କଳାହାଣ୍ଡିରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭ରୁ ଉର୍ଦ୍ଧ୍ବ ପ୍ରତିଶତ ମତଦାନ: ଜଣେ ପୋଲିଂ ଅଫିସର ନିଲମ୍ବିତ, ୨ଟି ସ୍ଥାନରେ ଭୋଟ ବର୍ଜନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଅପରାହ୍ନ ୫ ଟା ସୁଦ୍ଧା ୬୭.୩୭ ପ୍ରତିଶତ ମତଦାନ ହେଇଥିବା ସରକାରୀ ଭାବେ କୁହାଯାଇଛି। ଏହାପରେ ବିଭିନ୍ନ ସ୍ଥାନରେ ମତଦାନ ଚାଲିଛି। କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୬ ନମ୍ୱର୍ ତୁର୍ଲାଖମନ ବୁଥର ପୋଲିଂ ଅଫିସରଙ୍କୁ ନିଲମ୍ୱିତ କରାଯାଇଛି। ସନ୍ଧ୍ୟା ୭ ଟା ପରେ ସ୍ଥାନୀୟ ମାଁ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଏବଂ ଧର୍ମଗଡ ପଂଚାୟତ କଲେଜ୍ ପରିସରକୁ ଇଭିଏମ ଗୁଡ଼ିକ ଆସିବା ଆରମ୍ଭ ହେଇଯାଇଛି। ଆଜି  ମତଦାନ ପରେ ୫୯ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମ ରେ ସିଲ୍ ହେଇଛି।

prayash

ମତଦାନ ପାଇଁ ଆଜି ସକାଳୁ ଜିଲାର ବିଭିନ୍ନ ବୁଥ ଗୁଡିକରେ ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର୍ ୨୬୩ରେ ଇଭିଏମ ମେସିନ ଖରାପ ଯୋଗୁଁ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହେଇଥିଲା। ଅନ୍ୟ କେତେକ ବୁଥରେ ମଧ୍ୟ ଧିମା ପ୍ରକ୍ରିୟା ଯୋଗୁଁ ମତଦାନ ବିଳମ୍ବରେ ଆରମ୍ଭ ହେଇଥିଲା। ସ୍ଥାନୀୟ ଇରିଗେଶନ କଲୋନୀ ସଖୀ ବୁଥରେ ଭୋଟରମାନେ ଉତ୍ସାହର ସହିତ ଭୋଟ ଦେଇଥିଲେ। ଅନେକ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଥିବାରୁ ସେମାନେ ଭୋଟ କେନ୍ଦ୍ରରୁ ଫେରି ଯାଇଥିଲେ।

ସନ୍ଧ୍ୟା ୭ ଟା ଯାଏଁ ସ୍ଥାନୀୟ ପୁରୁଣାପଡ଼ା ୟୁପି ସ୍କୁଲ୍, ବାହାଦୁର ବଗିଚା ପଡ଼ା ୟୁପି ସ୍କୁଲ୍, କରଣପିଟା ସ୍କୁଲ୍ ସମେତ କେତେକ ବୁଥରେ ମତଦାନ ଚାଲିଥିବା ଜଣା ପଡ଼ିଛି। ଅପରାହ୍ନ ୫  ଟା ସୁଦ୍ଧା ଭବାନିପାଟଣା ନିର୍ବାଚନ ମଣ୍ଡଳୀରେ ୬୨.୦୨, ଧର୍ମଗଡ ରେ ୭୦.୦୬, ଜୁନାଗଡ଼ ରେ ୭୦.୪୫, ଲାଞ୍ଜିଗଡ ରେ ୬୩.୩୮ , ନାର୍ଲା ନିର୍ବାଚନ ମଣ୍ଡଳୀରେ ୭୦.୪୩ ପ୍ରତିଶତ ମତଦାନ ହେଇଥିବା ଜଣା ପଡ଼ିଛି। ଖବର ଲେଖାଯିବା ଯାଏଁ ଜିଲ୍ଲାର ୧୪୦ ଟି ସମ୍ବେଦନଶିଳ ବୁଥରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଖବର ଜିଲ୍ଲା ମହକୁମାରେ ପହଞ୍ଚିନାହିଁ। ଜିଲ୍ଲାର ମୋଟ ୧୦୪୨ ବୁଥରେ ସୁରକ୍ଷିତ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା  କରାଯାଇଥିଲା।

Comments are closed.