www.samajalive.in
Tuesday, December 9, 2025
17.1 C
Bhubaneswar

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ, ସେମାନଙ୍କର ପରିବାର ବର୍ଗ ଓ ବନ୍ଧୁପରିଜନଙ୍କ ସହିତ ସକାଳୁ ଆସି ସାମିଲ ହୋଇଥିବାର ଦେଖା ଯାଇଥିଲା। ପୂର୍ଣ୍ଣିମା ଉପଲକ୍ଷେ ବୋଇତ ବନ୍ଦାଣର ସ୍ଥଳ ମନ୍ଦିର ପାର୍ଶ୍ୱବର୍ତ୍ତୀ ଫୁଆରାର ଚାରିପଟ ଏବଂ ସମ୍ପୂର୍ଣ୍ଣ ମନ୍ଦିର ବେଢାକୁ ଖୁବ୍ ସୁନ୍ଦର ଭାବେ ସଜାଯାଇଥିଲା। ସମଗ୍ର ପରିବେଶ ଅତ୍ୟନ୍ତ ଭକ୍ତିପୁତ ଓ ବେଶ ଉତ୍ସବମୁଖର ହୋଇପଡ଼ିଥିଲା। ଦର୍ଶକମାନଙ୍କ ମଧ୍ୟରେ ବୋଇତ ଭସାଣକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପ୍ରକାଶ ପାଇଥିଲା। ବଡ଼ି ଭୋରରୁ ପୂଜକମାନେ ମୁଖ୍ୟ ମନ୍ଦିର ମଧ୍ୟରେ ଚାରି ଦିଅଁଙ୍କ ସାମ୍ନାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହାପରେ ଫୁଆରାର ପୋଖରୀ କୂଳରେ ଭାସମାନ ଥିବା ସୁନ୍ଦର ଓ ସୁସଜ୍ଜିତ ବୋଇତଟିକୁ ପୂଜା କରାଯାଇଥିଲା। ଉପସ୍ଥିତ ମହିଳାମାନେ ବୋଇତର ବନ୍ଦାପନା କରିଥିଲେ।

ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ଆୟୋଜକ ତଥା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନଙ୍କର ତତ୍ତ୍ୱାବଧାନରେ ଆଗନ୍ତୁକ ଅତିଥିମାନଙ୍କ ଦ୍ୱାରା ପାରମ୍ପରିକ ଢଙ୍ଗରେ ‘ଆ-କା-ମା-ବୈ’ ଧ୍ୱନୀ ଉଚ୍ଚାରଣ କରାଯିବା ସହିତ ସୁଶୋଭିତ ବୋଇତ ଭସାଣ କରାଯାଇଥିଲା। ସମଗ୍ର ଗଗନ ପବନ ହରିବୋଲ, ହୁଳହୁଳି ଏବଂ ଶଙ୍ଖଧ୍ବନୀ, ଭଜନ-କୀର୍ତ୍ତନର ସୁଲଳିତ ସ୍ୱର ଝଙ୍କାର ତଥା ଘଣ୍ଟ, ଝାଞ୍ଜ ଓ ମୃଦଙ୍ଗ ଆଦି ବାଦ୍ୟର ଘର୍ଘର ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା। ଓଡ଼ିଆ ଜାତିର ମାନ, ସମ୍ମାନ ଓ ସ୍ୱାଭିମାନର ପ୍ରତୀକ ବୋଇତଟି ଫୁଆରାର ଚତୁଃପାର୍ଶ୍ୱରେ ପରିଭ୍ରମଣ କରିବାର ଦୃଶ୍ୟ ବେଶ୍ ଅନନ୍ୟ ଓ ଅବିସ୍ମରଣୀୟ ଥିଲା। ଅତୀତରେ ଓଡ଼ିଶାର ସାଧବ ପୁଅମାନେ ସୁଦୂର ଜାଭା, ସୁମାତ୍ରା, ବାଲି ଓ ବୋର୍ଣ୍ଣିଓ ଆଦି ଦ୍ବୀପକୁ ବେପାର ବଣିଜ ପାଇଁ ଯାତ୍ରା କରୁଥିବାର ସାଙ୍କେତିକ ଝଲକ ଏଠାରେ ମିଳିଥିଲା। ଓଡ଼ିଶାର ନୌବାଣିଜ୍ୟର ସ୍ୱର୍ଣ୍ଣାଭ ଇତିହାସ, ଗୌରବମୟ ପରମ୍ପରା ଏବଂ ମହାନ ସାଂସ୍କୃତିକ ଐତିହ୍ୟର ଅପୂର୍ବ ରୂପାୟନ ଉପସ୍ଥିତ ଦେଖଣାହାରୀମାନଙ୍କୁ ଅଭିଭୂତ କରିଥିଲା।

