ପ୍ରାଚୀନ ଭାରତର ପଞ୍ଚାୟତଗୁଡ଼ିକରେ ଗଣତାନ୍ତ୍ରିକ ଶାସନ ସଂସ୍କୃତି ଊଣା ଅଧିକେ ଥିଲା। ତେବେ ତାହା ସମଗ୍ର ଦେଶ ସ୍ତରକୁ ବ୍ୟାପୀ ନଥିଲା। ବୁଦ୍ଧଙ୍କ ସମୟରେ ଲିଚ୍ଛାବୀମାନେ ଏ ପ୍ରକାର ଶାସନ ପଦ୍ଧତିରେ ଶାସିତ ହେଉଥିବାର କିଛି ପ୍ରମାଣ ଥିଲେ ବି ତାହା ପୂର୍ଣ୍ଣ ଭାବେ ବିକଶିତ ହୋଇନଥିଲା। ପ୍ରାଚୀନ ଚୀନ ଦେଶରେ ଅନୁରୂପ ଶାସନ ପଦ୍ଧତିର ସମାନ ଅନୁଭୂତି ମିଳିଥିଲା। କେବଳ ଗ୍ରୀକ୍ ଓ ରୋମାନମାନେ ହିଁ ରାଜନୀତିର ତାତ୍ତ୍ବିକ ଓ ବାସ୍ତବ କ୍ଷେତ୍ରରେ ବିଭିନ୍ନ ପ୍ରକାର ପ୍ରରୀକ୍ଷଣ ଚଳାଇଥିବାର ଅନେକ ପ୍ରମାଣ ରହିଛି। ଖ୍ରୀପୂ ୪୮୦ରୁ ୪୩୦ ଯାଏ ୫୦ ବର୍ଷ କାଳ ପେରିକଲସଙ୍କ ନେତୃତ୍ବରେ ଗ୍ରୀସର ଏଥେନ୍ସରେ ଏ ପ୍ରକାର ଶାସନ ଆଦର୍ଶ ଢଙ୍ଗରେ ଚାଲିଥିଲା। ଦଶବର୍ଷ ପୂର୍ବରୁ ପାରସ୍ୟ ଆକ୍ରମଣରେ ଭାଙ୍ଗିରୁଜି ଯାଇଥିବା ଏଥେନ୍ସ ସହରର ବିସ୍ତୃତ ଅଂଶ ସଜଡ଼ା ଯାଇ ନଷ୍ଟ ସଂସ୍କୃତିର ପୁନରୁଦ୍ଧାର କରାଯିବାପରେ ତାହା ଆଗକୁ ବଢ଼ିଥିଲା ଏବଂ ତାହାର ପଚାଶ ବର୍ଷର ସାଂସ୍କୃତିକ ଅଭ୍ୟୁଦୟ ସମଗ୍ର ପାଶ୍ଚାତ୍ୟ ସଭ୍ୟତାକୁ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କଥା ଐତିହାସିକ ୱିଲ ଡୁରାଣ୍ଟ କହିଛନ୍ତି; କିନ୍ତୁ ପରବର୍ତ୍ତୀ ଶହେବର୍ଷ ଭିତରେ ଘଟିଥିବା ଅାନ୍ତଃରାଷ୍ଟ୍ର ସଂଘର୍ଷ ଯୋଗୁଁ ଏହି ସଂସ୍କୃତିର ଅବକ୍ଷୟ ଘଟିଲା। ଏହି କାରଣରୁ ମହାମନା ସେକ୍ରଟିସଙ୍କ ଭଳି ବ୍ୟକ୍ତିଙ୍କର ନୈତିକତା, ଉନ୍ନତ ଚରିତ୍ର ଓ ସାମାଜିକ ଜୀବନାଦର୍ଶ କିମ୍ବା ଦାର୍ଶନିକ ବାଣୀଗୁଡ଼ିକ ନିଚ୍ଛକ ରାଜନୀତିରେ ପ୍ରମତ୍ତ ଏଥେନ୍ସବାସୀଙ୍କ କଳୁଷିତ ଜୀବନ ଶୈଳୀକୁ ତିଳେ ବି ପ୍ରଭାବିତ କଲା ନାହିଁ। ସେମାନେ ରାଜଦ୍ରୋହ ଓ ଯୁବକମାନଙ୍କୁ ପଥଭ୍ରଷ୍ଟ କରିବା ଅଭିଯୋଗ ଆଣି ତାଙ୍କୁ ବିଷଦେଇ ହତ୍ୟା କଲେ।
