ସାମ୍ବାଦିକଙ୍କୁ ପିଟି କ୍ଷମା ମାଗିଲେ ବିଡିଓ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାର ଏକ ବ୍ଲକର ଜଣେ ବିଡିଓ ଜଣେ ସାମ୍ବାଦିକଙ୍କୁ ପିଟିଛନ୍ତି। ଏ ନେଇ ସାମ୍ବାଦିକ ଜଣକ ଏସ୍‍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ଏସ୍‍ପି ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ଫଳରେ ବିଡିଓଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ସାମ୍ବାଦିକଙ୍କ ଭୁଲ ହେଉଛି ସେ ସଂପୃକ୍ତ ବିଡିଓଙ୍କ ବିରୋଧରେ ଏକ ଖବର ପରିବେଷଣ କରିଥିଲେ। ଖବରଟି ଥିଲା ଜଣେ ଭିକ୍ଷା ବୃତ୍ତି କରୁଥିବା ମହିଳା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ-୧୯ ରିଲିଫ ପାଣ୍ଠିକୁ ୫ ହଜାର ଟଙ୍କା ଦାନ କରିଥିଲେ। ଏହି ଦାନ ଅର୍ଥ ସେ ସଂପୃକ୍ତ ବ୍ଲକର ବିଡିଓଙ୍କୁ ଦେଇଥିଲେ। ବିଡିଓ ଟଙ୍କା ଗ୍ରହଣ କରିବା ପରେ ତାଙ୍କୁ କୌଣସି ରସିଦ ଦେଇ ନ ଥିଲେ ବୋଲି ସାମ୍ବାଦିକ ଜଣକ ତାଙ୍କ ଖବରରେ ଉଲ୍ଲେଖ କରିଥିଲେ। ଏହି ଘଟଣା ବିଡିଓଙ୍କୁ ଭାରି ବାଧିଥିଲା। ତେଣୁ ସେ ସଂପୃକ୍ତ ସାମ୍ବାଦିକଙ୍କୁ ତାଙ୍କ କାର୍ୟ୍ୟାଳୟକୁ ଡାକିଥିଲେ। ପୂର୍ବରୁ କାର୍ୟ୍ୟାଳୟରେ ୧୦ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ରଖିଥିଲେ। ସାମ୍ବାଦିକ ଜଣକ ତାଙ୍କ କାର୍ୟ୍ୟାଳୟରେ ପହଞ୍ଚିବା ପରେ ବିଡିଓ ନିଜେ ଏକ ବାଡି ଆଣି ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଚାଲିଥିବା ସମୟରେ ଉପସ୍ଥିତ ଥିବା ଜଣେ ଅସାମାଜିକ ତାଙ୍କ ମୋବାଇଲରେ ସୁଟିଂ କରିଥିଲେ।

ବିଡିଓଙ୍କ ନିର୍ଦେଶକ୍ରମେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଉଥିବାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ବିଡିଓ ଜଣକ ତାଙ୍କ ଦବଙ୍ଗ ଗିରିକୁ ଜାହିର କରିବା ପାଇଁ ଏପରି କରିଥିଲେ। ଏପରି କଲେ ଆଉ କେହି ତାଙ୍କ ବିରୋଧରେ ଖବର ପରିବେଷଣ କରିବେ ନାହିଁ ବୋଲି ସେ ଯୋଜନା କରିଥିଲେ। ହେଲେ ମାଡ ଖାଇବା ପରେ ସାମ୍ବାଦିକ ଜଣକ କେନ୍ଦ୍ରାପଡ଼ା ଫେରି ସମସ୍ତ ସାମ୍ବାଦିକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଫଳରେ ପରଦିନ କେନ୍ଦ୍ରାପଡାରୁ ୪୦ ଜଣ ସାମ୍ବାଦିକ, ସ୍ୱେଚ୍ଛାସେବୀ ଏସ୍‍ପିଙ୍କ ଭେଟି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ସଂପୃକ୍ତ ବିଡିଓଙ୍କ କାର୍ୟ୍ୟାଳୟ ଯେଉଁ ଥାନା ଅଧୀନରେ ଯାଉଛି ସଂପୃକ୍ତ ଥାନାକୁ ଯାଇ ଅଭିଯୋଗ କରିବାକୁ ଏସ୍‍ପି କହିଥିଲେ। ଫଳରେ ସାମ୍ବାଦିକମାନେ ଉକ୍ତ ଥାନାକୁ ଯାଇଥିଲେ। ସେଠାରେ ବିଡିଓଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ହାଲୁକା କରିବା ପାଇଁ ବିଡିଓ ସମ୍ପୃକ୍ତ ସାମ୍ବାଦିକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ହେଲେ ପାଲଟା ଅଭିଯୋଗ ମିଛ ବୋଲି ସଙ୍ଗେ ସଙ୍ଗେ ପ୍ରମାଣିତ ହୋଇଯାଇଥିଲା।

ମାଡ ମାରିଥିବା ବିଡିଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମ୍ବାଦିକମାନେ ଜିଲାପାଳ ସମର୍ଥ ବର୍ମାଙ୍କୁ ନିବେଦନ କରିଥିଲେ। ଫଳରେ ଜିଲାପାଳ ସଂପୃକ୍ତ ବିଡିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମ୍ବାଦିକଙ୍କୁ କହିଥିଲେ। ଏହା ଜାଣିପାରି ବିଡିଓ ଆଗୁଆ ସଂପୃକ୍ତ ସାମ୍ବାଦିକଙ୍କୁ କ୍ଷମା ମାଗିଥିଲେ। ଜୀବନରେ ଆଉ କେବେ ହେଲେ କୌଣସି ସାମ୍ବାଦିକଙ୍କୁ ଆକ୍ରମଣ କରିବି ନାହିଁ ବୋଲି କହିଥିଲେ।

Comments are closed.