ଶିଶୁ ଶ୍ରମ ନିରୋଧ ଦିବସରେ ଆଲୋଚନାଚକ୍ର : ଶ୍ରମ କ୍ଷେତ୍ରରୁ ଶିଶୁଙ୍କୁ ମୁକ୍ତ ରଖିବା ଏବେ ସବୁଠୁ ବଡ଼ ଆହ୍ୱାନ
ଭୁବନେଶ୍ୱର : କୋଭିଡ଼ ପରିସ୍ଥିତି ଶିଶୁଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି। କୋଭିଡ଼ ପରବର୍ତ୍ତୀ କାଳରେ ଜୀବନ ଓ ଜୀବିକା ପାଇଁ ଅଭାବୀ ପରିବାରର ଶିଶୁମାନେ ଶ୍ରମ କ୍ଷେତ୍ରକୁ ଚାଲିଯିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଶିଶୁମାନଙ୍କୁ ଶିକ୍ଷାଦାନ ସହିତ ଶିଶୁ ଶ୍ରମିକ ସମସ୍ୟା କିପରି ଦୂର କରାଯାଇପାରିବ ସେ ଦିଗରେ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ଅବସରରେ ପିପୁଲ୍ସ କଲଚରାଲ ସେଣ୍ଟର (ପିକକ) ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି।
ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେଇ ଡ଼ିଭିଜନାଲ ଶ୍ରମ କମିଶନର ପ୍ରଦୀପ ମହାପାତ୍ର କହିଥିଲେ ଯେ କର୍ମନିଯୁକ୍ତି ହରାଇଥିବା ପ୍ରବାସୀ ଶ୍ରମିକଙ୍କ ଜୀବିକା ବିପନ୍ନ ହୋଇଥିବାରୁ ସେମାନେ ରୋଜଗାର ପାଇଁ ନିଜ ପିଲାଙ୍କୁ ବି ଶ୍ରମରେ ଲଗାଇବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଶିଶୁ ଶ୍ରମ ରୋକିବାକୁ ଏକ ବଡ଼ ଆହ୍ୱାନ। ୨୦୨୫ ସୁଦ୍ଧା ଓଡ଼ିଶାକୁ ଶିଶୁ ଶ୍ରମ ମୁକ୍ତ କରିବାର ଲକ୍ଷ୍ୟ ହାସଲ କୋଭିଡ ପାଇଁ ଆହ୍ୱାନ ହୋଇଛି। ଶିଶୁ ଶ୍ରମ ବ୍ୟବସ୍ଥା ରୋକିବାକୁ ଶ୍ରମ ବିଭାଗ, ଶିକ୍ଷା ଓ ଅନ୍ୟାନ୍ୟ ବିଭାଗ ସହଯୋଗରେ ଏକ ମିଳିତ ଖସଡ଼ା ପ୍ରସ୍ତୁତିର ଆବଶ୍ୟକତା ରହିଛି। ଶିଶୁମାନଙ୍କ ତଥ୍ୟ ସଂଗ୍ରହ ସହିତ ସେମାନେ କେଉଁଠି କିଭଳି ରହୁଛନ୍ତି ତାହା ଚିହ୍ନଟ କରାଯିବ। ଶିଶୁମାନଙ୍କ ପାଇଁ ପେନସିଲ ପୋର୍ଟାଲ କରାଯାଇଛି। ଏହାକୁ ବ୍ୟବହାର ପାଇଁ ସଚେତନ କରାଯିବା ସହିତ ଜିଲା ସ୍ତରରେ ଅଭିଯୋଗ ପଞ୍ଜୀକରଣ ଜରିଆରେ ଆବଶ୍ୟକ କାର୍ୟ୍ୟ ପନ୍ଥା ଗ୍ରହଣ କରାଯିବ। ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଇଥିଲେ ଏଥିରେ ଅଭିଯୋଗ କରାଯାଇପାରିବ। ଏହାଛଡ଼ା ଶିଶୁମାନଙ୍କ ସକାଶେ ଏବେ ଏରିୟା ମ୍ୟାପିଂ କରାଯାଉଛି ଯାହା ମାଧ୍ୟମରେ ଶିଶୁମାନେ ପ୍ରକୃତରେ କିଭଳି ଅବସ୍ଥାରେ ରହୁଛନ୍ତି ତାହା ଜାଣିହେବ। ଏ ଦିଗରେ ଏଜନିଓ, ସିଡବ୍ଲ୍ୟସି, ଟ୍ରେଡ ୟୁନିଅନ, ପୁଲିସର ସହଯୋଗ ଦରକାର ବୋଲି ସେ ମତ ରଖିଥିଲେ।
କାର୍ୟ୍ୟକ୍ରମରେ ଯୋଗଦେଇ ଅବସରପ୍ରାପ୍ତ ଆଇଏଏସ୍ ପ୍ରଦୀପ ବିଶ୍ୱାଳ କହିଥିଲେ ଶିଶୁ ଶ୍ରମ ନିୟନ୍ତ୍ରଣ ପାଇଁ ପିଲାଙ୍କୁ ବିଦ୍ୟାଳୟକୁ ଆଣିବା ଦରକାର। କୋଭିଡ ପରିସ୍ଥିତିରେ ଶିଶୁ ଶ୍ରମ ସମସ୍ୟା ଜଟିଳ ହେବାର ଆଶଙ୍କା ରହିଛି। ଯେଉଁ ପିଲା ବାପା ମା’ ସହିତ ଆସିଛନ୍ତି ହୁଏତ ଶିଶୁ ଶ୍ରମ ପାଇଁ ବାଧ୍ୟ ହୋଇପାରନ୍ତି। ଏହାକୁ ଦୂର କରିବାକୁ ମିଳିତ ପ୍ରୟାସ ଦରକାର।
