କୋହଲି, ହରମନପ୍ରୀତ, ମାନ୍ଧାନା ବିସିସିଆଇର ଶ୍ରେଷ୍ଠ କ୍ରିକେଟର

0

ନୂଆଦିଲ୍ଲୀ : ଟିମ୍‍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବିଗତ ଦୁଇଟି ସିଜିନ (୨୦୧୬-୧୭ ଓ ୨୦୧୭-୧୮) ପାଇଁ ବିସିସିଆଇ ପକ୍ଷରୁ ଶ୍ରେଷ୍ଠ କ୍ରିକେଟର ମନୋନୀତ ହୋଇଛନ୍ତି। ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ହରମନପ୍ରୀତ କୌର ଓ ସ୍ମୃତି ମାନ୍ଧାନା ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ପୁରସ୍କୃତ ହେବେ। ଜୁନ ୧୨ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ କୋହଲିଙ୍କୁ ପଲି ଉମ୍ରିଗର ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରାଯିବ। ବିଗତ ଦୁଇଟି ସିଜିନରେ କୋହଲି ନିରବଚ୍ଛିନ୍ନଭାବେ ଉନ୍ନତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। କୋହଲି ୨୦୧୬-୧୭ ସିଜିନରେ ୧୩ଟି ଟେଷ୍ଟ ଖେଳି ୭୪ ହାରରେ ୧୩୩୨ ରନ ସ୍କୋର କରିଥିବାବେଳେ ୨୭ଟି ଦିନିକିଆରୁ ୮୪.୨୨ ହାରରେ ୧୫୧୬ ରନ ସ୍କୋର କରିଛନ୍ତି। ୨୦୧୭-୧୮ ସିଜିନରେ କୋହଲି ୬ଟି ଟେଷ୍ଟ ଖେଳି ୮୯.୬୦ ହାରରେ ୮୯୬ ରନ ସ୍କୋର କରିଛନ୍ତି। ଏହି ଦୁଇଟି ସିଜିନର ସଫଳତା ପାଇଁ କୋହଲିଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ଏହି ସମୟରେ କୋହଲି କ୍ରମାଗତ ଚାରିଟି ଟେଷ୍ଟ ଦ୍ୱିଶତକ ହାସଲ କରିବାରେ ବିଶ୍ୱର ପ୍ରଥମ କ୍ରିକେଟର ହେବାର ସୌଭାଗ୍ୟଲାଭ କରିଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ବିଗତ ତିନିବର୍ଷ ମଧ୍ୟରେ କ୍ରମାଗତ ୯ଟି ଟେଷ୍ଟରେ ବିଜୟୀ ହେବାର ଅଷ୍ଟ୍ରେଲିଆ ରେକର୍ଡ ସହ ସମକକ୍ଷ ହୋଇପାରିଥିଲା।
ଏଥର ବିସିସିଆଇ ପକ୍ଷରୁ ପ୍ରଥମ ଥର ପାଇଁ ଶ୍ରେଷ୍ଠ ମହିଳା କ୍ରିକେଟରଙ୍କୁ ପୁରସ୍କୃତ କରାଯିବ। ୨୦୧୬-୧୭ ସିଜିନ ପାଇଁ ଭାରତୀୟ ଦିନିକିଆ ଦଳର ଅଧିନାୟିକା ହରମନପ୍ରୀତ କୌର ଓ ୨୦୧୭-୧୮ ସିଜିନ ପାଇଁ ସ୍ମୃତି ମାନ୍ଧାନା ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତବର୍ଷ ମହିଳା ବିଶ୍ୱକପରେ ଭାରତକୁ ରନର୍ସଅପ୍‍ କରିବାରେ ଏହି ଦୁଇ ଖେଳାଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ୨୦୧୬-୧୭ ସିଜିନ ପାଇଁ ସ୍ୱର୍ଗତ ପଙ୍କଜ ରାୟଙ୍କୁ ମରଣୋତ୍ତର ଭାବେ କର୍ଣ୍ଣେଲ ସି.