୫ ମେୟର ଓ ୧୩୦ କର୍ପୋରେଟ ଆଶାୟୀଙ୍କ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ୫ମ ଦିବସ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି) ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ୱାର୍ଡର କର୍ପୋରେଟର ପଦବୀ ପାଇଁ ଆଜି ଆଉ ୯୦ଜଣ ପ୍ରାର୍ଥୀ ମନୋନୟନ ପତ୍ର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ଦାଖଲ କରିଛନ୍ତି। ଗତକାଲି ସୁଦ୍ଧା ୪୦ ଜଣ ପ୍ରାର୍ଥୀ ବିଭିନ୍ନ ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ ୧୩୦ଜଣ ପ୍ରାର୍ଥୀ କର୍ପୋରେଟର ପାଇଁ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଆଜି ମେୟର ପଦବୀ ପାଇଁ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗତକାଲି ଜଣେ ପ୍ରାର୍ଥୀ ମେୟର ପଦବୀ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ। ଏଣୁ ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ସଂଖ୍ୟା ଆଜିସୁଦ୍ଧା ୫ରେ ପହଞ୍ଚିଛି। ଆଜି ମେୟର ପଦବୀ ପାଇଁ ଆଉ ୭ଟି ଫର୍ମ ବିକ୍ରି ହୋଇଛି। ତେବେ ମେୟର ପ୍ରାର୍ଥୀ ପାଇଁ ଆଜି ସୁଦ୍ଧା ମୋଟ ୩୦ଟି ଫର୍ମ ବିକ୍ରି ହୋଇଛି ।
ଗତକାଲି ସୁଦ୍ଧା ବିଭିନ୍ନ ୱାର୍ଡର କର୍ପୋରେଟର ପଦବୀ ପାଇଁ ୭୧୩ଟି ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ଆଉ୭୯ଟି ଫର୍ମ ପ୍ରାର୍ଥୀମାନେ ନେଇଛନ୍ତି। ଆଜି ସୁଦ୍ଧା ସର୍ବୋମୋଟ ୭୯୨ଟି ଫର୍ମ କର୍ପୋରେଟର ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ନେଇଛନ୍ତି। ମେୟର ତଥା କର୍ପୋରେଟର ପାଇଁ ଆସନ୍ତାକାଲି ୭ ତାରିଖ ଶେଷ ଦିନ ହୋଇଥିବା ବେଳେ ଆଜି ମନୋନୟନ ପତ୍ର ଦାଖଲ ୫ମ ଦିନରେ କେନ୍ଦ୍ରରେ ଗହଳି ପରିଲକ୍ଷିତ ହୋଇଥିଲା। ତେବେ ଅତିରିକ୍ତ ଜିଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁପ୍ର ତ୍ୟକ କାର୍ଯ୍ୟକୁ ତଦାରଖ କରି ମନୋନୟନ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ। ତତସହିତ କମିଶନରେଟ୍ ପୁଲିସ୍ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଫଳରେ ଟ୍ରାଫିକ୍ ବ୍ୟବସ୍ଥା ଓ ଜନ ଗହଳିକୁ ସୁନିୟନ୍ତ୍ରିତ କରାଯାଇପାରିଥିଲା।

Comments are closed.