ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋରାପୁଟ ଏବଂ ଗଜପତି ଜିଲାରେ ଦେଖା ଦେଇଥିବା ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବ୍ୟକ୍ତିଗତଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଯେ, କୋରାପୁଟ ପଟାଙ୍ଗି ବ୍ଲକର କୋଟିଆ ଏବଂ ଗଜପତି ରାୟଗଡ଼ା ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାରେ ଦେଖାଯାଇଥିବା ସୀମା ବିବାଦର ସମାଧାନ ପାଇଁ ଏକ ସର୍ବଦଳୀୟ ବୈଠକ ଡକାଯାଉ। ଏଥିରେ ସୀମା ବିବାଦ ପାଇଁ ଗଠନ କରାଯାଇଥିବା ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟ ଉପରେ ସମୀକ୍ଷା କରାଯାଉ। ଏହାସହ ସୀମାବର୍ତ୍ତୀ ଗାଁଗୁଡ଼ିକରେ ନିଆଯାଇଥିବା ବିକାଶମୂଳକ କାର୍ଯ୍ୟର ତଥ୍ୟ ବୈଠକରେ ଉପସ୍ଥାପନ କରିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଶାନ୍ତିପୂର୍ଣ୍ଣ ଭାବରେ ଦୁଇ ରାଜ୍ୟ ମଧ୍ୟରେ ଆପୋସ ଆଲୋଚନା କରି ସୀମା ବିବାଦର ସମାଧାନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ୨୦୨୦ ଓ ୨୦୨୧ରେ ଚିଠି ଲେଖିଥିଲେ। ବିଗତ ବର୍ଷଗୁଡ଼ିକରେ ଏହି ସୀମା ବିବାଦର ସମାଧାନ ପାଇଁ ତାଙ୍କ ଦ୍ୱାରା ଉଦ୍ୟମ ସତ୍ତ୍ୱେ ଏଥିରେ କୌଣସି ଅଗ୍ରଗତି ହୋଇନାହିଁ। ବିଗତ କିଛି ଦିନ ହେଲା ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ସୀମାବର୍ତ୍ତୀ ଗ୍ରାମରେ ପ୍ରଶାସନିକ ହସ୍ତକ୍ଷେପ କରିବାର ଖବର ସାମ୍ନାକୁ ଆସୁଛି। ଆନ୍ଧ୍ର ସରକାରଙ୍କ ଦ୍ୱାରା ଏହି ବେଆଇନ ଓ ଦୁର୍ଭାଗ୍ୟପୂର୍ଣ୍ଣ ହସ୍ତକ୍ଷେପ କେବଳ କୋଟିଆରେ ସୀମିତ ହୋଇ ରହିନାହିଁ, ବରଂ ଦକ୍ଷିଣ ଓଡ଼ିଶାରେ ଅନେକ ଗ୍ରାମକୁ ବ୍ୟାପିବାରେ ଲାଗିଛି। ନାମ ପରିବର୍ତ୍ତନ କରାଯାଇ ଆନ୍ଧ୍ର ସରକାରଙ୍କ ଦ୍ୱାରା ନୂତନ ଭାବେ ଗଠିତ ହୋଇଥିବା ପାର୍ବତୀପୁରମ ମାନ୍ୟମ ଜିଲାରେ ଏହିଭଳି ୨୧ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହାର ସଦର ମହକୁମା କୋଟିଆର ଅନେକ ଗ୍ରାମରୁ ୪୦ କି.ମି ଦୂରରେ ରହିଛି ।
ଆନ୍ଧ୍ର ସରକାର ସକ୍ରିୟ ଭାବେ ଏହିସବୁ ଗ୍ରାମରେ ବିଭିନ୍ନ ଯୋଜନା ଓ ଉନ୍ନୟନ କାର୍ଯ୍ୟ କାର୍ଯ୍ୟକାରୀ କରିବା ସହ ଅଞ୍ଚଳର ଅଧିବାସୀଙ୍କୁ ଆନ୍ଧ୍ରର ଅଂଶ ହେବା ପାଇଁ ପ୍ରଲୋଭନ ଦେଖାଉଛନ୍ତି। ଏଭଳି ସମୟରେ ଓଡ଼ିଶା ସରକାର ମଧ୍ୟ ସରଜମିନସ୍ତରରେ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଛି। ଫଳସ୍ୱରୂପ ସରକାର ଏବଂ ପ୍ରଶାସନ ଏହି ସୀମାବର୍ତ୍ତୀ ଗ୍ରାମବାସୀଙ୍କ ନିକଟତର ହୋଇପାରିବ। ଜିଲା ମୁଖ୍ୟାଳୟ ବହୁ ଦୂରରେ ଥିବାରୁ ଲୋକମାନେ ଆନ୍ଧ୍ରପ୍ରଦେଶ ପ୍ରଶାସନ ପାଖରେ ହାଜର ହୋଇପାରନ୍ତି। ପଡ଼ୋଶୀ ରାଜ୍ୟ ଗୁଡ଼ିକ ମଧ୍ୟ ଏହିଭଳି ଭାବରେ ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ନାଗରିକଙ୍କୁ ଓଡ଼ିଶାଠାରୁ ଦୂରେଇ ନେବା ପାଇଁ ସମାନ ଉପାୟ ଅବଲମ୍ବନ କରିପାରନ୍ତି। ଫଳସ୍ୱରୂପ ମାତୃଭୂମି ସହ ଥିବା ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ତୁଟିଯିବାର ଆଶଙ୍କା ତିଆରି ହେଉଛି। ଆନ୍ଧ୍ର ସରକାର ଯୋଜନାବଦ୍ଧ ଭାବରେ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରାସନ କାର୍ଡ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରି ଗ୍ରାମବାସୀଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଚେଷ୍ଟା କରୁଛନ୍ତି। ଏହିସବୁ ବିଷୟକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣ ଓ ସଂଗଠନକୁ ବିଶ୍ୱାସର ସହ ନିଆଯାଉ। ସୀମା ବିବାଦ ଅଞ୍ଚଳ ଗୁଡ଼ିକରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ।
ପ୍ରଶାସନିକ ମୁହାଁମୁହିଁ ଓ ବିବାଦ ଦ୍ୱାରା ଉକ୍ତ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ସହ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତି ଉପୁଜିଲେ ଉଭୟ ରାଜ୍ୟର ସାମାଜିକ ଓ ରାଜନୈତିକ ଉଦ୍ଦେଶ୍ୟର ବିରୋଧ ହେବ, ଯାହା ବ୍ୟବସ୍ଥା ବିରୋଧୀ ମତକୁ ପ୍ରଶ୍ରୟ ଦେବ। ଅପରପକ୍ଷରେ ଦଳ ମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ ସୀମାବର୍ତ୍ତୀ ଗାଁଗୁଡ଼ିକରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ସ୍ୱାର୍ଥରକ୍ଷା ସହ ସେମାନଙ୍କ ଉନ୍ନତି ପାଇଁ ମତପ୍ରକାଶ କରିଛନ୍ତି। ତେଣୁ ଦୁଇ ରାଜ୍ୟର ଲୋକକଲ୍ୟାଣକୁ ଦୃଷ୍ଟିରେ ରଖି ସୀମା ବିବାଦର ସମାଧାନ କରିବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।