କେ. ନାୟୁଡୁ ଟ୍ରଫି, ପୂର୍ବତନ ମହିଳା କ୍ରିକେଟର ଡାଏନା ଏଡୁଲଜିଙ୍କୁ ବିସିସିଆଇ ଜୀବନବ୍ୟାପୀ ପୁରସ୍କାର (ଡାଏନାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ), ଶ୍ରେଷ୍ଠ ପୁରୁଷ କ୍ରିକେଟରଭାବେ ବିରାଟ କୋହଲିଙ୍କୁ ପଲି ଉମ୍ରିଗର ଟ୍ରଫି, ହରମନପ୍ରୀତ କୌରଙ୍କୁ ଶ୍ରେଷ୍ଠ ମହିଳା କ୍ରିକେଟର, ରଣଜୀ ଟ୍ରଫିରେ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ପରଭେଜ ରସୁଲଙ୍କୁ ଲାଲା ଅମରନାଥ ଟ୍ରଫି, ଘରୋଇ ସୀମିତ ଓଭର କ୍ରିକେଟରେ ଶ୍ରେଷ୍ଠ ଅଲରାଉଣ୍ଡରଭାବେ କୃନାଲ ପାଣ୍ଡ୍ୟାଙ୍କୁ ଲାଲା ଅମରନାଥ ଟ୍ରଫି, ରଣଜୀ ଟ୍ରଫିରେ ସର୍ବାଧିକ ରନ ସ୍କୋର କରିଥିବାରୁ ପ୍ରିୟଙ୍କ ପାଞ୍ଚାଲଙ୍କୁ ମାଧବରାଓ ସିନ୍ଧିଆ ଟ୍ରଫି, ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟଧାରୀ ସାହବାଜ ନଦୀମଙ୍କୁ ମାଧବରାଓ ସିନ୍ଧିଆ ଟ୍ରଫି, ଶ୍ରେଷ୍ଠ ମହିଳା କ୍ରିକେଟରଭାବେ ପୁନମ ରାଉତଙ୍କୁ ଜଗମୋହନ ଡାଲମିଆ ପୁରସ୍କାର ପ୍ରଦାନ କରାଯିବ।
ଅପରପକ୍ଷରେ ୨୦୧୭-୧୮ ପାଇଁ ପୂର୍ବତନ ଟେଷ୍ଟ ଓପନର ଅଂଶୁମାନ ଗାଏକୱାଡ୍‍ଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ବାବଦରେ କର୍ଣ୍ଣେଲ ସି.କେ.ନାୟୁଡୁ ଟ୍ରଫି, ପୂର୍ବତନ କ୍ରିକେଟର ସୁଧା ଶାହାଙ୍କୁ ବିସିସିଆଇ ଜୀବନବ୍ୟାପୀ ସାଧନା ପୁରସ୍କାର (ମହିଳା), ଦିପ୍ତୀ ଶର୍ମାଙ୍କୁ ଘରୋଇ ସର୍କିଟରେ ଶ୍ରେଷ୍ଠ ସିନିୟର କ୍ରିକେଟର ଭାବେ ଜଗମୋହନ ଡାଲମିଆ ଟ୍ରଫି, ଜେମିମା ରୋଡ୍ରିଗ୍ୱେଜ୍‍ଙ୍କୁ ଘରୋଇ ସର୍କିଟରେ ଶ୍ରେଷ୍ଠ ଜୁନିୟର କ୍ରିକେଟର ଭାବେ ଜଗମୋହନ ଡାଲମିଆ ଟ୍ରଫି, ରଣଜୀ ଟ୍ରଫିରେ ସର୍ବାଧିକ ରନ ସ୍କୋର କରିଥିବାରୁ ମୟାଙ୍କ ଅଗ୍ରୱାଲଙ୍କୁ ମାଧବରାଓ ସିନ୍ଧିଆ ଟ୍ରଫି, ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ ହାସଲ କରିଥିବାରୁ ଜଲାଜ୍‍ ସାକ୍ସେନାଙ୍କୁ ମାଧବରାଓ ସିନ୍ଧିଆ ଟ୍ରଫି, ରଣଜୀ ଟ୍ରଫିରେ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ଜଲାଜ୍‍ ସାକ୍ସେନାଙ୍କୁ ଲାଲା ଅମରନାଥ ଟ୍ରଫି, ଘରୋଇ ସୀମିତ ଓଭରରେ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ଦିୱେସ ପଠାନିଙ୍କୁ ଲାଲା ଅମରନାଥ ଟ୍ରଫି ଓ ସ୍ୱର୍ଗତ ବୁଧି କୁନ୍ଦେରନଙ୍କୁ ସ୍ୱତନ୍ତ୍ର ବିସିସିଆଇ ପୁରସ୍କାର ପ୍ରଦାନ କରାଯିବ। ବିସିସିଆଇର ପୂର୍ବତନ ସଭାପତି ସ୍ୱର୍ଗତ ଜଗମୋହନ ଡାଲମିଆଙ୍କ ନାମରେ ବିସିସିଆଇ ପକ୍ଷରୁ ୪ଟି ପୁରସ୍କାରକୁ ତାଙ୍କ ନାମିତ କରାଯାଇଛି। ୧୬ ବର୍ଷରୁ କମ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ସର୍ବାଧିକ ରନ୍‍ କରିଥିବା ବ୍ୟାଟସମ୍ୟାନ ଓ ସର୍ବାଧିକ ୱିକେଟ ଅକ୍ତିଆର କରିଥିବା ବୋଲରଙ୍କୁ ଜଗମୋହନ ଡାଲମିଆ ଟ୍ରଫି ପ୍ରଦାନ କରାଯିବ। ଏହାବ୍ୟତୀତ ମହିଳା ଜୁନିୟର ଓ ସିନିୟର ବର୍ଗରେ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ଜଗମୋହନ ଡାଲମିଆ ଟ୍ରଫିରେ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ୯ଟି ବର୍ଗରେ ପୁରସ୍କାର ରାଶିକୁ ୧ ଲକ୍ଷରୁ ୧.୫ ଲକ୍ଷକୁ ବୃଦ୍ଧି କରାଯାଇଛି।

Leave A Reply