www.samajalive.in
Sunday, December 14, 2025
17.1 C
Bhubaneswar

ହାଣ୍ଡିଏ ଅମୃତ, ଟୋପାଏ ବିଷ

‘ବାହନ’ ଭଳି ସର୍ବତୋଭାବେ ସମର୍ପିତ ନ ହେଲେ ବି, ମଣିମାମାନଙ୍କର ମୁଖ୍ୟ ଅବଲମ୍ବନମାନେ ବି ତାଙ୍କ ସହ ଇତିହାସର ପୃଷ୍ଠା ବନିଯାଇଛନ୍ତି। ସ୍ମୃତିପଟରେ, ପୀଠରେ ଛାପି ହୋଇଯାଇଛନ୍ତି, ଯୋଡ଼ି ହୋଇଯାଇଛନ୍ତି।

ରାଜା ଦଶରଥଙ୍କ ମନ୍ତ୍ରୀ ସୁମନ୍ତ୍ର, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହ ବିଦ୍ବାନ ଚାଣକ୍ୟ, ଲାଙ୍ଗୁଳା ନରସିଂହଙ୍କ ସହ ମହାମନ୍ତ୍ରୀ ଶିବେଇ ସାମନ୍ତରା, ଆକବରଙ୍କ ଦରବାରର ତାନସେନ, ତୋଡ଼ରମଲ୍ଲ, ବୀରବଲ ଓ ମାନସିଂହ କୋଉ ଇତିହାସ ନ ବନିଲେ, ସ୍ମୃତିର ଖୋରାକି ନ ହେଲେ ଯେ! ଏବେ ବି ଏଇ ଗଣତାନ୍ତ୍ରିକ ଧାରାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶାସନ ସହ ବ୍ରାହ୍ମଣପୁତ୍ର, ପ୍ରଶାସକ ପ୍ୟାରୀ ମୋହନ ଇତିହାସ ପୃଷ୍ଠାକୁ ଗଡ଼ି ଆସିଲା ପରି ତାଙ୍କ ସୁଯୋଗ୍ୟ ତନୟ ନବୀନଙ୍କ ସହ ବି ବେଶ୍‌ ଅବିଚ୍ଛେଦ୍ୟ ରହି ଯାଇଛନ୍ତି। ତାଙ୍କର ଉଦୟ ଓ ଅସ୍ତର କାହାଣୀ, ସେକ୍‌ସପିୟରଙ୍କ ପ୍ରସିଦ୍ଧ ପାଞ୍ଚଟି ଟ୍ରାଜେଡି ବିଷାଦାତ୍ମକ ନାଟକ ପରି ହୃଦୟ ବିଦାରକ ଅବଶ୍ୟ ହୋଇଛି। ତାଙ୍କ ପରେ ଅବଶ୍ୟ ପୂର୍ବାକାଶର ଉଦିତ ତାରକା ବନିଯାଇଛନ୍ତି ଆଉ ଜଣେ ବ୍ରାହ୍ମଣପୁତ୍ର ପ୍ରଶାସକ ପାଣ୍ଡିଆନ (ଆମ ଓଡ଼ିଆରେ ପଣ୍ଡା)। ପ୍ୟାରୀବାବୁଙ୍କ ଭଳି ଧାରୁଆ ଗମ୍ଭୀରମୟ, ଚାଣକିଆ ୟେ ନ ହେଲେ ବି ବଡ଼ ଛନଛନିଆ, କନକନିଆ ଏଙ୍କ ବୃଦ୍ଧି, ସମୃଦ୍ଧି। ଟୋକାଟାକେଳିଆ ଚେହେରାର ହେଲେ ବି ଆଖି ତାଙ୍କର ମହା ଇସାରାରେ ସର୍ବଦା ଛନକା ସୃଷ୍ଟିକାରୀ। ନବୀନଙ୍କ ଚେରକୁ ଖାଲି ଗହୀରିଆ ନ କରି ଚେକାମାଡ଼ିଆ କରିବାରେ ପାଣ୍ଡିଆନଙ୍କ ଚକମାକୁ କିଏ ଧାପ ଦେଇ ପାରୁ ନାହାନ୍ତି।

