ଶୋକରେ ଜଡାମୁଣ୍ଡା ଗାଁ,ଏକାଠି ଜଳିଲା ୩ ସାଙ୍ଗଙ୍କ ଜୁଇ

ବଲାଙ୍ଗିର/ଲୋଇସିଂହା :କାହାକୁ ୧୪, କାହାକୁ ୧୮ ତ କାହାକୁ ୨୮ ବର୍ଷ ବୟସ । କିନ୍ତୁ ଗାଁରେ ତିନି ଜଣଙ୍କ ବନ୍ଧୁତା ସମସ୍ତେ ଦେଖିଛନ୍ତି । ସବୁଦିନ ଏକାଠି ହେଉଥିଲେ । ଖୁସି ଗପ କରୁଥିଲେ । ସାଙ୍ଗ ହୋଇ ବୁଲିବାକୁ ଯାଉଥିଲେ । ହେଲେ ନିୟତିର ଖେଳ କିଛି ଅଲଗା ଥିଲା । ତିନି ବନ୍ଧୁଙ୍କୁ ସାଙ୍ଗରେ ନେଇଗଲା । କାହାର ବୁଢୀ ମା’ ଖଟରେ, ଆଉ ଆରପାରିରେ ପୁଅ । କେଉଁଠି ବାପା-ମା’ଙ୍କର ଏକମାତ୍ର ଗେହ୍ଲା ପୁଅ ସବୁଦିନ ପାଇଁ ଆଖି ବୁଜିଦେଲା । ପରିବାର, ଗାଁ କାନ୍ଦିଲା । ଶୋକର ମାହୋଲ ଗାଁରେ   । ବନ୍ଦ ହୋଇଯାଇଥିଲା ରନ୍ଧାବଢା । ଜାତି ଭେଦଭାବରୁ ଊର୍ଦ୍ଧ୍ୱକୁ ଯାଇ ଏକତା ଓ ବନ୍ଧୁତାର ନିଦର୍ଶନ ଦେଖାଇଲେ ଗାଁ ଲୋକେ । ଗୋଟିଏ ଜୁଇରେ ୩ ମୃତକଙ୍କ ସଂସ୍କାର କରାଗଲା । ଏଭଳି ଦୃଶ୍ୟ ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ଜଡାମୁଣ୍ଡା ଗାଁରେ ଗୁରୁବାର ଦେଖିବାକୁ ମିଳିଥିଲା ।