ମଧୁମିତା ଦାସ କହିଥିଲେ, ଏବେ ଅଧିକାଂଶ ଶ୍ରମିକଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେମାନେ ହତୋତ୍ସାହ ହେବା ସ୍ୱାଭାବିକ, କିନ୍ତୁ ସେମାନେ ଶିଶୁ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ପିଲାଙ୍କୁ ଶ୍ରମ କ୍ଷେତ୍ରକୁ ନଛାଡ଼ି ସେମାନଙ୍କ ଶିକ୍ଷା ଓ ମାନସିକ ସ୍ଥିତିକୁ ସଜାଡ଼ିବା ଦରକାର।
ଶିକ୍ଷା ସନ୍ଧାନ ପକ୍ଷରୁ ଅନିଲ ପ୍ରଧାନ କହିଥିଲେ ଅନଲାଇନ ଶିକ୍ଷା ବର୍ତ୍ତମାନ ସମୟର ସମାଧାନ କିମ୍ବା ବିକଳ୍ପ ନୁହେଁ, ଗ୍ରୀନ୍ ଜୋନ୍ରେ ବିଦ୍ୟାଳୟ ଖୋଲିବା ଉଚିତ। ସ୍କୁଲ ଖୋଲିଲେ ଏଠି କିପରି ପାଠପଢ଼ା ହେବ ତାହା ମୁଖ୍ୟ ସମସ୍ୟା। ବିଦ୍ୟାଳୟ ନ ଖୋଲିଲେ ପାଠପଢ଼ା ବନ୍ଦ, ଶିଶୁ ଶ୍ରମ ସଂଖ୍ୟା ବୃଦ୍ଧି, ବାଲ୍ୟ ବିବାହ ଭଳି ସମସ୍ୟା ଦେଖାଦେବ। ଏଥିପାଇଁ ସରକାର କାର୍ୟ୍ୟଖସଡ଼ା ପ୍ରସ୍ତୁତ କରିବା ଦରକାର। କବିତା କାନୁନ୍ଗୋ ଶିଶୁ ଶ୍ରମ ମୁକ୍ତ ସମାଜ ଗଢ଼ିବା ଉପରେ ଗୁରୁତ୍ୱ ଦେଇଥିଲେ। ବସ୍ତି ଅଞ୍ଚଳର ପିଲା ପାଖରେ ମୋବାଇଲ ନଥିବାରୁ ଅନ୍ଲାଇନ ପାଠପଢ଼ା ସମ୍ଭବ ହେବନାହିଁ। ଜିଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଶ୍ୟାମାକାନ୍ତ ଜେନା ଶିଶୁ ଶ୍ରମ ବ୍ୟବସ୍ଥା ରୋକିବାକୁ ଏସ୍ଓପି, ଥଇଥାନ ପ୍ୟାକେଜ ଉପରେ ଗୁରୁତ୍ୱ ଦେଇଥିଲେ। ସାମ୍ବାଦିକ ଯତୀନ ଦାଶ କହିଥିଲେ ଜୀବିକା ଏବେ ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟ ଆହ୍ୱାନ ହୋଇଥିବାବେଳେ ସେମାନଙ୍କ ପିଲାଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ବିଷୟ ପ୍ରତି ଗୁରୁତ୍ୱ ଦେବା ଏବଂ ଶିଶୁ ଉପଯୋଗୀ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଅଛି। ପିକକ ସଂପାଦକ ରଞ୍ଜନ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ଲକ୍ଡାଉନ ପରେ ଶିଶୁ ଶ୍ରମ ସମସ୍ୟା ବଢ଼ିବାର ଆଶଙ୍କା ଥିବାରୁ ଏହାକୁ କିପରି ରୋକାଯିବ ସେ ଦିଗରେ ମିଳିତ ଉଦ୍ୟମ କରିବାକୁ ମତବ୍ୟକ୍ତ କରିଥିଲେ। ପିକକ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି କାର୍ୟ୍ୟକ୍ରମ ସଂଯୋଜନା କରିବା ସହିତ ଶିଶୁ ଶ୍ରମିକ ସମସ୍ୟା ଉପରେ କୋଭିଡ ଭଳି ସଂକଟର ଯେଉଁ ପ୍ରଭାବ ପଡ଼ିବ ତାହାର ମୁକାବିଲା କ୍ଷେତ୍ରରେ ନାଗରିକ ସମାଜର ସହଭାଗିତା ଆବଶ୍ୟକ ବୋଲି କହିଥିଲେ।
Comments are closed.