ଏହା ସହିତ ଏହାଠାରୁ ଆହୁରି ମର୍ମନ୍ତୁଦ ଯିଶୁଖ୍ରୀଷ୍ଟଙ୍କ କ୍ରୁଶବିଦ୍ଧ ହତ୍ୟା ମନୁଷ୍ୟର କାର୍ଯ୍ୟକଳାପକୁ କେବଳ ରାଜନୀତିର ଦୃଷ୍ଟିରୁ ଦେଖାଯିବା ଭଳି ଦୃଷ୍ଟିଭଙ୍ଗୀରୁ ଦୁଇଟି ଜ୍ବଳନ୍ତ ଉଦାହରଣ ଥିଲା। ଏଥେନ୍ସର ଏହି ତଥାକଥିତ ଗଣତାନ୍ତ୍ରିକ ଶାସନକୁ ପ୍ଲେଟୋ ମୋବୋକ୍ରେସି ବା ବିବେକହୀନ ଶାସନ ଆଖ୍ୟା ଦେଇ ତାହାକୁ ବିରୋଧ କରିଥିଲେ। ଏ ପ୍ରକାର ଶାସନରେ ଥିବା ଏଥେନ୍ସ ନଗର ରାଷ୍ଟ୍ରଟି ଅନ୍ୟ ଏକ ନଗର ରାଷ୍ଟ୍ର ସ୍ପାର୍ଟାର ଅଧିବାସୀଙ୍କ ସଙ୍ଗେ ତିରିଶବର୍ଷ ବ୍ୟାପୀ ଯୁଦ୍ଧ ଲଢ଼ିଲା ପରେ ଅନ୍ୟାନ୍ୟ କେତେ ରାଷ୍ଟ୍ର ସମେତ ଏହି ଦୁଇଟି ରାଷ୍ଟ୍ରକୁ ମେସିଡୋନିଆ ରାଜ୍ୟର ଶାସନ ଆଲେକଜେଣ୍ଡାର ନିଜ ଶାସନାଧୀନ କଲେ। ଆହୁରି କେତେବର୍ଷ ପରେ ଗ୍ରୀସକୁ ରୋମର ଶାସକ ଆକ୍ରମଣ କରି ନିଜ ରାଜ୍ୟରେ ମିଶାଇ ଦେଲେ। ଏହି ରୂପେ ନିଜର ସାଂସ୍କୃତିକ ବୈଭବ ଯୋଗୁଁ ଦିନେ ଉଚ୍ଚ ପ୍ରତିଷ୍ଠା ଲାଭ କରିଥିବା ଗ୍ରୀସର ସମସ୍ତ ଐତିହ୍ୟ ଇତିହାସରୁ ସଂପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଗଲା। ନଗର ରାଷ୍ଟ୍ର ଏଥେନ୍ସରେ ଗଣତନ୍ତ୍ର ଭବିଷ୍ୟତରେ ଆଉ କେବେ ମୁଣ୍ଡ ଟେକି ଉଠିନଥିଲା, ଯଦିଓ ମଧ୍ୟଯୁଗୀୟ ଇଟାଲୀରେ ଏହା କେତେଦିନ ଭେନିସୀୟ ଗଣତନ୍ତ୍ର ରୂପେ ଦେଖାଦେଇଥିଲା।
ଗଣତନ୍ତ୍ର ଶବ୍ଦଟିକୁ ଭିନ୍ନଭିନ୍ନ ଦେଶରେ ଲୋକେ ଅଲଗା ଅଲଗା ଅର୍ଥରେ ବୁଝୁଥିବା କଥା ଇତିହାସ କହେ। କେଉଁଠି ଅଳ୍ପ କେତେକ ବ୍ୟକ୍ତି ସୈନ୍ୟ ବଳରେ ଶାସନ କରିବା ପ୍ରଣାଳୀକୁ ତ ଅନ୍ୟ କେଉଁଠି ପାଗଳ, ଅଭ୍ୟାସଗତ ଅପରାଧୀ ଓ ଅଭିଜାତ ବର୍ଗଙ୍କୁ ବାଦ୍ ଦେଇ ବୟସ୍କମାନେ ସମାନଭାବେ ରାଜନୈତିକ କ୍ଷମତାକୁ ବାଣ୍ଟିନେବା ପ୍ରଥାକୁ ମଧ୍ୟ ଗଣତନ୍ତ୍ର ଶାସନ କୁହାଯାଉଥିଲା। ଫ୍ରାନ୍ସରେ ଅତ୍ୟାଚାରୀ ରାଜା ଷୋଡ଼ଶ ଲୁଇଙ୍କୁ ହତ୍ୟା କରି ସ୍ବାଧୀନତାକୁ ଜବରଦସ୍ତ ଛଡ଼ାଇ ଆଣିବା ପରେ ଫ୍ରାନ୍ସବାସୀ ଆଶା କରିଥିଲେ ଯେ ସୁଶାସନ ଫେରି ଆସିବ। ଠିକ୍ ସେମିତି ସ୍ବାଧୀନତା ଲାଭ ପରେ ଭାରତୀୟମାନେ ବି ସୁଶାସନର ସ୍ବପ୍ନ ଦେଖିଥିଲେ। କିନ୍ତୁ ସ୍ବାଧୀନତା ଶବ୍ଦର ପ୍ରକୃତ ଅର୍ଥ ବୁଝି ନଥିବାରୁ ଲୋକଙ୍କ ସାମାଜିକ ଓ ରାଜନୈତିକ ଜୀବନରେ ଶୃଙ୍ଖଳାର ଘୋର ଅଭାବ ଦେଖାଦେଇ ଅଫିସରେ ତଥା ନ୍ୟାୟାଳୟରେ ଉତ୍କୋଚର କାରବାର ବଢ଼ିବାରେ ଲାଗିଲା ଓ ଦିନକର କାମ ବର୍ଷକରେ ହେଲା। ରାସ୍ତାଘାଟ, ପୋଖରୀ, ନଦୀନାଳ ସବୁ ଅପରିଚ୍ଛନ୍ନ ହୋଇ ପ୍ରଦୂଷଣ ବଢ଼ିଲା ଏବଂ ବିନା ଲାଞ୍ଚରେ କୌଣସି କାମ ହେଲାନାହିଁ। ଲୋକେ କହିଲେ ବରଂ ଇଂରେଜଶାସନ ଏହାଠାରୁ ଯଥେଷ୍ଟ ଭଲ ଥିଲା।
ରୁଷିଆର ଜାରଙ୍କ ଶାସନ ଓ ଫ୍ରାନ୍ସରେ ଷୋଡଶ ଲୁଇଙ୍କ ଏକଛତ୍ରବାଦୀ ଶାସନରେ ଲୋକଙ୍କ ଅବସ୍ଥା ଦେଖି ମାର୍କସ୍ ଓ ଏଞ୍ଜେଲସ ଖଟିଖିଆ ଶ୍ରମିକମାନଙ୍କ ଦ୍ବାରା ଶାସନର ଏକ ଖସଡ଼ା ପ୍ରସ୍ତୁତ କରି ସୋଭିଏତ ରୁଷର ଯେଉଁ ପରୀକ୍ଷଣ କଲେ ବସ୍ତୁତଃ ତାହା ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ କମ୍ୟୁନିଜମ ନାମକ ଏକ ଗୋଷ୍ଠୀଗତ ଶାସନ ବ୍ୟବସ୍ଥା ଥିଲା, କିନ୍ତୁ କିଛିକାଳ ପରେ ଏହି ଧାରଣା ଦୃଢ଼ୀଭୂତ ହେବାରେ ଲାଗିଲା ଯେ କ୍ଷମତାସୀନ ଗୋଷ୍ଠୀଟିଏ ସେମାନେ ହିଁ କ୍ଷମତାରେ ଅଧିଷ୍ଠିତ କରିଥିବା ଶ୍ରମିକମାନଙ୍କୁ ନିଜ ହାନିଲାଭର କଥା ବୁଝିବାରୁ ଦୂରେଇ ଦେଇ ଫେସିଷ୍ଟ ଭଳି ନିଜେ ଶାସନ କରୁଛି। ପ୍ରକୃତରେ ଏକ ବିଶ୍ବାସଯୋଗ୍ୟ ନିର୍ବାଚନ ପଦ୍ଧତିରେ ଲୋକପ୍ରତିନିଧିମାନେ ବଛାଯାଇ ଶାସନଡୋର ନିଜ ହାତରେ ଧରିଲେ ହିଁ ତାହାକୁ ଗଣତାନ୍ତ୍ରିକ ଶାସନ କୁହାଯାଏ। କିନ୍ତୁ ଘଟଣାକ୍ରମେ ନିର୍ବାଚନ ପରେ ଯଦି ସମସ୍ତ ଶାସନକ୍ଷମତା ଜଣେ ବ୍ୟକ୍ତିର ନିୟନ୍ତ୍ରଣକୁ ଆସିଯାଏ ତେବେ ତାହାକୁ ‘ଫେସିଜମ’ କୁହାଯାଏ। ଗୋଟିଏ ଗୋଷ୍ଠୀର ନିୟନ୍ତ୍ରଣରେ ରହିଲେ ତାହା କମ୍ୟୁନିଷ୍ଟ ଶାସନର ଅନୁରୂପ ହୋଇଥାଏ। ଯଦି ଭୋଟରମାନଙ୍କ ହାତରେ ମଧ୍ୟେମଧ୍ୟେ ଶାସକମାନଙ୍କ ଦକ୍ଷତା ଆକଳନ କରିପାରିବା ଓ ଅପାରଗମାନଙ୍କୁ ଦଣ୍ଡିତ କରିପାରିବାର କ୍ଷମତା ରହନ୍ତା ତେବେ ତାହାକୁ ଏକ ଆଦର୍ଶ ଗଣତନ୍ତ୍ର ଶାସନର ଆଖ୍ୟା ଦିଆଯାଆନ୍ତା।
ଦୁଃଖର କଥା ଏ ପ୍ରକାର କଳ୍ପିତ ରୂପର ଗଣତନ୍ତ୍ର ଶାସନ ପୃଥିବୀର କୌଣସି ରାଷ୍ଟ୍ରରେ ଦେଖିବା ଏ ଯାଏ ସମ୍ଭବ ହୋଇନାହିଁ। ଜଣେ ବ୍ୟକ୍ତି ପାଖରେ କ୍ଷମତା ଠୁଳ ହେଲେ, ସେ ଯେତେ ଦକ୍ଷ ହେଉନା କାହିଁକି ଶାସନରେ ନିଶ୍ଚିତ ଭାବେ ଭ୍ରଷ୍ଟାଚାର ଓ ଦେଶରେ ଅରାଜକତା ଦେଖାଦେବ। ନିର୍ବାଚିତ ପ୍ରତିନିଧିମାନଙ୍କର ସଂଗଠନ ହାତରେ ବି କ୍ଷମତା ରହିଲେ ସେହି ପ୍ରତିନିଧିମାନେ ଯନ୍ତ୍ରଚାଳିତ ଦନ୍ତୁରିତ ଚକଟିଏ ଦାନ୍ତଭଳି ନିଜନିଜ ସ୍ଥାନରେ ରହି କର୍ତ୍ତବ୍ୟ ସମାପନ କରି