ଲର୍କିପାଲି ଚାଷ ଜମିରୁ ମହିଳାଙ୍କ ମୃତଦେହ ଉଦ୍ଧାର
ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ବଲାଙ୍ଗିର: ଲର୍କିପାଲି କୃଷି ବିଜ୍ଞାନ କେନ୍ଦ୍ର ପଛପଟ ଚାଷ ଜମିରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତ ଦେହକୁ ଉଦ୍ଧାର କରିଛି ଟାଉନ ପୁଲିସ । ତେବେ ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ପ୍ରକାର ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି ।
ସୂଚନା ଅନୁସାରେ ମୃତ ମହିଳା ଅଞ୍ଜନା ପଟେଲ(୪୫) ବେଲପଡାରୁ ଆସି ଦୀର୍ଘ ଦଶ ବର୍ଷ ହେଲା ନିଜ ଏକ ମାତ୍ର ପୁଅ ସହ ସ୍ଥାନୀୟ ଲର୍କିପାଲି ସ୍ଥିତ କଲୋନୀପଡାରେ ବସବାସ କରି ଆସୁଥିଲେ । ତେବେ ତାଙ୍କ ସ୍ୱାମୀ ମାନସିକ ରୋଗାଗ୍ରସ୍ତ ହୋଇ କିଛି ବର୍ଷ ପୂର୍ବରୁ କୁଆଡେ ଚାଲି ଯାଇଥିବା ସାଧାରଣରେ କୁହାଯାଉଛି ।
ମୃତ ମହିଳାଙ୍କ ପୁଅ ଅନୁଭବଙ୍କ କହିବା ଅନୁସାରେ, ବୁଧବାର ରାତି ପ୍ରାୟ ସାଢେ ଆଠଟା ସମୟରେ ତାଙ୍କ ମା’ ଶୌଚ ପାଇଁ ବାହାରକୁ ଯାଇଥିଲେ। ସେ ଆଉ ଫେରି ନଥିଲେ । ଖୋଜାଖୋଜି କରିବାରୁ ଶବ ମିଳିଥିଲା। ଚପଲ, ଭଙ୍ଗା ଚୁଡି ମିଳିଥିଲା। ଧସ୍ତାଧସ୍ତି ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିଛି । ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ମୃତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୁଲିସ । ଅନ୍ୟପଟେ ଗୁରୁବାର ସକାଳୁ ଘଟଣାସ୍ଥଳରେ ଉପଖଣ୍ଡ ପୁଲିସ ଅଧିକାରୀ(ଏସଡିପିଓ) ତୋଫାନ ବାଗ, ଥାନା ଅଧିକାରୀ କେ. ପ୍ରିୟଙ୍କା ରାଉତରାୟ, ସାଇଣ୍ଟଫିକ୍ଟ ଟିମ୍ ପହଞ୍ଚି ନମୁନା ସଂଗ୍ରହ ଓ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ହତ୍ୟାକାରୀଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଥିବା ଏସଡିପିଓ ଶ୍ରୀ ବାଗ କହିଛନ୍ତି।
Comments are closed.