ଧାମନଗର ଉପନିର୍ବାଚନ; ଭୋଟ ଦେଲେନି ୭୪ ହଜାର

ଭଦ୍ରକ: ଧାମନଗର ଉପନିର୍ବାଚନରେ ପାଖାପାଖି ୭୪ ହଜାର ମତଦାତା ଭୋଟ ଦେଲେନାହିଁ। ଉପନିର୍ବାଚନର ଚୂଡ଼ାନ୍ତ ମତଦାନ ପରିସଂଖ୍ୟାନ ଏହା କହୁଛି। ଧାମନଗର ଉପନିର୍ବାଚନରେ ଏଥରକ ଭୋଟ ହାର ୬୮.୯୮ ପ୍ରତିଶତ ରହିଛି। ମୋଟ ୨ଲକ୍ଷ ୩୮ହଜାର ୪୧୭ଜଣ ମତଦାତାଙ୍କ ମଧ୍ୟରୁ ଭୋଟ ଦେଇଛନ୍ତି ୧ଲକ୍ଷ ୬୪ହଜାର ୪୬୫ ଜଣ। ଅର୍ଥାତ ୭୩ହଜାର ୯୫୨ଜଣ ମତଦାତା ମତଦାନ କେନ୍ଦ୍ରକୁ ଯାଇନାହାନ୍ତି।

ଗଣତନ୍ତ୍ରର ଏହି ମହାପର୍ବକୁ ଏତେ ସଂଖ୍ୟାରେ ମତଦାତା ଏଡ଼ାଇଯିବା ସ୍ୱତଃ ଚିନ୍ତାଜନକ ହୋଇଛି। ଅପରପକ୍ଷେ ମିଳିଥିବା ଭୋଟ ପରିସଂଖ୍ୟାନ କହୁଛି ଯେ ଉପନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ୧୦ ପ୍ରତିଶତ ଅଧିକ ମହିଳା ଭୋଟ ଦେଇଛନ୍ତି। ଧାମନଗର ବିଧାନସଭା କ୍ଷେତ୍ରର ମୋଟ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୫ହଜାର ୩୪୬। ତହିଁରୁ ଭୋଟ ଦେଇଛନ୍ତି ୮୫ହଜାର ୪୫୨ଜଣ। ମହିଳାଙ୍କ ଭୋଟ ହାର ୭୪ ପ୍ରତିଶତ ରହିଛି। ସେହିଭଳି ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୩ ହଜାର ୩୮ ଜଣ ହୋଇଥିବା ବେଳେ ଭୋଟ ଦେଇଛନ୍ତି ୭୯ହଜାର ୦୧୧ ଜଣ। ଯାହାକି ୬୪ ପ୍ରତିଶତ। ପୁରୁଷଙ୍କ ଠାରୁ ୬୪୪୧ ଜଣ ଅଧିକ ମହିଳା ଧାମନଗର ଉପନିର୍ବାଚନରେ ଭୋଟ ଦେବା ଉଲ୍ଲେଖନୀୟ ହୋଇଛି। ତେବେ ଭୋଟ ସରିବା ପରେ ଏବେ ନେତାଙ୍କ ଛାତି ଧଡ଼ଧଡ଼ ହେଉଛି। ବିଭିନ୍ନ ଦଳର ସୂତ୍ରରୁ ମିଳୁଥିବା ଖବରରୁ ବୁଝାପଡ଼ୁଛି ଯେ ଏହି ଉପନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଛି।

ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି। ଉଭୟ ବିଜେପି ଓ ବିଜେଡିର ନେତା ତାଙ୍କ ଦଳ ବିଜୟୀ ହେବ ବୋଲି ଗଣମାଧ୍ୟମରେ ବୟାନ ରଖୁଛନ୍ତି। ଏପଟେ କାଗଜ କଲମ ଧରି ବୁଥ୍‌ ହିସାବ କରିବା ବେଳକୁ ଉଭୟ ପକ୍ଷର ଛାତି ଧଡ଼ଧଡ଼ ହେଉଛି। କାରଣ ଶେଷ ପର୍ଯ୍ୟନ୍ତ ଧାମନଗର ଭୋଟରଙ୍କ ମତିଗତି ଗୁମ୍‌ସୁମ ରହିଥିଲା। ଭୋଟ ପରେ ଉଭୟ ପକ୍ଷର କାଗଜପତ୍ରର ହିସାବ ବି ବଡ଼ ଏକ ବ୍ୟବଧାନର ସଙ୍କେତ ଦେଉନାହିଁ। ହାରଜିତରେ ତିହିଡି ବ୍ଲକର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ବ୍ଲକର ୧୩ଟି ପଞ୍ଚାୟତରୁ ଉଭୟ ପକ୍ଷ ଅଧିକ ଭୋଟ ନେବେ ବୋଲି ଦାବି କରୁଛନ୍ତି। ଧାମନଗର ବ୍ଲକର ୪ଟି ଜୋନ୍‌ ମଧ୍ୟରୁ ୨ଟିରେ ବିଜେପି ଓ ୨ଟିରେ ବିଜେଡି ଅଧିକ ଭୋଟ ପାଇବେ ବୋଲି ଆଲୋଚନା ହେଉଛି।

ସେହିଭଳି ସଂଖ୍ୟାଲଘୁ ଭୋଟରଙ୍କ ସମର୍ଥନକୁ ନେଇ ଗୋଟିଏ ପକ୍ଷ କିଛିଟା ଖୁସି ବ୍ୟକ୍ତ କରୁଥିବା ବେଳେ ଏପଟେ ସ୍ୱାଧୀନ ପ୍ରାର୍ଥୀ ରାଜୁଙ୍କ ପକ୍ଷରେ କେତେ ଭୋଟ ଗଲା ତାକୁ ଆକଳନ କରିପାରୁ ନାହାନ୍ତି। ଉପନିର୍ବାଚନରେ ୧୦ ପ୍ରତିଶତ ଅଧିକ ମହିଳା ମତଦାନ କରିଥିବାରୁ ବିଜେଡି କିଛିଟା ଉତ୍ସାହିତ ହୋଇଛି, କିନ୍ତୁ ବିଜେପି ଏହାକୁ ଖାରଜ କରୁଛି। ଆମେ ମହିଳା ଭୋଟରଙ୍କ ମଧ୍ୟରୁ ବଡ଼ ଅଂଶ ନେଇଛୁ ବୋଲି କହୁଛନ୍ତି ବିଜେପି ନେତାଏ। ଏହା ବାଦ ଉଭୟ ପକ୍ଷରୁ ‘କ୍ରସ ଭୋଟିଂ’କୁ ମଧ୍ୟ ଏଡ଼ାଇ ଦିଆଯାଇ ପାରୁନାହିଁ। ମୋଟାମୋଟି ଭାବେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ଉଭୟପକ୍ଷ ସ୍ୱୀକାର କରୁଛନ୍ତି। କିଏ ଜିତିବ ଓ କେତେ ବ୍ୟବଧାନରେ ତାହା ୬ ତାରିଖରେ ଜଣାପଡ଼ିବ।

Comments are closed.