ଚାଲିବେ ସିନା, ନିଜସ୍ବ ନିଷ୍ପତ୍ତି ନେବାର ଏତେ ଟିକେ ସ୍ବାଧୀନତା ସେମାନଙ୍କର ରହିବ ନାହିଁ। ପୃଥିବୀରେ ବସ୍ତୁତଃ ସବୁଦେଶରେ ରାଜତନ୍ତ୍ର ଶାସନର ବିଲୋପ ଘଟିଲାଣି। ହିଟଲର, ବିସମାର୍କ, ନେପୋଲିଅନ ଓ ମୁସୋଲିନଙ୍କ ଏକଛତ୍ରବାଦ ଗଲାଣି। କମ୍ୟୁନିଷ୍ଟ ଗୋଷ୍ଠୀର ଶାସନ ଭିତରେ ତଥାକଥିତ ପ୍ରୋଲିଟରିଏଟଙ୍କ ସ୍ବର ହଜିଗଲାଣି ସତ, ତଥାପି ମଧ୍ୟ ଦେଖାଯାଉଛି ମାଓସେତୁଙ୍ଗ, ଚ୍ୟାଙ୍ଗକଇସେକ, ମୋଲୋତୋଭ, କୃଶ୍ଚେଭ କିମ୍ବା ପୁଟିନଙ୍କ ରୂପରେ ଏକଛତ୍ରବାଦୀମାନେ ଆବିର୍ଭୂତ ହୋଇ ଶାସନର ଡୋରକୁ ହାତରୁ ଛାଡ଼ୁନାହାନ୍ତି।
ରୋମାନ ଭାଷାରେ ‘ପୋଲିଟି’ କହିଲେ ଶତାଧିକ ଲୋକ ବାସ କରୁଥିବା ଏକ ଅଞ୍ଚଳକୁ ବୁଝାଏ। ଅଞ୍ଚଳଟି ଏକ ନଗର ହୋଇଥିଲେ ‘ପୋଲିସ’ ଶବ୍ଦ ଏବଂ ମୁଖ୍ୟ ନଗରୀଟି ପାଇଁ ‘ମେଟ୍ରୋପୋଲିସ’ ଶବ୍ଦ ବ୍ୟବହାର କରାଯାଏ। ପୋଲିଟିରେ ବାସ କରିବାର ଢ଼ଙ୍ଗ ବା ପ୍ରଣାଳୀଗୁଡ଼ିକୁ ‘ପୋଲିଟିକସ’ ଶବ୍ଦ ବୁଝାଏ। ଶବ୍ଦଟି ବିସ୍ତାରିତ ଅର୍ଥରେ ପୋଲିଟିର ବାସିନ୍ଦା ବା ନାଗରିକ ପରସ୍ପର ସହିତ ମିଳିମିଶି ଚଳି ସମସ୍ତେ ସର୍ବାଧିକ ସୁବିଧା ଉପଭୋଗ କରିବାର ବାଟ ବାହାର କରିବା କଥାଟିକୁ ବୁଝାଏ।
ଏପରି ଭାବେ ଚଳିବାପାଇଁ ନିଶ୍ଚିତ ଭାବେ ପ୍ରତ୍ୟେକ ନାଗରିକଙ୍କୁ କିଛି ନିୟମ ପ୍ରଣୟନ ଓ ପାଳନର ଆବଶ୍ୟକତା ଥିଲା ଏବଂ ଟିକସ ଦେବାକୁ ହେଉଥିଲା। ଟିକସର ପରିମାଣ ନିର୍ଦ୍ଧାରଣ, ଆଦାୟ ଏବଂ ଆଦାୟ ପରେ ତାହାର ଉଚିତ ବିନିଯୋଗର ଦାୟିତ୍ବ ଗୋଟିଏ କ୍ଷୁଦ୍ର ଗୋଷ୍ଠୀକୁ ଦିଆଯାଉଥିଲା। ଶକ୍ତି ପ୍ରୟୋଗ ବଳରେ ଅନ୍ୟମାନଙ୍କ ଅଧିକାର ଉପରେ ହସ୍ତକ୍ଷେପ କରୁଥିବା ବ୍ୟକ୍ତିକୁ ଗ୍ରୀକ୍ ଭାଷାରେ ସ୍ବେଚ୍ଛାଚାରୀ, ଦୁଷ୍ଟ ଅଥବା ନିଷ୍ଠୁର ଆଖ୍ୟା ଦିଆଯାଉଥିଲା। ସେତେବେଳର ଗଣତନ୍ତ୍ର ଶାସନରେ ବିଧି ପ୍ରଣୟନ ପ୍ରକ୍ରିୟାରେ ନାରୀ ଏବଂ ଦାସଙ୍କୁ ଭାଗ ନେବାରୁ ବଞ୍ଚିତ କରାଯାଉଥିଲା। ତତ୍କାଳୀନ ଗ୍ରୀସ ଏବଂ ରୋମ୍ରେ ଏପରିକି ଅଳ୍ପ କିଛି ଶହବର୍ଷ ତଳ ପର୍ଯ୍ୟନ୍ତ ନାରୀମାନଙ୍କୁ ଜଣେ ସ୍ବାଧୀନ ନାଗରିକ ଭାବେ ଗଣନା କରାଯାଉନଥିଲା। ଏହା ସତ୍ତ୍ବେ ଏହି ସଭ୍ୟତାରେ ଜନ୍ମ ନେଇଥିଲେ ରାଜନୀତି କଳା ଓ ବାକ୍ପଟୁତା କ୍ଷେତ୍ରରେ ଅନେକ ପ୍ରବୀଣ ଓ ପ୍ରତିଭାବାନ ଚିନ୍ତାନାୟକ।
ଗଣତନ୍ତ୍ର ଶାସନ ବୋଲାଇ ବର୍ତ୍ତମାନ ଚାଲିଥିବା ଶାସନର ରୂପରୁ ତାହାର ଭବିଷ୍ୟତ ବିଷୟରେ ଆମେ କିଛି କହିପାରିବା ନାହିଁ ଏକଥା ସତ। କିନ୍ତୁ ତାହାର ଅତୀତ ବିଷୟରେ କିଛି ସୂଚନା ଆମେ ଐତିହାସିକ ୱିଲଡୁରାଣ୍ଟଙ୍କ ନିମ୍ନ ମନ୍ତବ୍ୟରୁ ପାଇଥାଉ। ସେ ଲେଖିଛନ୍ତି “Excepting machinery there is hardly anything secular in our culture that does not come from Greece.“ ଏଥିରୁ ମନେ ହେବ ଯେ ବିଜ୍ଞାନ ଓ ଧର୍ମ କ୍ଷେତ୍ରକୁ ଛାଡି ସଂସ୍କୃତିର ଅନ୍ୟ ସବୁ ବିଭାଗରେ ୟୁରୋପର ସବୁ ଦେଶ ମଧ୍ୟରେ ଗ୍ରୀସ ସବା ଆଗରେ ଥିଲା। ଡୁରାଣ୍ଟ ଆହୁରି ମଧ୍ୟ ଲେଖିଛନ୍ତି ଏଥେନ୍ସ ନଗର ରାଷ୍ଟ୍ରରେ ମୋଟ ତିନିଲକ୍ଷ ପନ୍ଦର ହଜାର ବାସିନ୍ଦା ଥିଲେ ବି ସେମାନଙ୍କ ନିୟମ ମତେ ମାତ୍ର ତେୟାଳିଶ ହଜାରଙ୍କୁ ସ୍ବାଧୀନ ନାଗରିକ କୁହାଯାଉଥିଲା। ଅନ୍ୟମାନେ ଶ୍ରମଜୀବୀ, ନାରୀ, କ୍ରୀତଦାସ ଅଥବା ବିଶେଦାଗତ ଥିବାରୁ ସେହି