କୃଷିବୀମା ଓ ସମବାୟ ସମିତିର ସଂସ୍କାର ପାଇଁ ଅଧିକ କେନ୍ଦ୍ରୀୟ ଅଦୁଦାନ ଦାବି : ଅତନୁ ସବ୍ୟସାଚୀ

ନୂଆଦିଲ୍ଲୀ/ଭୁବନେଶ୍ୱର :ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ ରାଜ୍ୟ ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଓଡ଼ିଶାର ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇଛନ୍ତି। ସମବାୟ ବ୍ୟାଙ୍କ, ଚାଷୀ ଏବଂ ସମବାୟ ହିତାଧିକାରୀମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟାରେ ଛନ୍ଦି ହୋଇ ନାନାଦି ପ୍ରକାରର କଷ୍ଟ ଏବଂ ଆର୍ଥିକ ସଙ୍କଟ ତଥା ବୀମା କମ୍ପାନୀମାନଙ୍କ ଦ୍ୱାରା ନିଜର ଆର୍ଥିକ ଅଧିକାର ପାଇବାକୁ ବଞ୍ଚିତ ହେଉଛନ୍ତି। ଏହାର ମୂଳକାରଣ ବୀମା କମ୍ପାନୀ ଚାଷୀ ଏବଂ ସମବାୟ ହିତାଧିକାରୀମାନଙ୍କୁ ବିଭିନ୍ନ ସମୟରେ ଗୁରୁତ୍ୱ ନଦେଇ ନିଜର ସ୍ୱାର୍ଥ ସାଧନ ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ଅନ୍ୟପକ୍ଷରେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ଏକ ନୂତନ ଜାତୀୟ ସମବାୟ ନୀତି ଓ ଯୋଜନା ପ୍ରଣୟନ କରୁଥିବାରୁ ଏହି ଦୁଇଦିନିଆ ସମ୍ମିଳନୀ ପ୍ରତିଟି ରାଜ୍ୟ ପାଇଁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ବହନ କରୁଛି। ଏହା ମାଧ୍ୟମରେ ରାଜ୍ୟର ସମବାୟ ବ୍ୟାଙ୍କଗୁଡ଼ିକୁ କିପରି ଅଧିକ ସୁଦୃଢ କରାଯାଇ ସମବାୟ ହିତାଧିକାରୀମାନଙ୍କୁ ମୁଖ୍ୟତଃ ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ଶକ୍ତିଶାଳୀ କରାଯିବ ସେଥିପ୍ରତି ସମ୍ମିଳନୀରେ ମନ୍ତ୍ରୀ ଅତନୁ ଶ୍ରୀ ନାୟକ ଦୃଢ ଦାବି ଉପସ୍ଥାପନ ସହିତ ଏହାର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଓଡ଼ିଶା ସରକାର ଯେଉଁଭଳି ଭାବେ ସମବାୟ ହିତାଧିକାରୀଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି କେନ୍ଦ୍ରର ନୂତନ ସମବାୟ ଯୋଜନାରେ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନ ଦେବାକୁ ମଧ୍ୟ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନାୟକ ଦର୍ଶାଇଥିଲେ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ଠିକ୍ ସମୟରେ ବୀମା କମ୍ପାନୀମାନଙ୍କଠାରୁ ସହାୟତା ପାଇପାରୁନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ଦାବି କରିଥିଲେ। ଏଥି ସହିତ ବୀମା କମ୍ପାନୀମାନଙ୍କ ଏଭଳି ନୀତିକୁ ବନ୍ଦ କରି ସମବାୟ ହିତାଧିକାରୀମାନଙ୍କୁ ଯଥାଶୀଘ୍ର କିପରି ସେମାନଙ୍କ ବୀମା ରାଶି କମ୍ପାନୀମାନେ ପ୍ରଦାନ କରିବେ ସେଥିପ୍ରତି କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଓଡ଼ିଶାର ଏଭଳି ପ୍ରସଙ୍ଗ ଓ ଯୁକ୍ତିଯୁକ୍ତ ଦାବିକୁ ସମ୍ମିଳନୀରେ ଯୋଗଦେଇଥିବା ଅନେକ ରାଜ୍ୟ ସମର୍ଥନ କରିଥିଲେ।
ଅଧିକ କେନ୍ଦ୍ରୀୟ ସହାୟତା ଦେବା ସହିତ ରାଜ୍ୟ ସମବାୟ ବ୍ୟାଙ୍କ ଓ ହିତାଧିକାରୀମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଭାରତ ସରକାର ନିଜ ବଜେଟରେ ଯେଉଁ ଅର୍ଥ ବ୍ୟବସ୍ଥା ରଖିଛନ୍ତି, ତାହାକୁ ଖୁବ୍ଶୀଘ୍ର ଓଡ଼ିଶାକୁ ପ୍ରଦାନ କରିବାକୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମୁଁ କହିବା ସହିତ ସମବାୟ ବ୍ୟାଙ୍କର କମ୍ପ୍ୟୁଟରୀକରଣ କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛି। ବୀମା କମ୍ପାନୀମାନଙ୍କ ଦାୟିତ୍ୱବୋଧର ଘୋର ଅଭାବ କାରଣରୁ ଚାଷୀ ଓ ସମବାୟ ହିତାଧିକାରୀମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ସଙ୍କଟର ମୁକାବିଲା
କରିବାକୁ କେନ୍ଦ୍ର କୃଷି ଓ ସମବାୟ ମନ୍ତ୍ରୀ ଉଭୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ପରସ୍ପର ଆଲୋଚନା କରିବାର ଦାୟିତ୍ୱ ରହିଛି। ଏଥିପ୍ରତି ବିଶେଷ ଦୃଷ୍ଟିଦେବାକୁ ମଧ୍ୟ ମୁଁ ଶ୍ରୀ ଶାହାଙ୍କ ନିକଟରେ ଦାବି କରିଛି ବୋଲି ସମ୍ମିଳନୀ ପରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।

Comments are closed.