯାତ୍ରା ସମୟରେ ବଲାଙ୍ଗିର ସହରର ମୁଖ୍ୟ ରାସ୍ତାରେ ଟ୍ରାଫିକ ଜାମ୍‌ ହେଇଯାଏ । ଲୋକେ ବିକଳ୍ପ ବାଟ ଖୋଜି ଗଳି କନ୍ଦି ଦେଇ ଯିବାକୁ ବାଧ୍ୟ ହୁଅନ୍ତି । ଗଳି କନ୍ଦିରେ ବି ଫୁର୍‌ସତ ମିଳେନି । ବ୍ୟସ୍ତ ହେଇପଡୁଥିବା ବଲାଙ୍ଗିର ସହରର ଟ୍ରାଫିକ ନିୟନ୍ତ୍ରଣକୁ ଆଖି ଆଗରେ ରଖି ଟ୍ରାଫିକ୍‌ ସିଗ୍‌ନାଲ୍‌ ବ୍ୟବସ୍ଥା ପାଇଁ ସାଂସଦ ପାଣ୍ଠିରୁ ଅନୁଦାନ ଦିଆଯାଇଥିଲା । ସେହିପରି ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ଛକରେ ସିସିଟିଭି ଲଗାଯାଇଥିଲା । କିନ୍ତୁ ଦୁର୍ବଳ ସିସି ଟିଭି ଓ କିଛି ଦିନ ଟ୍ରାଫିକ ସିଗ୍‌ନାଲ୍‌ ଚାଲିବା ପରେ ଏବେ ଅନ୍ଧାର ଆଉ ଅନ୍ଧାର । କେବଳ ଖୁଣ୍ଟ ଅଛି । ସିଗ୍‌ନାଲ୍‌(ସଂକେତ) ବି ରହିଛି । ହେଲେ ଜଳୁନି କି କାମ କରୁନି ।

୨୦୧୯ ମସିହାରେ ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ସାଂସଦ ପାଣ୍ଠିରୁ ଟ୍ରାଫିକ୍‌ ସିଗ୍‌ନାଲ୍‌ ଓ ସିସି ଟିଭି ପାଇଁ ଅନୁଦାନ ମିଳିଥିଲା । ପୁଲିସ ବିଭାଗ ପକ୍ଷରୁ ସିଗନାଲ ଓ ସହରର ପ୍ରମୁଖ ଛକ(୧୭ଟି ସ୍ଥାନ)ରେ ସିସିଟିଭି ଲାଗିଥିଲା । ପୂର୍ବତନ ସାଂସଦ ଶ୍ରୀ ସିଂହଦେଓ ଏହାର ଶୁଭାରମ୍ଭ କରିଥିଲେ । କିନ୍ତୁ ଟ୍ରାଫିକ ସିଗ୍‌ନାଲ୍‌ କିଛି ଦିନ ଠିକ୍‌ଠାକ୍‌ ଚାଲିବା ପରେ ଅଧା ସମୟ ଜଳିଲା ତ ଅଧା ସମୟ ବନ୍ଦ ରହିଲା । ଶେଷକୁ ପୂରା ବନ୍ଦ ହେଇଗଲା ଟ୍ରାଫିକ ସିଗ୍‌ନାଲ । ଲକ୍ଷାଧିକ ଲୋକ ବଲାଙ୍ଗିର ସହରରେ ବସବାସ କରନ୍ତି । ସେହିପରି ହଜାର ହଜାର ସଂଖ୍ୟାରେ ଜିଲା ବାହାରୁ ତଥା ଜିଲାର ବିଭିନ୍ନ ଅଞ୍ଚଳରୁ କାମ ପାଇଁ ଦୁଇ ଚକିଆ, ଚାରି ଚକିଆ ଗାଡିରେ ଲୋକେ ସହରକୁ ଆସନ୍ତି । ଭାଗିରଥୀ ଛକ, କଚେରୀ ଛକ, ବର୍ତ୍ତମାନର ଘଡି ଛକ, ସୋନପୁର ମହାଦେବ ମନ୍ଦିର ଛକ ସହ ଦୈନିକ ବଜାର ଅଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ କର୍ମଚାରୀ ଓ ହୋମଗାର୍ଡ ନିୟୋଜିତ ହୋଇଥାନ୍ତି । ଆବଶ୍ୟକତା ଅନୁସାରେ ଟ୍ରାଫିକ କର୍ମଚାରୀ ନଥିବା ବେଳେ ଟ୍ରାଫିକ ଅଧିକାରୀଙ୍କ ସହ ଆଲୋଚନା କରି କେଉଁଠି, କେତେ କର୍ମଚାରୀ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ ତାହା ନିର୍ଦ୍ଧାରିତ ହୁଏ ।