- Advertisement -

ପାଣ୍ଡିଆନ ସାହେବ ପ୍ୟାରୀବାବୁଙ୍କ ଭଳି ବି ଆଇ.ଏ.ଏସ୍‌.। ତାଙ୍କ ସହଧର୍ମିଣୀ ବି ଆଇ.ଏ.ଏସ୍‌. ଓ ବ୍ରାହ୍ମଣ କନ୍ୟା। ବୁଦ୍ଧି, ଇଲମ, କଲମ ଏଠି କଲମି ବନିଯାଇଛି। କିଏ ତାଙ୍କ ସରି କୋଉ ହେବ ହେଉଥା’! କେନ୍ଦ୍ରରେ ଏଇଲେ ସେମିତି ଝଟକୁଛନ୍ତି ମୋଦିଜୀ। କିଛିଦିନ ତଳେ ମୋଦିଜୀଙ୍କ ଜଣେ ପାଖଲୋକ, କ୍ୟାବିନେଟ ମନ୍ତ୍ରୀ, ଜଣେ ସାମ୍ବାଦିକଙ୍କ ଏକ ଖବର ଉପରେ ଖପ୍ପା ହୋଇଗଲେ। ଏମିତି ଖପ୍ପା ହେଲେ ଯେ କହି ପକେଇଲେ, ‘‘ତମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ’ଣ ବୋଲି ଭାବିଛ କି? ଲୋକେ ତାଙ୍କୁ ଭଗବାନଙ୍କ ଅବତାର ବୋଲି ଭାବୁଛନ୍ତି।’’ ଅବଶ୍ୟ କଥାଟା ଆକ୍ଷରିକ ସତ୍ୟ ନ ହେଲେ ବି ସେଇ ପାଖାପାଖି ବୋଲ। ଦେଶ ସ୍ବାଧୀନତା ପରେ ଏଇ ରାଜନୀତିଆଙ୍କ ଦ୍ବାରା ଦେଶ ପ୍ରାୟ ସତୁରି ପଞ୍ଚସ୍ତରି ବର୍ଷ ଧରି ଶୋଷିତ ହେବା ପରେ ମୋଦୀଙ୍କ ଆବିର୍ଭାବ ଓ କାର୍ଯ୍ୟାନୁଷ୍ଠାନ ଢେର ସାହସିକ, ବୈପ୍ଳବିକ। କାଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହାର, ନିର୍ଯାତିତା ମୁସଲମାନ ମହିଳାମାନଙ୍କ ଉପରେ ଝୁଲୁଥିବା ତଲାକ୍‌-ଖଣ୍ଡାକୁ ଉଠାଇ, ବିରୁଡ଼ି ବସାରେ ହାତ କିଏ କାଇଁ ମାରିପାରିଥିଲେ? ମଣିଷପଣିଆ, ମାନବବାଦ, ମହିଳାଙ୍କୁ ମା’ ଓ ଦେବୀର ସମ୍ମାନ ଦେବାର ଏ ସାହସ କାଇଁ ଆଉ କିଏ ଦେଖେଇଥିଲା? ମାନନୀୟ ମନ୍ତ୍ରୀଙ୍କ କଥା ନୁହଁ, ଭାବରେ ଆମେ ବି ସହମତ, ସହଭାଗୀ।

