ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ପଶୁ ପାଳନ ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି। କିନ୍ତୁ ସରକାର ଚାଷୀମାନଙ୍କ ପାଇଁ ଯୋଜନା ପ୍ରଣୟନ କରୁଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ନଥିବା ଯୋଗୁଁ କୌଣସି ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ସରକାର ପ୍ରଣୟନ କରୁଥିବା ଯୋଜନାଗୁଡିକ ଏଠାରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ବେଗୁନିଆ ବ୍ଲକ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଦୀର୍ଘ ବର୍ଷ ହେବ ପ୍ରାଣୀ ଚିକିତ୍ସକ ପଦବୀଟି ଖାଲି ପଡିଥିବା ବେଳେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ବିଶ୍ୱରଞ୍ଜନ ରାଉତ ଦାୟିତ୍ୱରେ ରହି ସମସ୍ତ କାର୍ଯ୍ୟ କରୁଥିଲେ। ସରକାର ତାଙ୍କୁ ପଦୋନ୍ନତି ଦେଇ ଏଠାରୁ ୬ ମାସ ହେବ ଖଣ୍ଡପଡା ବଦଳି କରିଦେବା ପରେ ଏଠାରେ ଏବେ ଦୁଇଟି ଯାକ ପଦବୀ ଖାଲି ପଡ଼ିଛି। ଫଳରେ ଏଠାରେ ଡାକ୍ତର ଏବଂ କର୍ମଚାରୀ ଅଭାବରୁ ବ୍ଲକ ଅଞ୍ଚଳରେ ପ୍ରାଣୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି।
ଦୀର୍ଘଦିନ ହେଲା ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ଅବହେଳିତ ଅବସ୍ଥାରେ ପଡିରହିଛି। ସ୍ଥାୟୀ ପ୍ରାଣୀଧନ ଚିକିତ୍ସକ ଏବଂ ଅତିରିକ୍ତ ପ୍ରାଣୀଧନ ଚିକିତ୍ସକ ନଥିବା ଯୋଗୁଁ ଗୋମିତ୍ରଙ୍କ ଭରସାରେ ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ନାହିଁ ନାହିଁରେ ଚାଲିଥିବା ଜଣାପଡିଛି। ଫଳରେ ଏହି ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଥିବା ଆଖ ପାଖ ପଞ୍ଚାୟତ ର ହଜାର ହଜାର ଜନସାଧାରଣ ସେମାନଙ୍କର ପଶୁ ସେବାରୁ ବଞ୍ଚିତ ହେଉଛନ୍ତି। ପ୍ରାଣୀ ଚିକିତ୍ସା କେନ୍ଦ୍ରର ଏଭଳି ଦୁରବସ୍ଥା ଯୋଗୁଁ ସଠିକ ସମୟରେ ଗାଈ, ଗୋରୁ, ଛେଳି, ମେଣ୍ଢା ଆଦିଙ୍କୁ ପ୍ରତିଷେଧକ ଟୀକାକରଣ କରିବାରେ ବ୍ୟତିକ୍ରମ ଘଟୁଛି। ଫଳରେ ଅଞ୍ଚଳରେ ପଶୁପାଳନ ପାଇଁ ଚାଷୀଙ୍କ ଆଗ୍ରହ କମୁଛି।ଅଞ୍ଚଳରେ ଗାଈ ଗୋରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବାବେଳେ ପଶୁଡାକ୍ତରଖାନାର ଏଭଳି ଦୁରାବସ୍ଥା ପଶୁପାଳକଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଉଛି।
ଜଣେ ଗୋମିତ୍ରଙ୍କ ସହାୟତାରେ ପ୍ରାଣୀସେବା ଚାଲିଥିବା ଭଳି ବିକଳ ଚିତ୍ର ବେଗୁନିଆରେ ଦେଖିବାକୁ ମିଳିଛି। ସରକାର ଏଠାରେ କାହାରିକୁ ସ୍ଥାୟୀ ଭାବେ ନିଯୁକ୍ତି ନଦେଇ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକଙ୍କୁ ଏଠାରୁ ବଦଳି କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି। ଏବେ କିଛିଦିନ ହେଲା ପ୍ରଶାସନ ଅନ୍ୟ କିଛି ବାଟ ନପାଇ ବୋଲଗଡ଼ ବ୍ଲକ ପ୍ରାଣୀ ଚିକିତ୍ସକ ଶଙ୍କର୍ଷଣ ମାହୁନ୍ତଙ୍କୁ ବେଗୁନିଆର ଅତିରିକ୍ତ ଦାୟିତ୍ୱ ଦେଇଥିବା ବେଳେ ସେ ସପ୍ତାହକୁ ଦୁଇଦିନ ଏଠାକୁ ଆସୁଛନ୍ତି। ଫଳରେ ଉଭୟ ଜାଗାରେ ପ୍ରାଣୀସେବା ବାଧାପ୍ରାପ୍ତ ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।



