ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତ୍ତିଲା ପରିବାର
ଭଦ୍ରକ: ଘରେ ତାଲା ପକାଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ନିଆଁ ଦାଉରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ । ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ପୂର୍ବ ଶତ୍ରୁତା ଏପରି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଳା ଟାଉନ ଥାନା ଗବସାହିରେ ଘଟିଥିବା ଦେଖିବାକୁ ମିଳିଛି । ଆକ୍ରୋଶମୂଳକ ଭାବେ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଗବସାହି ଅଞ୍ଚଳର ସୁଦର୍ଶନ ଦାସ ନିଜେ ଓ ତାଙ୍କ ୬ ଜଣ ପରିବାର ସହ ଘର ଭିତରେ ଶୋଇଥିଲେ ।
ଗତକାଲି ବିଳମ୍ବିତ ରାତିରେ ଘର ଗୁଡିକ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ସୁଦର୍ଶନଙ୍କ ପରିବାର ଲୋକ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଜୀବନ ବିକଳରେ ବାହାରକୁ ଦୌଡ଼ିବାକୁ ଲାଗିଥିଲେ । ହେଲେ ଘରର କବାଟ ବାହାର ପଟରୁ ତାଲା ଦିଆଯାଇଥିବାରୁ ପଦାକୁ ବାହାରିବାରେ ଅସୁବିଧା ହୋଇଥିଲା । ପଛପଟ ଝରକାକୁ ଭାଙ୍ଗି ସମସ୍ତ ପରିବାର ବାହାରକୁ ସୁରକ୍ଷିତ ଅବସ୍ଥାରେ ବାହାରିଥିଲେ। କିନ୍ତୁ ଅଗ୍ନିକାଣ୍ଡରେ ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଆଉ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ପୂର୍ବଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ । ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
Comments are closed.