ବିହାରରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି:୨ ଦିନରେ ଗଲାଣି ୨୫ ଜୀବନ, ୧୫ଜିଲାରେ ରେଡ ଆଲର୍ଟ ଜାରି
ପାଟନା: ବିହାରରେ ବର୍ଷା ଓ ବନ୍ୟା ବିତ୍ପାତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ବର୍ଷା ବନ୍ୟାଜନିତ ଦୁର୍ଘଟଣାରେ ଦୁଇ ଦିନ ମଧ୍ୟରେ ୨୫ଜଣଙ୍କ ପ୍ରାଣହାନି ଘଟିଛି। ଭାଗଲପୁରରେ ଘର କାନ୍ଥ ଭୁଶୁଡ଼ି ପରିବାରର ୩ଜଣ ପ୍ରାଣ ହରାଇଛନ୍ତି। ଖାଗାଉଲଠାରେ ଅଟୋ ରିକ୍ସା ଉପରେ ଗଛ ପଡ଼ି ଯିବାରୁ ୪ଜଣ ପ୍ରାଣ ହରାଇଛନ୍ତି। ସେହିପରି ପାଟନା ହନୁମାନ ଘାଟଠାରେ କାନ୍ଥ ପଡ଼ି ୪ ଓ ଖଞ୍ଜାପୁରଠାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ପାଟନା ରାସ୍ତାରେ ଡଙ୍ଗା ଚାଲୁଥିଲାବେଳେ ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲ ଭିତରେ ପାଣି ପଶିଥିବାରୁ ରୋଗୀ ନାହିଁ ନ ଥିବା ଅବସ୍ଥା ଭୋଗୁଛନ୍ତି। ରାଜେନ୍ଦ୍ର ନଗର ଭଳି କେତେକ ପ୍ରମୁଖ ଅଞ୍ଚଳର ରାସ୍ତାରେ ୬ଫୁଟ ଉଚ୍ଚରେ ପାଣି ଚାଲୁଥିବା ଦେଖାଯାଇଛି। ପାଟନା ଭିଆଇପି ଏରିଆରେ ଥିବା ମନ୍ତ୍ରୀ ଓ ଅଫିସରଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। ଉଦ୍ଧାର ଓ ସହାୟତା କାର୍ଯ୍ୟରେ ୨୦ରୁ ଅଧିକ ଏନ୍ଡିଆରଏଫ୍ ଓ ୧୨ ଏସ୍ଡିଆରଏଫ୍ ଦଳକୁ ନିୟୋଜିତ କରାଯାଇଛି।
ସେନା ମଧ୍ୟ ରବିବାର ଏଥିରେ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପରିସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟର ୧୫ ଜିଲାରେ ସରକାର ‘ରେଡ ଆଲର୍ଟ’ ସହ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ଲୋକଙ୍କୁ ପିିଇବା ପାଣି ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଅକ୍ଟୋବର ୧୫ ପର୍ଯ୍ୟନ୍ତ ରିଲିଫ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ରବିବାର ସୁଦ୍ଧା ୨୦୦ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁଁ ଗଙ୍ଗା ଓ ଅନ୍ୟ ନଦୀରେ ବନ୍ୟା ଆସିଛି। ରେଳବାଇ ପକ୍ଷରୁ ୩୦ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି। ସ୍କୁଲଗୁଡ଼ିକୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଓ କଲେଜକୁ ୩୦ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି।
ଆଗକୁ ଆହୁରି ବର୍ଷାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ସେଥିପାଇଁ ବିଭାଗ ପକ୍ଷରୁ ବିହାରର ୧୦ ଜିଲାରେ ବର୍ଷା ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି। ବିହାର ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକିମ, ଆସାମ, ତ୍ରିପୁରା, ମଣିପୁର, ନାଗାଲାଣ୍ଡ, ମିଜୋରାମ, ମେଘାଳୟ, ଉତ୍ତରାଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶ, ପଶ୍ଚିମ ରାଜସ୍ଥାନ, ଦକ୍ଷିଣ ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାତ, ଜାମ୍ମୁ-କାଶ୍ମୀର ଆଦି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ପ୍ରଦେଶରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବା ଏଥିରେ କୁହାଯାଇଛି।
ଅପରପକ୍ଷରେ ବିହାର ସମେତ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରେ ଗତ ତିନି ଦିନ ମଧ୍ୟରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଛି। ଉତ୍ତର ପ୍ରଦେଶରେ ସ୍ବାଭାବିକଠାରୁ ୧୭୦୦ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ପ୍ରୟାଗରାଜରେ ୧୦୨ ଓ ବାରାଣସୀରେ ୮୪ମିମି ବର୍ଷା ହୋଇଛି। ରାଜ୍ୟରେ ତିନି ଦିନ ମଧ୍ୟରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୩୫ ବୋଲି ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ଏହି ସଂଖ୍ୟା ଅଧିକ ଥିବା ପ୍ରକାଶ। ପରିସ୍ଥିତି ସମ୍ଭାଳିବା ପାଇଁ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ମୃତକଙ୍କ ପିଛା ସରକାର ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତ। ମୁଖ୍ୟମନ୍ତ୍ରୀ ଉଦ୍ଧାର ଓ ସହାୟତା କାର୍ଯ୍ୟର ନିୟମିତ ସମୀକ୍ଷା କରୁଛନ୍ତି। ସେହିପରି ରାଜସ୍ଥାନରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶରେ ନାଳରେ ଭାସି ଯାଇଥିବା ପୁଲିସ କର୍ମଚାରୀଙ୍କ ସମେତ ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁଜରାଟରେ ମଧ୍ୟ ୩ଜଣ ପ୍ରାଣ ହରାଇଛନ୍ତି।
Comments are closed.