ବହୁମତ ସାବ୍ୟସ୍ତ କରିବାକୁ ବିଜେପି ପାଖରେ କେବଳ ୪ ବିକଳ୍ପ

0

ବେଙ୍ଗାଲୁରୁ: କର୍ଣ୍ଣାଟକରେ ୧୦୪ ଆସନରେ ବିଜୟୀ ବିଜେପି ପାଇଁ ବହୁବତ ସାବ୍ୟସ୍ତ କରିବାକୁ ଆହୁରି ୭ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ବିଜେପିକୁ ୧୫ଦିନ ସମୟ ଦେଇଥିବାବେଳେ ସୁପ୍ରିମ କୋର୍ଟ ଏହାକୁ କମାଇ ଗୋଟିଏ ଦିନ କରି ଦେଇଛି। ଏଭଳି ପରିସ୍ଥିତିରେ ବିଜେପି କିପରି ୭ଜଣ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

କର୍ଣ୍ଣାଟକରେ ମୋଟ୍‍ ୨୨୪ଟି ଆସନ ମଧ୍ୟରୁ ୨୨୨ଟିରେ ନିର୍ବାଚନ ହୋଇଥିଲା। ଜେଡିଏସର କୁମାର ସ୍ୱାମୀ ୨ଟି ଆସନ ଜିତିଛନ୍ତି। ଫଳରେ ମୋଟ୍‍ ବିଧାୟକଙ୍କ ସଂଖ୍ୟା ୨୨୧ରେ ପହଞ୍ଚିଛି। ଫଳରେ ମ୍ୟାଜିକ ନମ୍ବର ୧୧୧ରେ ସୀମିତ ରହିଛି। ବିଜେପି ପାଖରେ ୧୦୪ଜଣ ବିଧାୟକ ରହିଛନ୍ତି। ଅଥଚ କଂଗ୍ରେସ ପାଖରେ ୭୮ ଓ ଜେଡିଏସ ପାଖରେ ୩୭ବିଧାୟକ ରହିଛନ୍ତି। ଏହା ବ୍ୟତୀତ ୨ ନିର୍ଦଳୀୟ ବିଧାୟକ ମଧ୍ୟ ରହିଛନ୍ତି। ଫଳରେ ୟଦୁରପ୍ପା ସରକାରଙ୍କୁ ବହୁବତ ସାବ୍ୟସ୍ତ କରିବାକୁ ୭ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି।

ପ୍ରଥମ ବିକଳ୍ପ: ଯଦି କଂଗ୍ରେସ ଓ ଜେଡିଏସ୍‍ ମେଣ୍ଟରେ ସାମିଲ ଥିବା ୧୪ ବିଧାୟକ ଇସ୍ତଫା ଦିଅନ୍ତି ତେବେ, ବିଧାନସଭାରେ ମୋଟ୍‍ ବିଧାୟକ ସଂଖ୍ୟା ୨୨୧ରୁ କମି ୨୦୭ ହୋଇଯିବ। ଏହା ଦ୍ୱାରା ବିଜେପିର ୧୦୪ଟି ଆସନରେ ବହୁମତ ସାବ୍ୟସ୍ତ କରିବା ସମ୍ଭବ ହେବ।

ଦ୍ୱିତୀୟ ବିକଳ୍ପ: ଯଦି କଂଗ୍ରେସ ଓ ଜେଡିଏସ୍‍ର ୧୪ ବିଧାୟକ ଭୋଟିଂ ସମୟରେ ବିଧାନସଭାରେ ଅନୁପସ୍ଥିତ ରହିବେ। ଏହା ଦ୍ୱାରା ମଧ୍ୟ ବିଜେପି ୧୦୪ବିଧାୟକଙ୍କୁ ନେଇ ବହୁବତ ସାବ୍ୟସ୍ତ କରିପାରିବ।

ତୃତୀୟ ବିକଳ୍ପ: କଂଗ୍ରେସ ଓ ଜେଡିଏସର ୭ ବିଧାୟକ ଯଦି ବିଜେପି ସପକ୍ଷରେ ଭୋଟ ଦିଅନ୍ତି ତେବେ ମଧ୍ୟ ୟଦୁରପ୍ପାଙ୍କ ସମର୍ଥନ ୧୦୪ରୁ ବଢି ୧୧୧ ହୋଇଯିବ। ଫଳରେ ତାଙ୍କୁ ବହୁମତ ମିଳିଯିବ। ତେବେ ବିଜେପିକୁ ଭୋଟ୍‍ ଦେଇଥିବା କଂଗ୍ରେସ ଓ ଜେଡିଏସ୍‍ ବିଧାୟକଙ୍କ ସଦସ୍ୟତା ବାତିଲ ହୋଇଯିବ।

ଚତୁର୍ଥ ବିକଳ୍ପ: ଯଦି ବିଜେପି, କଂଗ୍ରେସ ଓ ଜେଡିଏସର ୨ ତୃତୀୟାଂଶ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିନିଏ ତେବେ ଦଳ ବଦଳ ନିୟମରୁ ରକ୍ଷା ପାଇଯିବେ। ଏଥିପାଇଁ କଂଗ୍ରେସର ୫୨ ଓ ଜେଡିଏସର ୨୬ବିଧାୟକଙ୍କ ସମ୍ମତି ନେବାକୁ ପଡ଼ିବ।
ଉପରୋକ୍ତ ବିକଳ୍ପ ମଧ୍ୟରୁ କର୍ଣ୍ଣାଟକରେ ୟଦୁରପ୍ପା ସରକାର କେଉଁ ବିକଳ୍ପକୁ କାର୍ଯ୍ୟକାରୀ କରୁଛନ୍ତି ତାହା ଅପରାହ୍ନ ସୁଧା ସ୍ପଷ୍ଟ ହୋଇଯିବ। ନଚେତ୍‍ ବିଜେପି ବହୁମତ ସାବ୍ୟସ୍ତରେ ବିଫଳ ହେବାରୁ କଂଗ୍ରେସ ଓ ଜେଡିଏସକୁ ଶକ୍ତି ପ୍ରଦର୍ଶନ କରିବାକୁ ସୁଯୋଗ ଦେବାକୁ ପଡ଼ିବ।

Leave A Reply