ଅପ୍ରେଲ ୧୫ରୁ ଜୟଦେବ ଭବନରେ ରାଷ୍ଟ୍ରୀୟ ବୈଶାଖୀ ମହୋତ୍ସବ
ଭୁବନେଶ୍ୱର: ପୁରାତନ ଅନୁଷ୍ଠାନ ‘ଚିନ୍ତା ଓ ଚେତନା’ ପକ୍ଷରୁ ୪୩ତମ ରାଷ୍ଟ୍ରୀୟ ବୈଶାଖୀ ମହୋତ୍ସବ ପାଳନ ହେବାକୁ ଯାଉଛି । ଓଡ଼ିଶା ନବବର୍ଷ ପାଳନ ଅବସରରେ ଜୟଦେବ ଭବନ ଠାରେ ଅପ୍ରେଲ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଏହି ଉତ୍ସବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଉତ୍ସବସ୍ଥଳକୁ ପହଣ୍ଡି କରି ଅଣାଯିବା ସହ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହେବ ।
ହେବାକୁ ଥିବା ଏହି ଉତ୍ସବରେ ଓଡ଼ିଶୀ, ଛଉ, ଯୋଡ଼ିଶଙ୍ଖ, ରଣପା, ଗୋଟିପୁଅ, ସମ୍ବଲପୁରୀ, ଶାରଳାଙ୍କ ଘଣ୍ଟନୃତ୍ୟ, ପ୍ରହ୍ଲାଦ ନାଟକ, ଘୁମୁରା, ପାଇକ ନୃତ୍ୟ ଆଦି ବିଭିନ୍ନ କଳା ପରିବେଶଣ କରାଯିବ । ତାହାଛଡ଼ା ଏହି କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ଆସିଥିବା ନୃତ୍ୟ ଓ ସଙ୍ଗୀତ ଦଳ ସେମାନଙ୍କର କଳା ପରିବେଶଣ କରିବେ । ସବୁଠାରୁ ବଡ଼ କଥା ହେଉଛି ଏହି କାର୍ଯ୍ୟକ୍ରମରେ ସି.ଆର.ପି.ଏଫ୍ର ବ୍ୟାଣ୍ଡ ବାଦନ ସହ ସ୍ଥଳବାହିନୀର ଗାର୍ଡ ଉତ୍ସବକୁ ଦେଶାତ୍ମବୋଧରେ ଭରିଦେବାର ପ୍ରୟାସ ରହିଛି । ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସାମିଲ ହେବା ସହ ଗୃହ ମନ୍ତ୍ରଣାଳୟ ସହଯୋଗ କ୍ରମେ ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ, ବୈଶାଖୀ ସମ୍ମାନ ଓ ରାଜ୍ୟର ସର୍ବଶ୍ରେଷ୍ଠ ଆଧ୍ୟାତ୍ମ୍ୟ ସମ୍ମାନ ରାଷ୍ଟ୍ରୀୟ ନୀଳଚକ୍ର ସମ୍ମାନ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି । ଚଳିତ ବର୍ଷର ରାଷ୍ଟ୍ରୀୟ ଚୀଳଚକ୍ର ସମ୍ମାନ ଓ ଅଷ୍ଟଧାତୁ ଚୀଳଚକ୍ର ଧରିତ୍ରୀ ଓ ଓଡ଼ିଶାପୋଷ୍ଟର ସମ୍ପାଦକ ଶ୍ରୀ ତଥାଗତ ଶତପଥୀଙ୍କୁ ଦିଆଯିବାକୁ ସ୍ଥିର କରାଯାଇଛି ।
ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ଗଣେଶି ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ଦିଆଯାଇଛି । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ସଭାପତି ଶଶିଭୁଷଣ ବେହେରା ଓ ସଭାପତି ସହଦେବ ସାହୁ, ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟା ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ୍ର, ରାଷ୍ଟ୍ରୀୟ ମହୋତ୍ସବ ନିର୍ଦେଶକ ଗୁରୁ ରିତିକାନ୍ତ ମହାପାତ୍ର ଓ ରାଷ୍ଟ୍ରୀୟ ମହାସଚିବ ସୁରେନ୍ଦ୍ର ଦାସ ସୂଚନା ଦେଇଛନ୍ତି ।
Comments are closed.