ମନରେଗା; ମଣିଷ ନୁହେଁ, କାମ କରୁଛି ମେସିନ୍‌

ବର୍ଷା ପୂର୍ବରୁ କାମ ସାରିବାକୁ ତରବର

ବଲାଙ୍ଗିର: ମଣିଷ ନୁହେଁ, ଜେସିବି ମେସିନ୍‌ କରୁଛି କାମ । ଏଭଳି ଗୋଟିଏ କି ଦୁଇଟି ନୁହେଁ, ବିଭିନ୍ନ ସ୍ଥାନରେ ଖୋଲାଖୋଲି ମେସିନ୍‌ରେ ମନରେଗା କାମ କରାଯାଉଛି । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେଉଛି । ଆଉ ମନରେଗା ଉପରେ ନଜର ରଖୁଥିବା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମନରେଗା ବିଭାଗ ବାସ୍ତବତାକୁ ଅଣଦେଖା କରି କାଗଜପତ୍ରରେ ଗୋଲାପୀ ଚିତ୍ର ଦେବାରେ ବ୍ୟସ୍ତ ।

prayash

କିଛି ଦିନ ତଳେ ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଝାଙ୍କରପାଲି ଗାଁର ଶ୍ରମିକମାନେ ମନରେଗାରେ କାମ କରିଥିଲେ ବି ପାଉଣା ପାଇ ନଥିବା ଅଭିଯୋଗ କରିଥିଲେ । ସେହି ସମାନ ଅଭିଯୋଗ ଆଣିଥିଲେ ବେଲପଡ଼ା ବ୍ଲକ ସୁଲେକେଲା ପଞ୍ଚାୟତର ଝଲିଆମୁଣ୍ଡା ଗାଁ ଲୋକେ । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଘେରାଉ କରିଥିଲେ । ଆଗଲପୁର ବ୍ଲକର ନଅଗାଁ ପଞ୍ଚାୟତରେ, ଦେଓଗାଁ ବ୍ଲକ, ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତରେ ମେସିନ ଜରିଆରେ ମନରେଗା କାମ କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶିତ । ଅନ୍ୟପଟେ ଗାଁରୁ ଲୋକେ ଦାଦନ ଖଟି ନଯାଇ ମନରେଗାରେ କାମ କରିବାକୁ ବିରିପାଲି ପଞ୍ଚାୟତର ସମିତି ସଭ୍ୟ ଯୋଗେଶ୍ୱର ବେହେରା ଶ୍ରମିକଙ୍କ ସହ ମନରେଗା କାମର ମାଟି ବୋହିବା ସହ ଉତ୍ସାହିତ କରୁଥିବା ଖବର ବି ସାମ୍ନାକୁ ଆସିଥିଲା । ୨୭୨ ଟଙ୍କା ମଜୁରୀ ବଦଳାଇ ୩୧୫ ଟଙ୍କା ଟଙ୍କା ଶ୍ରମିକଙ୍କୁ ଦେବା ପାଇଁ ସମିତି ସଭ୍ୟ ଶ୍ରୀ ବେହେରା ଦାବି କରୁଥିଲେ । ଏତେ ସବୁ ପରେ ବି ଜିଲାର ଶ୍ରମିକ ଓ ଗରିବ ଶ୍ରେଣୀର ମଣିଷ ଅସହାୟ । ଇତିମଧ୍ୟରେ ବେଲପଡ଼ା ବ୍ଲକରୁ ୨ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଓ ଜିଲା ତଥା ବ୍ଲକ ପ୍ରଶାସନ ମନରେଗା ନେଇ କେତେ ତତ୍ପର ଓ ଉଦ୍ୟମୀ ତା’ର ଅସଲ ମୁଖା ଖୋଲି ଦେଇଛି ।

ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ମନରେଗା ବିଭାଗର ସୂଚନା ଅନୁସାରେ, ବଲାଙ୍ଗିର ଜିଲାକୁ ମନରେଗା ଯୋଜନାରେ ୨୦୧୯-୨୦ରେ ୧୪୯.୬୮କୋଟି, ୨୦-୨୧ରେ ୩୭୬.୨୫ କୋଟି, ୨୦୨୧-୨୨ରେ ୩୫୪ କୋଟି ଓ ୨୦୨୨-୨୩(ଚଳିତ ବର୍ଷ)ରେ ୭ କୋଟି ଟଙ୍କା କାମ ହୋଇସାରିଛି । ଏହି ଟଙ୍କାରେ ପୋଖରୀ ଖୋଳା, ବନ୍ଧର ଉନ୍ନତିକରଣ, ରାସ୍ତା ନିର୍ମାଣ, ବନୀକରଣ, ଚାଷ ଜମି ଉନ୍ନତିକରଣ, ଆଡି ବନ୍ଧ ନିର୍ମାଣ, ଉଦ୍ୟାନ ଓ କୃଷି ବିଭାଗ ଜରିଆରେ ଶ୍ରମିକ ଶ୍ରେଣୀର ଲୋକେ କାମ କରନ୍ତି । ଏପର୍ଯ୍ୟନ୍ତ ୨ଲକ୍ଷ ୫୭ହଜାର ୮୮୮ଟି ପରିବାର ମନରେଗା ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି । ୭ଲକ୍ଷ ୫୮ହଜାର ୪୩୫ଜଣ ଶ୍ରମିକ ପଞ୍ଜୀକରଣ କରିଥିବା ବେଳେ ୨ଲକ୍ଷ ୩ହଜାର ୧୭୧ ପରିବାରକୁ କାମ ପାଇଁ ଜବ୍‌ କାର୍ଡ ମିଳିଛି । ୨୫ହଜାର ପରିବାର ଶହେ ଦିନର କାମ କରିଥିବା ବେଳେ ୫ହଜାର ପରିବାର ୨ଶହ ଦିନର କାମ କରିଥିବା ବିଭାଗ ପକ୍ଷରୁ ଦର୍ଶାଯାଉଛି ।  ଏଥିସହିତ ଶ୍ରମ ଦିବସ ବଢିଥିବା ବିଭାଗ କହୁଛି । ବଲାଙ୍ଗିର ଜିଲାର ୧୪ ବ୍ଲକରୁ ବେଲପଡ଼ା, ଖପ୍ରାଖୋଲ, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା, ଟିଟିଲାଗଡ ଭଳି ୬ଟି ବ୍ଲକ ଦାଦନ ପ୍ରବଣ ବୋଲି ଚିହ୍ନଟ କରାଯାଇଛି । ଏଠାରେ ମନରେଗା କାମରେ ନିୟୋଜିତ ଶ୍ରମିକଙ୍କୁ ପ୍ରୋତ୍ସାହିତ କରିବାକୁ ଅଧିକ ପାଉଣା ମିଳୁଛି । କିନ୍ତୁ ସୁଲେକେଲା ପଞ୍ଚାୟତରୁ ଆସି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ଧାରଣା ଦେଇଥିବା ଶ୍ରମିକଙ୍କ ଭଳି ଅନେକ ଲୋକ କାମ ପାଉ ନଥିବା ଅଭିଯୋଗ କରୁଛନ୍ତି । ଏଥିରେ ସତ୍ୟତା ବି ରହିଛି । କିନ୍ତୁ ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ ବେଲପଡ଼ା ବ୍ଲକର ସୁଲେକେଲାରେ ଅନେକ କାମ ରହିଛି । ଶ୍ରମିକ କାମ ମାଗୁଥିବା ବେଳେ କାହିଁକି ନିୟୋଜିତ କରାଯାଉନି ବୋଲି ବେଲପଡ଼ା ବିଡିଓ ଭିକ୍ଟର ସୋରେନ୍‌ଙ୍କୁ କହୁଥିଲେ । କେବଳ ବେଲପଡ଼ା ନୁହେଁ, ଅଧିକାଂଶ ଦାଦନ ପ୍ରବଣ ବ୍ଲକରେ କାମ ଆଶାୟୀ ଶ୍ରମିକଙ୍କୁ କାମ ନଦେଇ ସରକାରୀ ଭାବେ ନିରୁତ୍ସାହିତ କରାଯାଉଥିବା ଅଭିଯୋଗ ହେଉଛି । ଏହା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି । ଆଗକୁ ବର୍ଷା । ମନରେଗା ମାଟି କାମ ବନ୍ଦ ହୋଇଯିବ । ଶ୍ରମିକ ନିୟୋଜନ ବଦଳରେ ବିଲ୍‌ ଉଠାଇବା ପାଇଁ ତରବରିଆ ଭାବେ ମେସିନ୍‌ ବ୍ୟବହାର କରାଯାଉଛି । ଶ୍ରମିକଙ୍କ ନାଁରେ ଟଙ୍କା ଉଠାଇ ହଡପ କରାଯାଉଥିବା ବାରମ୍ବାର ଅଭିଯୋଗ ହେଉଛି । ବିଭାଗ ଜାଣି ବି ଅଜଣା ରହୁଛି । ଅଧିକାରୀ ନିରୁତ୍ତର ଓ କାର୍ଯ୍ୟାନୁଷ୍ଠାନ ଶୂନ । ଆଉ ଜିଲାର ଶ୍ରମିକ କାମ ପାଇବାକୁ ଚାତକ ଭଳି ଅନେଇ ରହିଛନ୍ତି ।

kalyan agarbati

Comments are closed.