www.samajalive.in
Wednesday, December 10, 2025
15.1 C
Bhubaneswar

କୋଭିଡ୍‌ରେ ବାପା ଚିକିତ୍ସାଧୀନ, ଘରେ ଅଛୁଆଁ ପଡ଼ିଲା ଝିଅର ମୃତଦେହ

ଭଞ୍ଜନଗର: ବିଶ୍ୱ ମହାମାରୀ କରୋନା ସଭିଙ୍କ ମୁହଁରୁ ହସ ଛଡ଼ାଇ ନେଇଛି। ସହର ଠାରୁ ଗାଁ ଗଣ୍ଡା, ସବୁଠି ଦୁଃଖ ଓ ଶୋକ। କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି। ଏଭଳି କ୍ଷେତ୍ରେରେ ‌ସଂକ୍ରମିତ ପରିବାରରୁ କେହି ମୃତ୍ୟୁବରଣ କଲେ, ସଂପୃକ୍ତ ପରିବାର ଏକପ୍ରକାର ଅଛୁଆଁ ହୋଇପଡ଼ୁଛନ୍ତି।
ଗଞ୍ଜାମ ଜିଲାରେ ଅତୀତରେ ଘଟିଥିବା କେତେକ ଘଟଣାରୁ ଏହା ସ୍ପଷ୍ଟ ଅନୁମିତ। ଏପରି ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଗୋଲପଡ଼ା ଗ୍ରାମରେ। ଦୀର୍ଘ ୧୪ ଘଣ୍ଟା ଧରି ଘର ଭିତରେ ଜଣେ ଯୁବତୀଙ୍କ ମୃତଦେହ ପଡି ରହିଲା, କେହି ପାଖ ମାଡ଼ିଲେ ନାହିଁ। ରାତି ୧୨ଟାରେ ପୁଲିସ୍‍ ପହଁଚିବା ପରେ ରାତି ୧ଟାରେ ହାତଗଣତି କିଛି ଲୋକଙ୍କ ସହାୟତାରେ ମୃତଦେହ ସତ୍କାର କରାଯାଇଥିଲା। କରୋନା ପଜିଟିଭ ଚିହ୍ନଟ ବାପାଙ୍କୁ ଭଞ୍ଜନଗର କୋଭିଡ୍‌ କେୟାର କେନ୍ଦ୍ରରେ ଭର୍ତ୍ତି କରାଯିବାର ୧୨ ଘଣ୍ଟା ପରେ ଘରେ ଥିବା ୪୦ ବର୍ଷର ବିଧବା ଝିଅର ମୃତ୍ୟୁ ଘଟିଥିଲା। ଝିଅର ମୃତ୍ୟୁର କାରଣ ଜଣାପଡିନି। ଅନ୍ୟ କୌଣସି କାରଣରୁ ସେ ପ୍ରାଣ ହରାଇଥିବା କୁହାଯାଇଛି ଏବଂ ତାଙ୍କର ସ୍ବାବ୍‌ ନମୁନା ମଧ୍ୟ ନେଗେଟିଭ ରହିଥିବା ସୂଚନା ମିଳିଛି। ବାପା କୋଭିଡ୍‌ କେୟାରକୁ ଯିବା ପୂର୍ବରୁ ମା’ ମଧ୍ୟ କରୋନା ଭୁତାଣୁରେ ସଂକ୍ରମିତ ହୋଇଥିଲେ। ସେ ଭଞ୍ଜନଗର କୋଭିଡି କେୟାର କେନ୍ଦ୍ରରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।
ମିଳିଥିବା ସୂଚନା ମୁତାବକ, ମୃତ ଯୁବତୀଜଣଙ୍କ ଅନ୍ୟ ଏକ ଗ୍ରାମର ଶାଶୁ ଘରେ ରହୁଥିଲେ। ତାଙ୍କର ଜଣେ ଭଉଣୀ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କ ସଂପର୍କରେ ଆସି ଏହି ପରିବାରର ମା’ ଓ ପରେ ବାପା ସଂକ୍ରମିତ ହୋଇଥିବା ଆଲୋଚନା ହେଉଛି। ପଜିଟିଭ ଚିହ୍ନଟ ବାପା ଭଞ୍ଜନଗର କୋଭିଡ କେୟାରକୁ ଯିବାକୁ ଚାହୁଁ ନ ଥିଲେ। କିନ୍ତୁ ବିଡିଓ ଅନୀଲ କୁମାର ସେଠୀ ଗୁରୁବାର ରାତିରେ ପୁଲିସ୍‍ ସହାୟତାରେ ତାଙ୍କୁ କୋଭିଡ କେୟାର କେନ୍ଦ୍ରକୁ ନେଇଥିଲେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ କୌଣସି କାରଣରୁ ଘରେ ଥିବା ଏହି ବିଧବା ଝିଅର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପ୍ରଚାର ହେବା ପରେ ଗୋଲାପଡା ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଏହି ପରିବାରର ବାରଣ୍ଡା ମାଡ଼ି ନ ଥିଲେ। ଗାଁ ସାରା ବିଲୁଆ ବିଚାର ଲାଗି ରହିଥିଲା। ଚାହୁଁ ଚାହୁଁ ରାତି ପ୍ରାୟ ୧୧ଟା ହୋଇ ଯାଇଥିଲା। ଘରେ କେବଳ କୋଭିଡ୍‌ କେୟାରରୁ ସୁସ୍ଥ ହୋଇ ଫେରି ଆସିଥିବା ମା’ର କରୁଣ ଚିତ୍କାର ଶୁଭୁଥିଲା। ଏପଟେ ଗାଁରେ ମୃତଦେହ ପଡି ରହିଥିବାରୁ ସାମାଜିକ ସଂସ୍କାରକୁ ଆଖି ଆଗରେ ରଖି ଅଧିକାଂଶ ପରିବାରରେ ଚୂଲି ଜଳି ନ ଥିଲା। ଏପରି ଏକ ଅସ୍ୱାଭାବିକ ବାତାବରଣ ମଧ୍ୟରେ କୌଣସି ସୁତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ପୁଲିସ୍‍ ଗୋଲାପଡ଼ା ଗ୍ରାମରେ ପହଁଚିଥିଲା। ଗ୍ରାମାବାସୀଙ୍କ ସହ ପୁଲିସର ଆଲୋଚନା ପରେ ଗ୍ରାମର କିଛି ଭଦ୍ର ଲୋକ ଘରୁ ମୃତଦେହ ଉଠାଇ ନେଇ ଗାଁ ଶ୍ମଶାନରେ ଅନ୍ତିମ ସତ୍କାର କରିଥିଲେ। ଗୋଲାପଡ଼ା ଗ୍ରାମ ପଞ୍ଚାୟତରୁ ଜଣଙ୍କଠାରୁ କରୋନା ପଜିଟିଭ ବାହାରିବା ପରେ ଭଂଜନଗର ପ୍ରଶାସନ ତରଫରୁ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇ ଗ୍ରାମର ପ୍ରବେଶ ପଥକୁ ସିଲ୍‌ କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories