ଯୋଗୀ ବେଶରେ ଦର୍ଶନ ଦେଲେ ପ୍ରଭୁ ଧବଳେଶ୍ଵର, ଦେଢ଼ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

ଗୁରୁଡିଝାଟିଆ: ପଞ୍ଚକ ଯାତ୍ରାର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରଭୁ ଧବଳେଶ୍ୱର ଯୋଗୀବେଶରେ ଦର୍ଶନ ଦେଇଛନ୍ତି। ପ୍ରାୟ ଦେଢ଼ ଲକ୍ଷ ଶ୍ରଦ୍ଧାଳୁ ପ୍ରଭୁଙ୍କ ଏହି ବେଶ ଦର୍ଶନ କରିଛନ୍ତି। ପୀଠରେ ଧବଳେଶ୍ଵରଙ୍କ ଦର୍ଶନ ଓ ଗଜଭୋଗ ନେବା ପାଇଁ ଶୁକ୍ରବାର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ଘଣ୍ଟାଘଣ୍ଟା ଧରି ଠିଆ ହୋଇ ଦର୍ଶନ କରିଥିଲେ। ଗତ ବୁଧବାର ବଡ଼ସିଂହାର ଏବଂ ଗୁରୁବାର ହରିହର ବେଶ ହୋଇଥିଲା। ରାତି ୩ଟାରୁ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ଭିଡ ଏତେ ଅସମ୍ଭାଳ ହୋଇଥିଲା ଯେ ବରିଷ୍ଠ ପୁଲିସ ଅଧିକାରୀମାନେ ଦିନତମାମ ପୀଠରେ ରହି ସ୍ଥିତି ନିୟନ୍ତ୍ରଣ କରିଥିଲେ। ପ୍ରଶାସନ ପକ୍ଷରୁ ଗତକାଲି ରାତ୍ରିଯାପନ କରିଥିବା ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଲବ୍ଧ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଭୋରୁ ରାତ୍ରୀ ଉଜାଗର ହୋଇ ପୀଠରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନେ ମହାନଦୀରେ ଡଙ୍ଗା ଭସାଇବା ସହ ଗଜଭୋଗ ନେଇ ପ୍ରତ୍ୟାବର୍ତ୍ତନ କରିଥିଲେ। ଶାନ୍ତି ଶୃଙ୍ଖଳାର ସହିତ ପ୍ରଭୁଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ସମ୍ପନ୍ନ ହୋଇଥିବାରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଓ ଆଠଗଡ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ନିୟୋଜିତ ସମସ୍ତ କର୍ମଚାରୀ, ଆରକ୍ଷୀ, ସ୍ୱେଚ୍ଛାସେବୀ ଓ ଶ୍ରଦ୍ଧାଳୁଙ୍କୁ କୃତଜ୍ଞତା ଜଣାଇଛନ୍ତି।\

ଅନନ୍ତଗୋପାଳ ଭକ୍ତସମାଜର ନିସ୍ୱାର୍ଥପର ସେବା

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନନ୍ତଗୋପାଳ ଭକ୍ତ ସେବା ସଂଘର ପ୍ରାୟ ୪୫୦ ସ୍ୱେଚ୍ଛାସେବୀ ଆସି ସେବା ଯୋଗାଇଥିଲେ। ସେମାନେ କୁଢ଼ କୁମ ଅଳିଆ ଆବର୍ଜନା ସଫା କରିଥିଲେ। ସ୍ଵେଚ୍ଛାସେବୀମାନଙ୍କ ମଧ୍ୟରେ ଅନେକେ ଯନ୍ତ୍ରୀ, ଡାକ୍ତର ଏବଂ ଶିକ୍ଷକ ଥିବା ସତ୍ବେ ନିଃସ୍ଵାର୍ଥପର ସେବା ମନୋଭାବ ରଖି ସେମାନେ ଅଳିଆ ଆବର୍ଜନା ସଫା କରି ପୀଠକୁ  ସଫାସୁତରା ରଖିବାକୁ ପ୍ରୟାସ କରିଥିଲେ।

୨ ଲକ୍ଷ ପାଣି ବୋତଲ ବାଣ୍ଟିଲା ଟ୍ରକ ମାଲିକ ସଂଘ

ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷା ଯାତ୍ରାରେ ଆଗନ୍ତୁକ ଶ୍ରଦ୍ଧାଳୁଙ୍କ ତୃଷା ମେଣ୍ଟାଇବା ଲାଗି ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘ ପାନୀୟଜଳ ବଣ୍ଟନ କରିଥିଲା। ୪ଦିନ ହେଲା ନିରବଚ୍ଛିନ୍ନ ଭାବେ ଟ୍ରକ ମାଲିକ ସଂଘର ସଭାପତି ମନୋଜ କୁମାର ମିଶ୍ର ଓ ସାଧାରଣ ସଂପାଦକ ଅଶୋକ କୁମାର ସାମନ୍ତରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବଂଶୀଧର ବେହେରା, ଶରତ କୁମାର ସାହୁ ଓ ସଦସ୍ୟମାନେ ଉପସ୍ଥିତ ରହି ପାନୀୟଜଳ ବଣ୍ଟନ କରିଥିଲେ। ସଂଘ ପକ୍ଷରୁ ପ୍ରାୟ ୨ଲକ୍ଷ ବୋତଲ ପାଣି ଶ୍ରଦ୍ଧାଳୁ, ପୁଲିସ କର୍ମଚାରୀ ଓ ସେବାକାର୍ଯ୍ୟରେ ନିୟୋଜିତ ସ୍ୱେଚ୍ଛାସେବୀଙ୍କୁ ପ୍ରଦାନ କରାଯାଇଛି।

ଦିବ୍ୟାଙ୍ଗଙ୍କୁ ସାହା ହେଲେ ସ୍ୱେଚ୍ଛାସେବୀ

ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ଦୁରଦୂରାନ୍ତରୁ ଭକ୍ତମାନେ ଛୁଟିଆସିଥିଲେ। ପ୍ରଭୁଙ୍କୁ ଚର୍ମଚକ୍ଷୁରେ ଟିକେ ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ବ୍ୟାକୁଳ ଥିଲେ। ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗମାନେ ଦର୍ଶନ ସମୟରେ ଅସୁବିଧା ଭୋଗୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଠଗଡର ଜଷ୍ଟ ଫର ୟୁ ସ୍ୱେଚ୍ଛାସେବୀ ସଦସ୍ୟମାନେ ଖୋଜିଖୋଜି ଦିବ୍ୟାଙ୍ଗ ଓ ବୟସ୍କ ଲୋକମାନଙ୍କୁ ସହାୟତା ପ୍ରଦାନ କରିଥିଲେ।

Comments are closed.