- Advertisement -

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ମଥୁରାରୁ ଆସିଥିବା ବିଶିଷ୍ଟ ଗାୟକ ଜେ.ଏସ୍.ଆର. ମଧୁକର ଓ ସାଥୀଙ୍କର ସୁମଧୁର ଭଜନ ପରିବେଷଣ। ଉଦୀୟମାନ କଣ୍ଠଶିଳ୍ପୀ ପ୍ରିୟାଂଶୀ ଜେନାଙ୍କର ସଙ୍ଗୀତ ଗାୟନ ମଧ୍ୟ ଉଚ୍ଚକୋଟିର ଥିଲା। ସୁନାମଧନ୍ୟ ଓଡ଼ିଶୀ ଗୁରୁ ନିତ୍ୟାନନ୍ଦ ଦାସଙ୍କର ଶିଷ୍ୟ ଓ ଶିଷ୍ୟାମାନଙ୍କ ଦ୍ୱାରା କାର୍ତ୍ତିକ ପୂର୍ଣ୍ଣିମାକୁ ଆଧାର କରି ମଞ୍ଚସ୍ଥ ନୃତ୍ୟ ଅଭିନୟ ବେଶ୍ ଭାବୋଦ୍ଦୀପକ ଥିଲା ଏବଂ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। କାର୍ଯ୍ୟକ୍ରମକୁ ସ୍ୱର୍ଣ୍ଣପ୍ରଭା ପତି ସୁଚାରୁ ରୂପେ ସଞ୍ଚାଳନା କରିଥିଲେ।

ଏହି ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ତରଫରୁ ସ୍ୱାଦିଷ୍ଟ ହବିଷ ପ୍ରସାଦ ପରଷା ଯାଇଥିଲା। ସମଗ୍ର ବୋଇତ ବନ୍ଦାଣ ଉତ୍ସବକୁ ସଫଳତାର ସହିତ ଆୟୋଜନ କରିବାରେ ଶ୍ରୀ ନୀଳାଚଳ ସେବାସଙ୍ଘର ସଭାପତି ବିଘ୍ନେଶ୍ୱର ରାଉତ, ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଗଜେନ୍ଦ୍ର ସାମନ୍ତ, ଅଶୋକ ପ୍ରଧାନ(କ), ପଙ୍କଜ ମହାନ୍ତି, କ୍ଷୀରୋଦ ପାତ୍ର, ଅଜୟ ପ୍ରଧାନ, ଅଶୋକ ପ୍ରଧାନ(ଖ), ଅମୂଲ୍ୟ ଓଝା ଏବଂ ମନ୍ଦିରର ପରିଚାଳକ ରଶ୍ମି ରଞ୍ଜନ ବେହେରା ତଥା ସହ ପରିଚାଳକ ଶଶିକାନ୍ତ ସାହୁ, ଏବଂ ଦେବବ୍ରତ ମିଶ୍ର ପ୍ରମୁଖଙ୍କ ଭୂମିକା ବେଶ୍ ଉଲ୍ଲେଖଯୋଗ୍ୟ ଥିଲା। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ୍ ସଚିବ ବିଜୟ କୁମାର ନାୟକ, ଡଃ ସରୋଜ କୁମାର ଜେନା ଓ ରାଘବ ଦାଶ ପ୍ରମୁଖ ସାମିଲ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories