ପ୍ରତିଷ୍ଠା ଦିବସରୁ ପ୍ରଚାର ଆରମ୍ଭ କରିବ ବିଜେପି

0

ମୁମ୍ବଇ : ଆସନ୍ତା ଶୁକ୍ରବାର ବିଜେପି ତାର ୩୮ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏହି ପ୍ରତିଷ୍ଠା ଦିବସରୁ ବିଜେପି ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିବ। ବୁଧବାର ବିଜେପିର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଏହି ପ୍ରତିଷ୍ଠା ଦିବସ ତଥା ପ୍ରଚାର ଅଭିଯାନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ନୀତିନ ଗଡକରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ମହାରାଷ୍ଟ୍ର ରାଜ୍ୟ ବିଜେପି ସଭାପତି ରାଓସାହେବ ଦାନଭେ ପାଟିଲ ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ। ପାଟିଲଙ୍କ କହିବା ଅନୁଯାୟୀ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ ଓ ତାମିଲନାଡୁରୁ ୩ଲକ୍ଷର ଅଧିକ କର୍ମୀ ଯୋଗଦେବେ। ଏହି କାର୍ଯ୍ୟକ୍ରମ କ’ଣ ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଚାର ଆରମ୍ଭ କି ପ୍ରଶ୍ନ ଉତ୍ତରରେ ପାଟିଲ କହିଛନ୍ତି ଯେ ହଁ; ଏହା ଦଳର ପ୍ରଚାର ଅଭିଯାନ ଆରମ୍ଭ।
ଗୁରୁବାର ଅମିତ ଶାହା ମୁମ୍ବଇରେ ପହଞ୍ଚିବେ ଓ ଦଳର କୋର କମିଟି ନେତାଙ୍କ ସହ ଆଲୋଚନା କରିବେ। ଶୁକ୍ରବାର ସନ୍ଧ୍ୟାରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଗ୍ରାଉଣ୍ଡରେ ଦଳ କର୍ମୀଙ୍କୁ ସମ୍ବୋଧନ କରିବେ। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୦୦ରୁ ୩୨୫ଟି ବୁଥ୍‌ ରହିଛି। ୨୦୧୪ ଲୋକସଭା ନିର୍ବାଚନ ପରେ ବିଜେପି ପ୍ରାୟ ସମସ୍ତ ବୁଥରେ ନିଜର ଉପସ୍ଥିତିକୁ ଜାହିର କରିସାରିଲାଣି। ପାଟିଲ କହିଛନ୍ତି ଯେ ୮୦ହଜାର ବୁଥ୍‌ ମୁଖ୍ୟ, ୫ହଜାର ସରପଞ୍ଚ, ପୌରପରିଷଦ ମୁଖ୍ୟ ସମସ୍ତ ବିଧାୟକ ଓ ସାଂସଦ ଏବଂ ଜିଲା ସଭାପତି ସମାବେଶ ସ୍ଥଳରେ ପହଞ୍ଚି ଆୟୋଜନ କାର୍ଯ୍ୟ ତଦାରଖ କରୁଛନ୍ତି। ଅନ୍ୟ କର୍ମୀମାନଙ୍କୁ ଆଣିବା ଲାଗି ୫୦ହଜାର ବସ୍‌, ୨୮ଟି ସ୍ୱତନ୍ତ୍ର ଟ୍ରେନ ଓ ଅନ୍ୟାନ୍ୟ ଗାଡିର ବ୍ୟବସ୍ଥା କରାଯାଇଛି।

Leave A Reply