ଛାଡ଼ନ୍ତୁ ସେ କଥା। କୋଉ କଥା କହିବାକୁ ଯାଇ କୋଉ କଥାରେ ପଶୁଛେ! କଥା ତ ଅଛି ‘‘ଦେଉଳ ତୋଳିଲେ ନାଁ ପଡ଼େ, ବାଟରେ ହଗିଲେ ବି ନାଁ ପଡ଼େ।’’ ରାଜନୀତିଆଗୁଡ଼ା ପ୍ରାୟତଃ ବାଟହଗୁରା କୁମ୍ପାନୀର। ତାଙ୍କ ଚାରି ଖୁରାକୁ ଦଣ୍ଡବତ। ତାଙ୍କ ପ୍ରତି କଥାରେ ଗୋଟେ ସ୍ବାର୍ଥ ଛପିଥାଏ। ତେଣୁ ଏମିତି କାମଗୁଡ଼ା ହୃଦଛୁଆଁ ହୋଇପାରେନି। ମାତ୍ର ହିରୋମାର୍କିଆ ପାଣ୍ଡିଆନଜୀଙ୍କ କଲମ, ଇଲମ ତ କଲମୀ ଢଙ୍ଗର, ଭାବର। ସେ ଗୋଟାଏ ‘ପାଞ୍ଚ ଟି’ ଆରମ୍ଭ କରିଛନ୍ତି। ସେଗୁଡ଼ା ବି କାମରେ ବେଶ୍‌ ଆଖି ତରଟା ହେଉଛି। ଆମ ରାଜ୍ୟରେ ବିଦ୍ୟାଳୟ ସଂସ୍କାର କାର୍ଯ୍ୟକ୍ରମ। କାହିଁ କେତେ ବର୍ଷର ଅବହେଳିତ ପୁରୁଣା ଇସ୍କୁଲ ସବୁରେ କାଉଁରୀ କାଠି ବାଜିଲା କି! ରାଇଜସାରା ଇସ୍କୁଲ ସବୁ ଝଲମଲିଆ ଦିଶିଲା। ବିଦ୍ୟାଳୟ, ବୌଦ୍ଧିକ ଭାବ, ଇଲମ ପ୍ରଦାନ କେନ୍ଦ୍ର, ପୀଠ ପରି ଲାଗିଲା। ଏବେ ହାତ ମାରିଛନ୍ତି ‘‘ମନ୍ଦିର ଉପରେ, ଦେଉଳ ଉପରେ।’’ ନାଁ ଟା ହାଟ ବଜାରରେ ପଡ଼ିବାଟା ସାରା ଜାଣ। ବଡ଼ ଦେଉଳ ଚାରିପଟ ପରିକ୍ରମା କଥାଟା ଟିକିଏ କେମିତି ବେଆଡ଼ିଆ ଧରିଲା। ସେଥିରେ ରାଜନୀତିଆ ଛୁଙ୍କ ଦେବାକୁ ଆଉ ଜଣେ ସୌମ୍ୟା ଆଇ.ଏ.ଏସିଆଣୀ, ରାଜନୀତିଆଣୀ ଏବେ ବଡ଼ଦାଣ୍ଡରେ ପଦ ଯାତ୍ରା ଆରମ୍ଭ କରିଦେଲେ।

ମୋଦୀ ସାଂସଦ ଭବନ ଆଗରେ ମୁଣ୍ଡ ମାଟିରେ ଲଗାଇ ଦଣ୍ଡବତ କରି ସାରା ଦେଶବାସୀଙ୍କ ପ୍ରବଣତାକୁ ଚହଲେଇ ଦେଲା ପରି ଇଏ ଅରୁଣ ସ୍ତମ୍ଭ ପାଖରେ, ବଡ଼ ଦେଉଳ ଆଗରେ ପୂରା ସାଷ୍ଟାଙ୍ଗ ଦଣ୍ଡବତ କରିଦେଲେ। ମଲା ମଲା ଦାମୀ ଶାଢ଼ିଟା ମଇଳା, ଦାଗୁଆ ହୋଇଯିବନି!! ହେଉ, ସେଥିକୁ କୁ ଖାତର ଅଛି ମାଡାମ୍‌ ଅପରାଜିତାଙ୍କର। ଭାବକୁ ଭିତରେ ଲୁଚେଇ ରଖିଲେ କି ଲାଭ। ପ୍ରଭୁଙ୍କ ସହ ଜନତା ବି ଜାଣନ୍ତୁ। ତାଙ୍କ ଦଳୀୟ ବିରୋଧୀଗୁଡ଼େ ଏ ଯାତ୍ରାକୁ ସିନା କଇଁଥିଣିଆ କରିଦେଲେ, ମାତ୍ର ମାଡାମ୍‌ ଭୁଲ ଥୋପଟେ ପକେଇଥିଲେ। ହଉ ଏପଟ ଥୋପ ପକାପକିକୁ ଦେଖିଲା ବେଳକୁ ସେପଟ ପାଣ୍ଡିଆନ ମେଜିକ (ମାୟା) ଥୋପ ଖସିଯିବ। ବଡ଼ ଦେଉଳ ପରେ, ସେ ହିଙ୍ଗୁଳା ନିଆଁ ଡେଇଁଲା ପରି ଲିଙ୍ଗରାଜ ମନ୍ଦିରକୁ ଡେଇଁଲେ। ଧବଳେଶ୍ବର ପରେ ଏବେ ନୀଳମାଧବଙ୍କ ଠେଇ ପାଞ୍ଚଟି ଥୋପ ପଡ଼ିଲା ଲୋ ବୋପା। ବିରୋଧୀବାଲାଙ୍କ ମଥାମଣି ଭାଙ୍ଗିଦେବେ ନା କ’ଣ ମ? ସତରେ ଅବହେଳିତ ଏ ମନ୍ଦିର ସବୁ ଏ ଦେଶର ରାଜନ୍ୟମଣ୍ଡଳୀ ଦ୍ବାରା ସ୍ଥାପିତ, ପ୍ରତିଷ୍ଠିତ।

ଏହା ପଛରେ ଜନତାର, ପ୍ରାଚ୍ୟ ଦର୍ଶନ ଓ ଭାବ ବେଶ୍‌ ଜମାଟ ବାନ୍ଧି ରହିଛି। ଭକ୍ତ ପାଇଁ ସାକ୍ଷୀ ଦେବାକୁ ଆସି ସାକ୍ଷିଗୋପାଳ, କଳାଗାଈକୁ ଧଳା କରି ଭକ୍ତଙ୍କୁ ରାଜଦଣ୍ଡରୁ ରକ୍ଷା କରିଥିବା ଧବଳେଶ୍ବର, ଭକ୍ତ ପାଇଁ ଘନାବର୍ତ୍ତ ଖିର ଲୁଚେଇ ନିଜ ଲୁଗା ତଳେ ରଖିଥିବା ଖିରଚୋରା ଗୋପୀନାଥ, କଳାପାହାଡ଼କୁ ଦୁଆରେ ବସାଇ ରାମଚଣ୍ଡୀଙ୍କ ମନ୍ଦିରରୁ ବାହାରି ଯିବା କଥା ଆଦିକୁ କିଏ ମିଛ ବୋଲି କହୁ ତ ଦେଖି! ‘‘ଭଲା ରାମଚଣ୍ଡୀ ଭଲା, କଳା ପାହାଡ଼କୁ ଦୁଆରେ ବସାଇ ଭଲା ପାଣି ଆଣି ଗଲା’’ କଥା କାଇଁ କେତେଶ ବରଷ ହେଲା ଏ ଲୋକ ମୁଖରେ ଗଡ଼ି ଆସୁଥିବାବେଳେ ଏ ଦେଶର ଦେବଦେବୀଙ୍କ ଅପାର କରୁଣା, କୃପା ଓ ଲୀଳାରେ କେମିତି ଆଖି ଲୁହରେ ସ୍ନାତ ହୁଏ ଏ ଜନତାଙ୍କର ତା’ କ’ଣ ବୃଥା, ଲୋକଦେଖାଣିଆ? ଆଦୌ ନୁହଁ। ଗାଲୁଆ, ନାସ୍ତିକଙ୍କ ଗୋଷ୍ଠୀ, ଗୋଠ ଅଲଗା। ଧର୍ମରାଜ ଯୁଧିଷ୍ଠିର କାହାକୁ ମୂର୍ଖ କହନ୍ତି ‘‘କୋ ମୂର୍ଖ ଉଚ୍ୟତେ’’ ପ୍ରଶ୍ନର ଉତ୍ତରରେ କହିଛନ୍ତି ‘‘ନାସ୍ତିକ ମୂର୍ଖ ଉଚ୍ୟତେ।’’ ଛାଡ଼ନ୍ତୁ ସେ ବୌଦ୍ଧିକ ବ୍ୟାଖ୍ୟାନ କଥା। ଏଇଲେ ପଡ଼ିଛି ପାଣ୍ଡିଆନ ସାଇବଙ୍କ ମନ୍ଦିର ଝଲସା କଥା। ଏଥିରେ ସମସ୍ତେ କୃତକୃତ୍ୟ। ଦେବୋତ୍ତର ବିଭାଗଟା ଖାଲି ମଠ ମନ୍ଦିରକୁ ଲୁଟୁଥିଲା, ନାଶୁଥିଲା।

