ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ‘ସେ ଥିଲେ ଓଡ଼ିଶାର ବ୍ରୋଞ୍ଜ ମୂର୍ତ୍ତିର ଜନକ’
ଭୁବନେଶ୍ୱର: ଆଜି ପ୍ରଖ୍ୟାତ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ୯୬ତମ ଜୟନ୍ତୀ ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏକାଡ଼େମୀ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ତଥା ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ଦାସ ଓ ବିପ୍ରଚରଣ ମହାନ୍ତିଙ୍କ ଜ୍ୟେଷ୍ଠ ପୁତ୍ର କ୍ୟାପଟେନ ଧୀରେନ୍ଦ୍ର ମହାନ୍ତି ଅତିଥି ରୂପେ ଯୋଗଦେଇ ଶିଳ୍ପୀଙ୍କ କଳାକୃତି ଓ ଜୀବନ ଦର୍ଶନ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ଦ୍ୱାରା ନିର୍ମିତ ଶୈଳବାଳା ମହିଳା ମହାବିଦ୍ୟଳୟରେ ସ୍ଥାପନ କରାଯାଇଥିବା ମଧୁବାବୁଙ୍କର ପ୍ରତିମୂର୍ତ୍ତି ଓଡ଼ିଶାର ପ୍ରଥମ ପୂର୍ଣାବୟବ ପ୍ରତିମୂର୍ତ୍ତି । ସେ ଓଡ଼ିଶାରେ ବ୍ରୋଞ୍ଜ ମୂର୍ତ୍ତି ନିର୍ମାଣର ଜନକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ତାଙ୍କ ଦ୍ୱାରା ନିର୍ମିତ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସଂସଦ ଭବନରେ ସ୍ଥାପନ ଅବସରରେ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।
ଏହି ଅବସରରେ ଶିଳ୍ପୀଙ୍କ କନିଷ୍ଠ ପୁତ୍ର ବାଦଲ ମହାନ୍ତି, ଖଲ୍ଲିିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ କୁମାର ମଲ୍ଲିକ, ଶିଳ୍ପୀ ଅମର ଜେନା, ଅତୋସୀ ବସୁ, ମୀନକେତନ ପଟ୍ଟନାୟକ, ଚନ୍ଦନ କୁମାର ସାମଲ, ସୁଶାନ୍ତ କୁମାର ସିଂସାମନ୍ତ ଏବଂ ଅନେକ ଶିଳ୍ପୀ ଓ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭାସ୍କର୍ଯ୍ୟ କଳାର ବିନ୍ଧାଣୀ ବିପ୍ରଚରଣ ମହାନ୍ତିଙ୍କ ଜୀବନୀ ଓ ତାଙ୍କର ନିଖୁଣ ପ୍ରତିମୂର୍ତ୍ତି ନିର୍ମାଣ ଆଗାମୀ ଯୁବଶିଳ୍ପୀଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା ।
Comments are closed.