ସମଲେଇ ମନ୍ଦିର ଛକରେ ପୂଜା ସମୟରେ ଭିଡ ଜମିଥାଏ ।  ଭୀମ ଭୋଇ ଡାକ୍ତରଖାନା ଛକରେ ବି ସବୁଦିନିଆ ଭିଡ ଦେଖିବାକୁ ମିଳେ । ପର୍ବପର୍ବାଣୀ, ପୂଜା, କୌଣସି ଆନ୍ଦୋଳନ, ସମାବେଶ ତଥା ଯାତ୍ରା ସମୟରେ ସହରରେ ଟ୍ରାଫିକ ବ୍ୟବସ୍ଥା ବେହାଲ ହୋଇଯାଏ । ଟ୍ରାଫିକ ନିୟନ୍ତ୍ରଣ କରୁଥିବା ପୁଲିସ ଓ ହୋମଗାର୍ଡ ମୁଣ୍ଡ ଘବରାଇ ଯାଏ । ଟ୍ରାଫିକ ସିଗ୍‌ନାଲ୍‌ ଅଚଳ ହୋଇ ପଡିଥିବାରୁ ଟ୍ରାଫିକ ଦାୟିତ୍ୱରେ ଥିବା କର୍ମଚାରୀ ଓ ହୋମଗାର୍ଡଙ୍କ ଦୁଃଖ ଦୁଇ ଗୁଣ ବଢି ଯାଇଛି । ସିଗ୍‌ନାଲ୍‌ ଥିଲେ ସେମାନେ କେବଳ ତଦାରଖ କରୁଥିଲେ । ସେମାନେ ଭିଡ ନିୟନ୍ତ୍ରଣ ସହ ଲୋକଙ୍କୁ ସଚେତନ କରିପାରୁଥିଲେ । ଏବେ ସକାଳ ୮ଟାରୁ ଠିଆ ହେବାକୁ ପଡୁଛି ଟ୍ରାଫିକ ପୋଷ୍ଟରେ । ଖରା, ଝାଞ୍ଜି ପବନରେ ତ୍ରାହି ତ୍ରାହି ଡାକୁଥିଲେ ବି ଟ୍ରାଫିକ ପରିଚାଳନା କରିବାକୁ ଏକପ୍ରକାର ବାଧ୍ୟ । ଛାଇ ଦେଖି ବିଶ୍ରାମ କରିବାକୁ ସେମାନଙ୍କ ପାଖରେ ସୁଯୋଗ ନାହିଁ । ସିଗ୍‌ନାଲ୍‌ ନଥିବାରୁ ମାନବକୃତ ଟ୍ରାଫିକ ନିୟନ୍ତ୍ରଣ ହେଉଛି ।

ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଦିନ ତୁଳନାରେ ସନ୍ଧ୍ୟାରୁ ରାତି ଟ୍ରାଫିକ ନିୟନ୍ତ୍ରଣ କରିବା ଚେଲେଞ୍ଜ ସଦୃଶ । ସେହିପରି ସହରର ୧୭ଟି ସ୍ଥାନରେ  ସିସିଟିଭି ଲଗାଯାଇଛି । କିନ୍ତୁ ସିସିଟିଭି ଉଚ୍ଚକ୍ଷମତା ସଂପନ୍ନ ହୋଇ ନଥିବାରୁ କାହାର ମୁହଁ କି ଗାଡି ନମ୍ବର ଯାଞ୍ଚ କରିବାକୁ ଚାହିଁଲେ ବି ହେଇପାରୁନି । ପୁଲିସ ଓ ଟ୍ରାଫିକ ନାକେଦମ୍‌ ହେଉଛନ୍ତି । ତେବେ ଏହି ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି ପୁଲିସ ବିଭାଗରୁ ସୂଚନା ମିଳିଛି । ଟ୍ରାଫିକ ସିଗ୍‌ନାଲକୁ ସ୍ୱୟଂଚାଳିତ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବା ସହ ସହରର ବିଭିନ୍ନ ପ୍ରବେଶ ଓ ଯିବା ରାସ୍ତାରେ ଉଚ୍ଚ କ୍ଷମତାସଂପନ୍ନ ସିସି ଟିଭି ଲଗାଇବାକୁ ରାଜ୍ୟ ପୁଲିସ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ପ୍ରାୟ କୋଟିଏ ଟଙ୍କା ଏଥିପାଇଁ ଖର୍ଚ୍ଚ ଅଟକଳ କରାଯାଇଛି । ସରକାରୀସ୍ତରରେ ଏହାକୁ ଅନୁମୋଦନ ମିଳିଛି । ଆର୍ଥିକ ଅନୁଦାନ ଆସି ନାହିଁ । ଅନୁଦାନ ମିଳିଲେ ତୁରନ୍ତ କାମ ଆରମ୍ଭ କରାଯିବ ବୋଲି ଜଣାପଡିଛି ।

Comments are closed.