ଯା’ ହେଲେ ବି ଏତେ ବର୍ଷ ପରେ ଏମିତି ବିଧାନଗତ ଭାବେ ମନ୍ଦିର ସବୁକୁ, ମଣିଷର ବିଶ୍ବାସର ଏ ଅଦ୍ବିତୀୟ ପୀଠକୁ କିଏ ସଂସ୍କାରଆଡ଼ିଆ କରୁଥିଲା? ଏଥିରେ ପାଣ୍ଡିଆନ ସାଇବ ଶତକଡ଼ା ଶହେ ନମ୍ବର ରଖିଥାନ୍ତେ, ବୋଲ ଚଉକା ବାଡ଼େଇଥାନ୍ତେ। ମାତ୍ର ତା’ ହଉନି ଭଳି ଲାଗୁଛି। ରାମକୃଷ୍ଣ ତ କହିଲେ, ‘‘ସାଧୁଏ ଧରନ୍ତି ଭେକ, ଏଥିରେ କି ଅଛି କାରଣ ଦେଖ, ମୋ ବାଇଧନ ବେଶରେ ମନର ଟେକ। ପିନ୍ଧି ଲୁଗା ପରିପାଟୀ, ସୁନ୍ଦର ଫିରାଇ ମୁଣ୍ଡରେ କାଟି, ମୋ ବାଇଧନ, ମନରେ ଯେ ଭାବନାଟି। ସାଧୁଙ୍କର ଭେକ ଧରି ଗେରୁଆ ଲୁଗାରେ ଦେହ ଆବୋରି ମୋ ବାଇଧନ ଆସେ କି ଭାବ ସେପରି।’’ କଥାଟା ସତ। ଏକୁ ପାଣ୍ଡିଆନ ସାଇବ ବୁଝି ନଥିବେ ତା’ ନୁହଁ। ମାତ୍ର ଏ ରାଜନୀତି ବଡ଼ ପିଚ୍ଛିଳ ବାଟ। ଦେହ ମନ ଏଥିରେ ଝାଣି ଝୁଣି ହୋଇଯିବ। ମନେପଡ଼ୁଛି ରବି ଠାକୁରଙ୍କର ଜେଲବାସୀ ଗାନ୍ଧୀଙ୍କ ସହ ଏକ ପ୍ରାଣଛୁଆଁ ସାକ୍ଷାତ୍‌କାର କଥା। ଏଇ ସ୍ତମ୍ଭରେ ବେଙ୍ଗ ବେଙ୍ଗୁଲୀ ସାଗ୍ରହୀ, ଗୁଣଜ୍ଞ ପାଠକଙ୍କ ନିକଟରେ ସେ କଥାର ଅବତାରଣା କରିଥିଲା। ଏଇ ପ୍ରସଙ୍ଗରେ ତାକୁ ଆଉ ଥରେ ବାଢ଼ିବାକୁ ମନ ହେଉଛି। କାରଣ ‘‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ।’’ ସତରେ ଇଂରାଜୀ କବି ଡବ୍ଲ୍ୟୁ. ବି. ଇଟ୍‌ସଙ୍କ ୟେ ‘ଏ ଥିଙ୍ଗ ଅଫ୍‌ ବିଉଟି ଇଜ ଜୟ ଫର ଏଭର।’’ ଦୁଇ ମନୀଷୀଙ୍କର ଏଇ ଐତିହାସିକ ସାକ୍ଷାତକାର ଯଶସ୍ବୀ, ଅମର କବି ରାଧାମୋହନ ଗଡ଼ନାୟକ ଲେଖିଛନ୍ତି, ‘‘ଜୀବନେ ତୁମର କାରାବରଣ ତ ଦେଇ ପାରେ ନାହିଁ ଦୁଃଖ, ଗଭୀର ବିଷାଦେ ଗାନ୍ଧିଜୀ କିଆଁ ମଳିନ ଦିଶୁଛି ମୁଖ?’’ ୟାରାବାଡ଼ କାରାବାସେ କବି ରବୀନ୍ଦ୍ର ସାକ୍ଷାତ କରି ପଚାରିଲେ ଧୀର ବାସେ? ତା’ର ଉତ୍ତରରେ ଗାନ୍ଧୀ କହିଥିବା କଥାରୁ କିୟଦଂଶ ଉଦ୍ଧୃତ, ‘‘ଜୀବନେ ମୋହର ରାଜନୀତି ବୋଲି ଧରିଅଛି ଯେଉଁ ପଥ, ପଦେ ପଦେ ତା’ର ଲାଗି ରହିଅଛି ଝଞ୍ଜା ଝଟିକା ଶତ।’’ ସତରେ ଅନୁଭବୀ ଜଣେ ଜାଣେ ଏ ବାଟରେ, ଜନସେବାରେ ଖଣ୍ଡିଆ ଖାବରା ଓ ଆହତ ହେବା କେତେ ସାଧାରଣ।

