ରାଜସୁନାଖଳା ମହୋତ୍ସବରେ କବି ଭକ୍ତଚରଣ ଦିବସ ପାଳିତ

ବୋଲଗଡ଼: ରାଜସୁନାଖଳା ମହୋତ୍ସବ ତୃତୀୟ ଦିବସରେ କାଉଁରୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏ ମାଟିର ସନ୍ଥକବି ଭକ୍ତଚରଣ ଦାସଙ୍କ ଉଦେଶ୍ୟରେ ସମର୍ପିତ କବି ସମ୍ମିଳନୀ ଓ ସାହିତ୍ୟ ଆଲୋଚନାଚକ୍ର ମନୋଜ କୁମାର ଗୁମାନସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯଅତିଥି ଭାବରେ ଅଧ୍ୟାପକ ବୈରାଗୀ ଚରଣ ପଟ୍ଟନାୟକ ଯୋଗଦେଇ ରୀତିଯୁଗୀୟ କବି ଭକ୍ତଚରଣଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ତଥା ତାଙ୍କର ଜନ୍ମସ୍ଥାନ ରାଜସୁନାଖଳା ସନ୍ନିକଟ ଖୋର୍ଦ୍ଧା ଜିଲ୍ଲାର ସାନପଦର ଗ୍ରାମରେ ଜନ୍ମହୋଇ ଗୌଡୀୟ ବୈଷ୍ଣବ ସନ୍ନ୍ୟାସ ଧର୍ମରେ ଦୀକ୍ଷିତ ହୋଇ ବୈରାଗୀ ଚରଣ ପଟ୍ଟନାୟକରୁ ଭକ୍ତଚରଣ ଦାସ ଭାବରେ ପରିଚିତି ଲାଭ କରିଥିଲେ।

prayash

ସେ ରାଜସୁନାଖଳାରେ ଠାକୁର ବୃନ୍ଦାବନଚନ୍ଦ୍ରଙ୍କୁ ମଠରେ ସ୍ଥାପନ କରି ଦିନରେ ବୁଲି ବୁଲି ଚେରମୂଳି ଦେଇ ରୋଗୀସେବା କରୁଥୁଲେ। ରାତିରେ କୃଷ୍ଣ ପଦାବଳୀ ମଥୁରାମଙ୍ଗଳ ଲେଖୁଥିଲେ। ମୁଖ୍ଯବକ୍ତା ଭାବରେ ଡକ୍ଟର ଗଣେଶ୍ବର ସ୍ବାଇଁ ଯୋଗଦେଇ ସୁନା ଶୁଖୁଆର ଖଳା ରାଜସୁନାଖଳା କବି ଭକ୍ତଚରଣଙ୍କ ମନବୋଧ ଚଉତିଶା ରୂପକ ବୈରାଗ୍ୟ ପ୍ରଚୋଦକ କବିତା ଶଙ୍କରାଚାର୍ଯ୍ୟ ମୋହମ୍ମଦ ସହ ସମାନ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ଶ୍ରୀକାନ୍ତ କୁମାର ନାୟକ ଯୋଗଦେଇ କହିଥିଲେ, ଭକ୍ତଚରଣଙ୍କ ସରଳ ସାବଲୀଳ ଭାବ ଗମ୍ଭୀର ରଚନା ସମଗ୍ର ଓଡ଼ିଶାର ଚାହାଳି ପାଠ୍ୟକ୍ରମରେ ଥିଲା।

ପୁନଶ୍ଚ ତାଙ୍କ ଗ୍ରାମର ସମସାମୟିକ କବି ଦନେଇ ଦାସଙ୍କ ସରଳ ତରଳ କୃଷ୍ଣକାବ୍ୟ ଗୋପୀଭାଷା ମଧ୍ଯ ଚାଟଶାଳୀ ପାଠରେ ସ୍ଥାନ ପାଇଥିଲା। କବି ସମ୍ମିଳନୀ ପ୍ରାରମ୍ଭରେ ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁ ଭକ୍ତଚରଣଙ୍କ ମଥୁରାମଙ୍ଗଳର ପ୍ରଥମ ବନ୍ଦନା ‘ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର’ ଛାନ୍ଦ ଗାଇଥିଲେ। ଯୁବକବି, ନାଟ୍ୟକାର ଦିଲ୍ଲୀପ କୁମାର ମହାନ୍ତି କବିତା ସଂଯୋଜନା କରିଥିଲେ। ମହୋତ୍ସବର ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଅତିଥିମାନଙ୍କୁ ପ୍ରୀତି ଉପହାର ଓ ଉପାୟନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାଉଁରୀ ସାହିତ୍ୟ ସଂସଦର ସଂପାଦକ ପ୍ରଦୀପ କୁମାର ରଣା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।

Comments are closed.