ଶ୍ରେଣୀରୁ ବାଦ୍ ପଡିଥିଲେ। ଅର୍ଥାତ୍ ଭୋଟ ଦେବା ଅଧିକାରରୁ ବଞ୍ଚିତ ଥିଲେ। ଶାସନ କାର୍ଯ୍ୟ ପରିଚାଳନା ପାଇଁ ଏହି ଭୋଟରମାନଙ୍କୁ ଖୋଲା ଆକାଶ ତଳେ ପାର୍ବତ୍ୟାଞ୍ଚଳର ଏକ ଅର୍ଦ୍ଧବୃତ୍ତାକାର ତାଳୁ ସ୍ଥଳରେ ମାସକୁ ଚାରିଥର ଏକାଠି ହୋଇ ଯାହା କିଛି ନିଷ୍ପତ୍ତି ନେବାକୁ ହେଉଥିଲା ଏବଂ ସେମାନଙ୍କୁ ଭାଷଣ ମାଧ୍ୟମରେ ପରାମର୍ଶ ଦେବାପରେ ଅଳ୍ପ କେତେ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ହିଁ ସୁଯୋଗ ଦିଆଯାଉଥିଲା। ସେମାନେ କିଛି ଭୁଲ୍ କଥା କିମ୍ବା ପ୍ରସଙ୍ଗ ବହିର୍ଭୂତ ପରାମର୍ଶ ଦେଲେ ଶ୍ରୋତାମାନେ ହୋ ହାଲ୍ଲା କରି କୁହାଇ ନଦେବାରୁ ସେମାନେ ମଞ୍ଚ ଛାଡି ଚାଲିଯାଉଥିଲେ ଏବଂ କୌଣସି ପ୍ରସଙ୍ଗରେ ମତ ନିଆଯିବା କଥା ଉଠିଲେ ହାତଟେକି ଭୋଟ ଦେଉଥିଲେ। ପ୍ରସଙ୍ଗଟି କୌଣସି ଉପସ୍ଥିତ ନଗରବାସୀ ସମ୍ପର୍କରେ ଥିଲେ ଗୋପନୀୟ ଭୋଟ ନିଆଯିବାର ବ୍ୟବସ୍ଥା ଥିଲା। ଏଥେନ୍ସର ଏହି ଗଣତନ୍ତ୍ର ଶାସନ ନାଗରିକଙ୍କ ସଂଖ୍ୟା ଅନୁପାତରେ କ୍ଷୁଦ୍ର ହେଲେ ବି ଉଭୟ ନ୍ୟାୟ ପ୍ରଦାନ ତଥା ଶାସନ ପରିଚାଳନାରେ ଅଧିକାର ପ୍ରଦାନ କ୍ଷେତ୍ରରେ ଆଦର୍ଶ ସ୍ତରୀୟ ଥିଲା।
ଆଧୁନିକ ୟୁରୋପର ରାଷ୍ଟ୍ରଗୁଡିକ ଏଥେନ୍ସ ତୁଳନାରେ ଉଭୟ ଜନସଂଖ୍ୟା ଓ ଆୟତନରେ ଯଥେଷ୍ଟ ବଡ଼ ଏବଂ ନାଗରିକମାନେ ଏଠି ସେଠି ବାଣ୍ଟି ହୋଇ ବାସ କରୁଛନ୍ତି। ତେଣୁ ଏକାଠି ବସି ରାଜନୀତିରେ ଭାଗନେବା କିମ୍ବା ଆଇନ ପ୍ରଣୟନ କରିବା ସମ୍ଭବ ନୁହେଁ। ଏହି କାରଣରୁ ହିଁ ପ୍ରତ୍ୟେକ ଅଞ୍ଚଳର ଭୋଟଦାନ ମାଧ୍ୟମରେ ପ୍ରତିନିଧି ପଠାଇବା ପ୍ରଥାଟି ପ୍ରଚଳିତ ହେଲା।



