ଡ୍ରେନ ପାଣିକୁ ନେଇ ଏଲ ଆଣ୍ଡ ଟି ଅଫିସ ଆଗରେ ଗ୍ରାମବାସୀଙ୍କ ବିକ୍ଷୋଭ

ଧାମରା : ଭଦ୍ରକ ଜିଲା ଧାମରା ପୋର୍ଟରେ କାର୍ଯ୍ୟରତ ଏଲ ଆଣ୍ଡ ଟି କମ୍ପାନୀ ଅଫିସ ଆଗରେ ସୋମବାର ନିକଟସ୍ଥ କନକ ପ୍ରସାଦ ଗ୍ରାମବାସୀ ବିକ୍ଷୋଭ କରିଥିଲେ। ଧାମରା ପ୍ରୋଜେକ୍ଟ ସାଇଟରେ କାର୍ଯ୍ୟରତ ଏକ ହଜାର ଶ୍ରମିକ ବ୍ୟବହାର କରୁଥିବା କଲୋନୀର ଡ୍ରେନ ପାଣି ଏବଂ ପାଇଖାନା ଟାଙ୍କିର ମଇଳା କନକ ପ୍ରସାଦ ନିକଟରେ ଯାଇଥିବା ନାଳରେ ଛାଡି ଦେବାରୁ ଏହା ବହୁ ଚାଷ ଜମିରେ ମାଡି ଯାଇଥିଲା। ଏହି ଡ୍ରେନ ପାଣି ଗନ୍ଧରେ କନକପ୍ରସାଦ ଗ୍ରାମବାସୀ ଆସି କନକପ୍ରସାଦ ଠାରେ ଥିବା ଏଲ ଆଣ୍ଡ ଟି ଅଫିସ ଆଗରେ ବିକ୍ଷୋଭ କରିବା ସହ ଏହି ଅଫିସର ଗେଟ ବନ୍ଦ କରିଦେଇଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ବାବଦରେ ସେମାନେ ଏଲ ଆଣ୍ଡ ଟି ଅଫିସର କାର୍ଯ୍ୟକର୍ତ୍ତାଙ୍କୁ ଦୀର୍ଘ ୧ ମାସ ତଳେ ଲିଖିତ ଭାବରେ ଅବଗତ କରାଇଥିଲେ। ମାତ୍ର ସଂପୃକ୍ତ କମ୍ପାନୀର କାର୍ଯ୍ୟକର୍ତ୍ତାଙ୍କ ଖାମଖିଆଲୀ ମନୋଭାବ ଯୋଗୁ ଆଜି ପର୍ଯ୍ୟନ୍ତ ଏହି କମ୍ପାନୀର ଅଫିସ ଏବଂ ଶ୍ରମିକ କଲୋନୀରୁ ବାହାରୁଥିବା ମଇଳା ପାଣି ପାଇଁ ଡ୍ରେନ ନିର୍ମାଣ ନକରି ଗ୍ରାମବାସୀଙ୍କ ଚାଷ ପାଇଁ ଥିବା ନାଳକୁ ଏହି ଡ୍ରେନ ପାଣି ଏବଂ ଲାଟ୍ରିନ ପାଣି ଛାଡୁଛନ୍ତି। ଯାହା ଫଳରେ ଗ୍ରାମବାସୀମାନେ ଦୁର୍ଗନ୍ଧରେ ଏହି ଅଞ୍ଚଳରେ ବସବାସ କରିପାରୁ ନାହାନ୍ତି। ଏ ବାବଦରେ କନକପ୍ରସାଦ ଗ୍ରାମବାସୀ ସଂପୃକ୍ତ ଜାଗାର ମାଲିକ ଗଦାଧର ମନ୍ତ୍ରୀ ଏବଂ ଏଲ ଆଣ୍ଡ ଟିର କାର୍ଯ୍ୟକର୍ତ୍ତାଙ୍କ ନାମରେ ଦୀର୍ଘ ୧ ମାସ ତଳେ ଧାମରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ପୁଲିସ ପ୍ରସାସନ କମ୍ପାନୀର ହାତବାରିସୀ ସାଜି କିଛି ପଦକ୍ଷେପ ନେଉ ନାହାନ୍ତି। ଆଜି ପୁର୍ନବାର ଏହି ଦୁର୍ଗନ୍ଧକୁ ସହ୍ୟ କରି ନପାରି ଏଲ ଆଣ୍ଡ ଟି କମ୍ପାନୀ ଅଫିସ କନକ ପ୍ରସାଦ ଗ୍ରାମର ବହୁ ବାସିନ୍ଦା ଆସି ଏହି ବିକ୍ଷୋଭ କରିବା ପରେ ଏଲ ଆଣ୍ଡ ଟି କମ୍ପାନୀର କର୍ମକର୍ତ୍ତା ଆସି ଲିଖିତ ଭାବରେ ଏହି ଡ୍ରେନ ନିର୍ମାଣ କାର୍ଯ୍ୟ ୧୫ ଦିନ ମଧ୍ୟରେ ଶେଷ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଏହି ଗ୍ରାମବାସୀ ନିଜ ଧାରଣାରୁ ଉଠିବା ପରେ ଏଲ ଆଣ୍ଡ ଟି କମ୍ପାନୀର କାର୍ଯ୍ୟାଳୟ ଠିକ ଭାବରେ କାର୍ଯ୍ୟକ୍ଷମ ହୋଇଥିଲା।

kalyan agarbati

Comments are closed.