ତା’ ପରେ ମଠ ମନ୍ଦିରର ସ୍ଥୂଳ ଅବସ୍ଥିତିରୁ କ’ଣ ଜଣଙ୍କର ଅନ୍ତର୍ନିହିତ ଭାବ ଆକଳିତ କି ପ୍ରଚୋଦିତ ହୋଇପାରିବ? ଚଳନ ଅର୍ଗଳି ଡେଇଁ, ଜଗନ୍ନାଥଙ୍କ ବେଢ଼ା ଭିତରେ ବଡ଼ପଣ୍ଡାଙ୍କ ହାତରେ କେତେ ‘ନଡ଼ିଆ’ ମନ୍ତ୍ରଧ୍ବନିରେ ବାଡ଼ିଆ ନ ହେଉଛି? କାଇଁ, ଅଛୁଆଁ ଦାସିଆ ବାଉରି, ବଡ଼ ଦେଉଳ ବାହାରେ, ବଡ଼ ଦାଣ୍ଡ ଆର କଡ଼େ ଠିଆ ହୋଇ ଲୁହ ଜୁଡ଼ୁବୁଡ଼ୁ ନଡ଼ିଆ ଯେତେବେଳେ ଜଗନ୍ନାଥଙ୍କ ଆଡ଼େ ବଢ଼ାଇଲା, ତାକୁ ଜଗନ୍ନାଥ ହାତ ବଢ଼େଇ ସେଦିନ ନେଇ ଯାଇଥିବା କଥା କ’ଣ ମିଛ? ଆଦୌ ନୁହଁ। ବିଶ୍ବାସବୋଧ ଯାହାର ପାଣ୍ଠି, ଭୂମି ତା’ ବୋଧଗମ୍ୟ ଇଏ କେବଳ। ମନ୍ଦିର ସଂସ୍କାରରେ ଭକ୍ତିଭାବ ଉଦ୍ରେକ ଜାଗରଣ ନ ହୋଇ ଯଦି ପ୍ରିୟତମା ବା ପ୍ରେମିକାଙ୍କ ସହ ହାତ ଛନ୍ଦାଛନ୍ଦି ହୋଇ ଖାଲି ‘ସେଲ୍‌ଫି’ ବାଇ ଜନତା ହୁଅନ୍ତି, ଆହାରେ ସେ ଭାବ କୁଆଡ଼େ ଗଲା, କି ଦୂରନ୍ତ ହୋଇଗଲାରେ!! ପାଞ୍ଚ ତାରକା ହୋଟେଲର ବିରିଆନି ଆଉ ବୋଉର ପଖାଳ ତୋରାଣିର ଫରକ କିଏ ଅନୁଭବିବ କହୁନା?? ମନ୍ଦିର ସଂସ୍କାରର ପତାକା ଫରଫର ଉଡ଼ାଉଥିବା ବେଳେ, ତା’ ତଳେ ଦେଶୀ ବିଦେଶୀ ମଦ ଦୋକାନ ଥିଲେ, ଇଏ ଭକ୍ତ ନା ଓଲିଆମି କାହାର ସମ୍ପ୍ରସାରଣ କରୁଛି, ପୃଷ୍ଠପୋଷକତା କରୁଛି? ଆଜି ସୁଦୂର ମଫସଲ ଗାଁରେ ବିଦେଶୀ ମଦ ଦୋକାନର ନିଶାରେ ଶହଶହ ଯୁବକଙ୍କ ଜୀବନ ଯୌବନ ଓ ସଂସାର କେମିତି ଉଜୁଡ଼ି ଯାଉଛି କିଏ ଦେଖୁନି? ପାଣ୍ଡିଆନ ସାହେବଙ୍କ ଏ ଦିଗନ୍ତବିସ୍ତାରୀ ଜୟଯାତ୍ରାରେ ହାଣ୍ଡିଏ ଅମୃତରେ ଏ ମଦ ପ୍ରସାର ଟୋପାଏ ବିଷର ପରିଣତି ସୃଷ୍ଟି କରୁନି ତ? ବିଚାର କରନ୍ତୁ, ସଭିଏଁ। ଜୟ ଜଗନ୍ନାଥ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories