ବିନିକା ତହସିଲ ରେକର୍ଡ଼ରୁମରେ ଅବ୍ୟବସ୍ଥା : ପ୍ରଶାସନ ନୀରବ
ସମ୍ମୁଖରେ ନାନା ପ୍ରକାର ଅଳିଆ ଆବର୍ଜନା, ମୁଖଶାଳା ଛାତରେ ତିନି ଦିନ ହେଲା ଢ଼ଳି ପଡ଼ିଛି ଗଛ
ବିନିକା : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ତହସିଲ କାର୍ଯ୍ୟାଳୟରେ ନାନା ପ୍ରକାର ଅବ୍ୟବସ୍ଥା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏପରି ସ୍ଥିତିରେ ଦୀର୍ଘଦିନ ହେଲା ବର୍ଷା ସମୟରେ ରେକର୍ଡ଼ରୁମ ଫାଟକ ଛାତ ଆଗରେ ଢ଼ଳି ପଡ଼ିଥିବା ଏକ ଗଛକୁ ନେଇ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ରେକର୍ଡ଼ରୁମ ସମ୍ମୁଖ ମୁଖ୍ୟ ଫାଟକ ଛାତ ଉପରେ ଗଛ ଭାଙ୍ଗି ପଡ଼ି ରହିଥିଲେ ମଧ୍ୟ ଏହାର ସୁଧାର ନେଇ ଆଦୌ କୌଣସି ଆନ୍ତରିକତା ପ୍ରକାଶ କରୁ ନଥିବାରୁ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି । ଗତ ୩ ଦିନ ମଧ୍ୟରେ ବିଳମ୍ବିତ ରାତିରେ ହୋଇଥିବା ପ୍ରବଳ ବର୍ଷା ଓ ପବନ ପ୍ରକୋପରେ ଗଛ ଡ଼ାଳ ଭାଙ୍ଗି ରେକର୍ଡ଼ରୁମ (ମହାଫିସ ଖାନା)ର ମୁଖ୍ୟ ଫାଟକ ଛାତ ଉପରେ ପଡ଼ି ରହିଥିବାରୁ ଅଫିସ ପରିସରକୁ ଶ୍ରୀହୀନ କରୁଛି । ତେବେ ସମସ୍ୟା ସମ୍ପର୍କରେ ବିନିକା ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ସମେତ ବିନିକା ଗସ୍ତରେ ଆସିଥିବା ଅତିରିକ୍ତ ଜିଲ୍ଲାପାଳ ଦେଖିଛନ୍ତି । କିନ୍ତୁ ଏସବୁ ଭିତରେ ଆଜି ପର୍ଯ୍ୟନ୍ତ ଫାଟକ ଛାତ ପଡ଼ିଥିବା ଗଛ ଡାଳ ହଟୁ ନଥିବାରୁ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରା ଯାଉଛି । ତେଣୁ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହେଉଛି।
Comments are closed.