prayash

ବୁଧୁବାର ସଂନ୍ଧ୍ୟା । ଜଡାମୁଣ୍ଡା ଗାଁର ରାଜୁ ଝାଙ୍କର(ମିସ୍ତ୍ରୀ ଭାବେ କାମ କରୁଥିବା)ଙ୍କ ୧୪ ବର୍ଷୀୟ ପୁଅ ଚନ୍ଦନ, ହାଡୁ ତାଣ୍ଡିଙ୍କ ୨୮ ବର୍ଷୀୟ ପୁଅ ପ୍ରଶାନ୍ତ ତାଣ୍ଡି, ସ୍ୱର୍ଗତ ପବିତ୍ର ମୁଣ୍ଡାଙ୍କ ପୁଅ କାହ୍ନୁ ମୁଣ୍ଡା ଗାଁ ପୋଖରୀ ନିକଟକୁ ଶୌଚ ଯାଇଥିଲେ । ଏହି ସମୟରେ ବର୍ଷା ସହ ବଜ୍ରପାତ ହୋଇଥିଲା । ତିନି ଜଣ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ନିକଟରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ବଜ୍ରପାତ ଯୋଗୁଁ ତିନି ବନ୍ଧୁ ସେଠାରେ ପଡି ଯାଇଥିଲେ । ଗାଁ ଲୋକେ ଖବର ପାଇ ୩ଜଣଙ୍କୁ ଉଦ୍ଧାର କରି ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସରେ ଚନ୍ଦନ, ପ୍ରଶାନ୍ତ ଓ କାହ୍ନୁଙ୍କୁ ପଠା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିବା ପରେ ଗାଁରେ ଖବର ପ୍ରଚାରିତ ହୋଇଥିଲା । ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ, ବଲାଙ୍ଗିର ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆ, ଉପ ଜିଲାପାଳ କୁମାର ନାଗଭୂଷଣ, ଲୋଇସିଂହା ତହସିଲର ଅତିରିକ୍ତ ତହସିଲଦାର ସଂପୂର୍ଣ୍ଣାନନ୍ଦ ବେଜ, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ସ୍ୱେଚ୍ଛାସେବୀ, ଗାଁ ଲୋକେ ପହଞ୍ଚିଥିଲେ । କାନ୍ଦ ବୋବାଳିରେ ଫାଟି ପଡିଥିଲା ଭୀମ ଭୋଇ ଡାକ୍ତରଖାନା ପରିସର । ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ରାତି ହୋଇଯାଇଥିବାରୁ ଗୁରୁବାର ଶବ ବ୍ୟବଚ୍ଛେଦ କରାଯାଇଥିଲା । ତିନି ଜଣ ଭିନ୍ନ ଭିନ୍ନ ବୟସରେ ହୋଇଥିଲେ ବି ସେମାନେ ବନ୍ଧୁ ଥିଲେ । ତେଣୁ ଗାଁ ଓ ପରିବାର ଲୋକେ ସେମାନଙ୍କ ଶବକୁ ଜଡାମୁଣ୍ଡା ନେଇଥିଲେ । ଗାଁ ମଶାଣୀ ଏକାଠି ତିନି ବନ୍ଧୁଙ୍କ ସକ୍ରାର କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଚନ୍ଦନ ନାବାଳକ ହୋଇଥିବା ବେଳେ କାହ୍ନୁୁ ଓ ପ୍ରଶାନ୍ତ ଅବିବାହିତ । ତିନି ଜଣଙ୍କ ପରିବାର ସ୍ୱଚ୍ଛଳ ବର୍ଗର ନୁହେଁ, ଶ୍ରମିକ ଶ୍ରେଣୀର । ତେବେ ମୃତ କାହ୍ନୁଙ୍କ ବଡ ଭାଇ ଗତ ବର୍ଷ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଭାଇ ମୃତ୍ୟୁର କିିଛି ମାସ ପରେ ବାପା ପବିତ୍ର ମୁଣ୍ଡା ବି ଆରପାରିକୁ ଚାଲିଗଲେ । ପରିବାର କହିଲେ ଖଟରେ ଶର୍ଯ୍ୟାଶାୟୀ ରୋଗାଗ୍ରସ୍ତ ମା’ ଓ କୁଲି ମଜୁରି କରି ଚଳୁଥିବା କାହ୍ନୁୁ ଥିଲେ । ବଜ୍ରପାତରେ କାହ୍ନୁୁ ଚାଲିଯିବା ପରେ ମା’ ଅସହାୟ ଅବସ୍ଥାରେ । ସେହିପରି ନାବାଳକ ଚନ୍ଦନ ବାପା-ମା’ଙ୍କର ଏକମାତ୍ର ପୁଅ । ତାର ମୃତ୍ୟୁ ପରେ ମା’ଙ୍କ ଅବସ୍ଥା ଭଲ ନାହିଁ । ବାପା ବି ଭାଙ୍ଗି ପଡିଛନ୍ତି । କିନ୍ତୁ ଗାଁ ଲୋକେ ଏକତା ଦେଖାଇଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ସାଥ୍‌ ଦେଇଛନ୍ତି । ମିଳିଥିବା ଖବର ଅନୁସାରେ, ମୃତଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ଲେଖାଏଁ ଆକାଉଣ୍ଟରେ ଜମା କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ଅନୁକମ୍ପା ମୂଳକ ସହାୟତା ବାବଦରେ ୪ଲକ୍ଷ ଟଙ୍କା ଲେଖାଏଁ ସେମାନେ ପାଇବେ । ତେବେ କାହ୍ନୁ ଏକଲା କରି ଚାଲିଯିବା ପରେ ମା’ କ’ଣ କରିବେ? ସେ ଅନୁକମ୍ପା ଟଙ୍କା ମା’ ପାଖକୁ ପୁଅକୁ ଫେରାଇ ଦେବ କି ବୋଲି ଗାଁ ଲୋକେ ଭାବବିହ୍ୱଳ ହୋଇ କହିଛନ୍ତି । ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସ୍ଥିତି ଅନୁଧ୍ୟାନ କରି ମୃତ କାହ୍ନୁ ଓ ଅନ୍ୟମାନଙ୍କୁ ସରକାରୀ ଯୋଜନା, ଥଇଥାନ ବ୍ୟବସ୍ଥା କରାଇଲେ ଭଲ ହେବ ବୋଲି ମତପ୍ରକାଶ ପାଇଛି ।

 

Comments are closed.