ଦଣ୍ଡନାଚ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ: ୭ ଆୟୋଜକ ଗିରଫ

ବ୍ରହ୍ମପୁର : ବିନା ଅନୁମତିରେ ରାତିଅଧରେ ଦଣ୍ଡନାଚ ଆୟୋଜନ କରିବା ଏବଂ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ଗଣ୍ଡଗୋଳ କରିଥିବା ଅଭିଯୋଗରେ ବ୍ରହ୍ମପୁର ଟାଉନ ଥାନା ପୁଲିସ ପୁଲିସ ୭ ଜଣ ଆୟୋଜକଙ୍କୁ ଗିରଫ କରିଛି। ସେମାନେ ହେଲେ ଗାନ୍ଧୀନଗର ପ୍ରଥମ ଲାଇନର ସହଦେବ ପାଣିଗ୍ରାହୀ , ସମୀର ମହାପାତ୍ର , ଦେବାଶିଷ ମାଝି , ସରୋଜ କୁମାର ଗୌଡ , ବିଶାଲ ପାଣିଗ୍ରାହୀ , ସୁଶାନ୍ତ କୁମାର ବେହେରା ଓ ବାବୁଲା ବିଷୋୟୀ । ଶୁକ୍ରବାର ରାତିର ଏହି ଘଟଣାପରେ ଦଣ୍ଡନାଚ ଆୟୋଜନ ପୂର୍ବରୁ ସ୍ଥାନୀୟ ପୁଲିସ ଓ ପ୍ରଶାସନର ଅନୁମତି ନେବାକୁ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ପରାମର୍ଶ ଦେଇଛନ୍ତି । ସେହିପରି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ହେଲେ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ଚେତାବନୀ ଦେଇଛନ୍ତି । ସୂଚନାପ୍ରକାରେ, ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ୨୫ ତାରିଖରୁ ଆରମ୍ଭ ହୋଇଯାଇଛି। ସେହିକ୍ରମରେ ଗାଁରୁ ସହର ପର୍ଯ୍ୟନ୍ତ ଦଣ୍ଡଯାତ୍ରା ସହ ରାତିରେ ସାମାଜିକ ଓ ପୌରାଣିକ ନାଟକ ମଞ୍ଚସ୍ଥ ହେଉଛି। ନାଟକ ମଞ୍ଚସ୍ଥ ପୂର୍ବରୁ କିଛି ଦଣ୍ଡଦଳ ପକ୍ଷରୁ ଷ୍ଟେଜ୍‌ରେ ମେଲୋଡି ପ୍ରଦର୍ଶନ କରାଯାଉଛି। ଶୁକ୍ରବାର ରାତିରେ ଗାନ୍ଧୀନଗର ପ୍ରଥମ ଲାଇନରେ ସେହି ଅଞ୍ଚଳର କମିଟି ପକ୍ଷରୁ ଜାମୁନି-୧ ଗ୍ରୁପର ଦଣ୍ଡନାଚ ଆୟୋଜନ କରାଯାଇଥିଲା। ରାତିରେ କଳାକାରମାନେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିବା ଏବଂ କିଛି ଦର୍ଶକ ଉତ୍ସାହିତ ହୋଇ ଷ୍ଟେଜ ସମ୍ମୁଖରେ ନାଚିବାକୁ ନେଇ ଦର୍ଶକ ଓ ଆୟୋଜକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଥାନାକୁ ଉଠାଇ ନେଇଥିଲା।

Comments are closed.