ଗଣତନ୍ତ୍ରର ସାମ୍ପ୍ରତିକ ସ୍ଥିତି

ଭୁବନେଶ୍ଵର: ଗଣତନ୍ତ୍ର ସ୍ବଭାବତଃ ଜନସାଧାରଣଙ୍କ ଦ୍ବାରା ଏକ ସ୍ବୟଂଶାସନ ରାଜନୈତିକ ବ୍ୟବସ୍ଥା ତଥା ସାମାଜିକ ବିଚାରଧାରା ଯାହାକୁ ସଂସଦୀୟ ଗଣତନ୍ତ୍ର ରୂପେ ଆମ ସମ୍ବିଧାନର ପ୍ରସ୍ତାବନାରେ ଅନ୍ୟତମ ମୌଳିକ ଭିତ୍ତିସ୍ତମ୍ଭ ଭାବେ ଅଙ୍ଗୀକାର କରାଯାଇଛି। କେବଳ ଆମ ଦେଶ ନୁହେଁ, ଆମେରିକା, ଗ୍ରେଟ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ପ୍ରଭୃତି ବିଶ୍ବର ଅନ୍ୟ ଦେଶ, ଯଦିଚ ନିଜସ୍ବ ଢଙ୍ଗରେ ଏହି ବ୍ୟବସ୍ଥାକୁ ନିଜନିଜ ସମ୍ବିଧାନ ଜରିଆରେ ଭିନ୍ନଭିନ୍ନ ରୂପ ଦେଇଥିଲେ ହେଁ ବସ୍ତୁତଃ ଗଣତନ୍ତ୍ର ହିଁ ସେ ସବୁର ମୂଳଭିତ୍ତି। ବିଶେଷ ଭାବେ, ଆମ ସାମ୍ବିଧାନିକ ଗଣତନ୍ତ୍ରର ପ୍ରମୁଖ ଅଙ୍ଗ ବ୍ୟବସ୍ଥାପକ ସଭା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଏବଂ ଏମାନଙ୍କ ମଧ୍ୟରେ ପାରସ୍ପରିକ ସମନ୍ବୟ, ଭାରସାମ୍ୟ ତଥା ସମାପନରେ ସମଗତିପୂର୍ବକ ସାମାଜିକ ନ୍ୟାୟ, ଅର୍ଥନୈତିକ ପ୍ରଗତି ଲକ୍ଷ୍ୟରେ ବ୍ୟବସ୍ଥାର ମୁଖ୍ୟ ସ୍ଥଳରେ ସୁରକ୍ଷା କବଚମାନ ଖଞ୍ଜାଯାଇଛି। ଏକ ଦାୟିତ୍ବସଂପନ୍ନ ବିରୋଧୀ ଦଳ, ନିରପେକ୍ଷ ଗଣମାଧ୍ୟମ, ଜାଗ୍ରତ ପ୍ରହରୀ ରୂପେ ନ୍ୟାୟ ପାଳିକା (ସେଣ୍ଟିନେଲ ଅନ୍ କୁଇଭାଇଭ) ଏବଂ ସର୍ବୋପରି ଏକ ସଚେତନ ନାଗରିକ ମଣ୍ଡଳୀ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ଉତ୍ସ। ସେହି ଦୃଷ୍ଟିରୁ ବାକ୍ ସ୍ବାଧୀନତା ତଥା ତଥ୍ୟ ଜାଣିବାର ଅଧିକାରକୁ ଆମ ସମ୍ବିଧାନରେ ପ୍ରାଧାନ୍ୟ ଦିଆଯିବା ସହିତ ଏହାକୁ ମୌଳିକ ଅଧିକାରର ନିର୍ଭରୋକ୍ତି ଦିଆଯାଇଛି। ଏହି ବ୍ୟବସ୍ଥାରେ ଗ୍ରାମ ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିର୍ବାଚନ ଜରିଆରେ ପ୍ରତିନିଧି ଚୟନ କରାଯାଇ ଆମର ପ୍ରାଶାସନିକ ବ୍ୟବସ୍ଥା ଚାଲିଆସୁଛି। ଉଲ୍ଲେଖଯୋଗ୍ୟ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳର ଗୁରୁତ୍ବ ଦୃଷ୍ଟିରୁ ବିରୋଧୀ ଦଳ ନେତାଙ୍କୁ ଛାୟା ପ୍ରଧାନମନ୍ତ୍ରୀ ଭାବେ ବିବେଚନା କରାଯାଇଥାଏ। ବିଶେଷ ଭାବେ ନ୍ୟାୟପାଳିକା ଓ ଗଣମାଧ୍ୟମର ସାଂପ୍ରତିକ ସ୍ଥିତି ସମ୍ପର୍କରେ ଏହାର ବ୍ୟାପକତା ଦୃଷ୍ଟିରୁ, ତାହା ସ୍ବତନ୍ତ୍ର ଆଲୋଚନାର ସାପେକ୍ଷ ରଖେ। ତେବେ ଆମ ସମ୍ବିଧାନ ଦୀର୍ଘ ପଚସ୍ତରି ବର୍ଷ ଅତିକ୍ରମ କରୁଥିବା ଅବସରରେ ଏହାର ମୌଳିକ ଭିତ୍ତିସ୍ତମ୍ଭର ଗୁରୁତ୍ବ ତଥା ସୁରକ୍ଷା ପୃଷ୍ଠଭୂମିରେ ଗଣତାନ୍ତ୍ରିକ ବ୍ୟବସ୍ଥାର କେବଳ ତାତ୍ତ୍ବିକ ଦୃଷ୍ଟିକୋଣରୁ ଯେତିକି ନୁହେଁ, ସାମ୍ପ୍ରତିକ ସ୍ଥିତି ତଥା ଏଥି ପ୍ରତି ଦେଖାଦେଇଥିବା ସଂକଟ ପରିପ୍ରେକ୍ଷୀରେ ଏହି ଆଲୋଚନା ଏକ ପ୍ରତିବେଦନ ମାତ୍ର।
ଆମ ସାମ୍ବିଧାନିକ ଗଣତନ୍ତ୍ର ଦୀର୍ଘ ପଚସ୍ତରି ବର୍ଷ ଅତିକ୍ରମ କରୁଥିବାବେଳେ, ଆମେ ଯଦି ମୋଟାମୋଟି ଏକ ନିରପେକ୍ଷ ଆକଳନ ତଥା ବିହଙ୍ଗାଲୋକନ କରିବା, ବିଗତ ଦଶନ୍ଧିରେ ବ୍ୟବସ୍ଥାର ପରିପକ୍ବତା ପରିବର୍ତ୍ତେ ଏହାର ମାନ ହ୍ରାସ ସହିତ ଭୁଶୁଡ଼ି ପଡ଼ୁଥିବା କାନ୍ଥଗୁଡ଼ିକ ସର୍ବତ୍ର ଦେଖିବାକୁ ମିଳିବ। ବାସ୍ତବରେ ଗଣତନ୍ତ୍ର କ୍ରମଶଃ ମୁଷ୍ଟିମେୟ ଚରମ ଦକ୍ଷିଣପନ୍ଥୀ ପ୍ରତିକ୍ରିୟାବାଦୀ ଧନିକତନ୍ତ୍ର (ଓଲିଗାର୍କୀ) ଚକ୍ରବ୍ୟୂହର ଗୋଷ୍ଠୀତାନ୍ତ୍ରିକ ରାଜନୈତିକ ଶକ୍ତି (ଫାସିବାଦୀ) ର ଯନ୍ତାରେ ଏବଂ ଛଦ୍ମ ଏକଛତ୍ରବାଦୀ ଜଣତନ୍ତ୍ରର ହାତମୁଠାରେ ପକ୍ଷାଘାତ ପୀଡ଼ିତ ଜଡ଼ତନ୍ତ୍ରରେ ରୂପାନ୍ତରିତ ହୋଇଛି। ଗଣତନ୍ତ୍ର ଜନସାଧାରଣଙ୍କ ପାଇଁ ଆଶା-ଭରସା ତଥା ବିଶ୍ବାସର ଏକ ମୂର୍ତ୍ତିମନ୍ତ୍ର ପ୍ରତୀକ ଏବଂ ପ୍ରତିନିଧି ସୂତ୍ରରେ କ୍ଷମତା ଅର୍ପଣ ଜନତା ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ ଏକ ଭଦ୍ରୋଚିତ ଚୁକ୍ତି, ସର୍ତ୍ତ ବା ବୁଝାମଣା, କିନ୍ତୁ ଯେନତେନ ପ୍ରକାରେଣ କ୍ଷମତା ହାସଲ ନୁହେଁ ଏବଂ ଏହାର ଖିଲାପ ନୈତିକ ଅପରାଧ ପଦବାଚ୍ୟ। ସେହିପରି କ୍ଷମତା ଏକ ନ୍ୟାସ ସଦୃଶ ଓ ଲୋକ ପ୍ରତିନିଧି କ୍ଷମତାର ଜଣେଜଣେ ନ୍ୟାସୀ। କ୍ଷମତା ସାମାଜିକ ପରିବର୍ତ୍ତନର ଏକ ଆୟୁଧ, ନିଜର ଶକ୍ତି-ସଂପଦ-ପ୍ରାଧାନ୍ୟ ବୃଦ୍ଧି ପାଇଁ ଉଦ୍ଦିଷ୍ଟ ନୁହେଁ। ଗଣତନ୍ତ୍ର କେବଳ ବହୁମତ ସର୍ବସ୍ବ ନୁହେଁ, ଗୁଣବତ୍ତା ଏହାର ମୁଖ୍ୟ ଉପାଦାନ। ବାସ୍ତବ କ୍ଷେତ୍ରରେ ଏହି ବିଶ୍ବାସ ତଥା ବୁଝାମଣାରେ ଘୋର ସଂକଟ ଦେଖାଦେଇଛି। ସ୍ବଚ୍ଛ- ଅବାଧ- ନିରପେକ୍ଷ ନିର୍ବାଚନ ଗଣତନ୍ତ୍ରର ମୁଖ୍ୟ ଉପାଦାନ ଏବଂ ଏହି ଗୁରୁ ଦାୟିତ୍ବ ନିର୍ବାଚନ କମିସନ ଉପରେ ନ୍ୟସ୍ତ ଥିଲେ ହେଁ ଓ ସମ୍ବିଧାନରେ କମିସନକୁ ଶୀର୍ଷ ନ୍ୟାୟାଳୟ ବିଚାରପତିଙ୍କ ପଦମର୍ଯ୍ୟାଦା ମିଳିଥିଲେ ହେଁ ଖୋଦ୍ କମିସନ ତାଙ୍କର ସାମ୍ବିଧାନିକ ଦାୟିତ୍ବ ତଥା କର୍ତ୍ତବ୍ୟ ସ୍ବଚ୍ଛତାର ସହିତ ସଂପାଦନ କରିବାରେ ବ୍ୟର୍ଥ ହୋଇଥିବାର ଅସଂଖ୍ୟ ପ୍ରାମାଣିକ ତଥ୍ୟ ଲୋକଲୋଚନକୁ ଆସିଛି। ବିଚାରପତି, ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ସମ୍ମତିରେ ଏହା କରାଯିବା ପାଇଁ ନ୍ୟାୟିିକ ନିର୍ଣ୍ଣୟ ଥିଲାବେଳେ ତାହାକୁ ବ୍ୟର୍ଥ କରିଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନ ବିଚାରପତିଙ୍କୁ ମନୋନୟନ କମିଟିରୁ ବାଦ୍ଦେଇ ସେ ଜାଗାରେ ନିଜ ମନ୍ତ୍ରୀସଭାର ଜଣେ ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିବା ଓ ନିଜ ପସନ୍ଦର ବ୍ୟକ୍ତିଙ୍କୁ କମିସନର ସଦସ୍ୟ ନିଯୁକ୍ତ କରିବା ଫଳରେ ସାଧାରଣରେ କମିସନଙ୍କ ସ୍ବଚ୍ଛତା ପ୍ରତି ସ୍ବାଭାବିକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏତଦ୍ ବ୍ୟତୀତ, ନିର୍ବାଚିତ ଜନପ୍ରତିନିଧିଙ୍କ ଦଳବଦଳ ଯୋଗୁଁ ନିର୍ବାଚିତ ରାଜ୍ୟ ସରକାର ଭାଙ୍ଗି ରାଜନୈତିକ ଅସ୍ଥିରତା ସୃଷ୍ଟିର ଅସଂଖ୍ୟ ଦୃଷ୍ଟାନ୍ତ ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼ାଉଥିବା ଦୃଷ୍ଟିରୁ ଏହାର ବିସ୍ତୃତ ବିବରଣୀର ଉଲ୍ଲେଖ ନିଷ୍ପ୍ରୟୋଜନ। ତେବେ ଦଳବଦଳ ବସ୍ତୁତଃ ଦଳବଦଳ ନିରୋଧ ସାମ୍ବିଧାନିକ ପ୍ରତିବନ୍ଧକକୁ ବ୍ୟର୍ଥ କରି ଦେଇଛି। ସରକାରୀ ତଥା କର୍ପୋରେଟ ସଂସ୍ଥା ଓ ଗଣମାଧ୍ୟମକୁ ଦଳୀୟ ପ୍ରଚାରରେ ପ୍ରକାରାନ୍ତରେ ନିୟୋଜିତ କରାଯିବା, ଭୋଟଦାତାଙ୍କୁ ଖାଦ୍ୟ-ବସ୍ତ୍ର ଆଦି ପଡ଼ି ଆକାରରେ ବାଣ୍ଟିବା, ଅର୍ଥ ବିନିମୟରେ ଭୋଟ କମିବା, ବଡ଼ବଡ଼ କର୍ପୋରେଟ ହାଉସ୍ରୁ ବେଆଇନ ଭାବେ ନିର୍ବାଚନୀ ‘ଚାନ୍ଦା ବିିନିମୟରେ ଧନ୍ଦା’ ଇଲୋେକ୍ଟାରାଲ ବଣ୍ଡ ମାମଲାରେ ଦୁର୍ନୀତି-ଭ୍ରଷ୍ଟାଚାର କଥା କାହାରିକୁ ଅବିଦିତ ନାହିଁ। ଏହି ସମସ୍ୟା ବିଗତ ଦଶନ୍ଧିରେ ଉତ୍କଟ ଆକାର ଧାରଣ କରିବା ସହିତ ଗଣତନ୍ତ୍ରକୁ ଧନତନ୍ତ୍ରରେ ପରିଣତ କରିଦେଇଛି। ଏହା ବାଦ୍ ଅବାସ୍ତବ ମିଥ୍ୟା ପ୍ରତିଶ୍ରୁତି, କଳାଧନ ବିଦେଶୀ ବ୍ୟାଙ୍କ୍ରୁ ଆଣି ପ୍ରତ୍ୟେକ ଜମା ଖାତାକୁ ପନ୍ଦର-ପନ୍ଦର ଲକ୍ଷ ଲେଖାଏଁ ପଠାଇବା ଓ ବର୍ଷକୁ ଏକ କୋଟି ନିଯୁକ୍ତିର ଆଶ୍ବାସନା ଦିଆଯିବା, ସରକାରର ସମାଲୋଚକ ତଥା ବିରୋଧୀ ଦଳ ନେତାଙ୍କୁ ସିବିଆଇ-ଇଡି ଭଳି ତଦନ୍ତକାରୀ ସଂସ୍ଥା ଜରିଆରେ ନିର୍ଯାତିତ କରାଯିବା ଓ ସେମାନଙ୍କୁ ଦଳବଦଳ ପାଇଁ ବାଧ୍ୟ କରାଯିବା, ଦେଶଦ୍ରୋହ ଭଳି ସଂଗିନ ଅଭିଯୋଗରେ ବିଚାରବିନା ଜେଲ୍ରେ ରଖାଯିବା(ବହୁବ୍ୟକ୍ତି ଜେଲ୍ରେ ପ୍ରାଣତ୍ୟାଗ ସହିତ ଏବେ ବି ଜେଲ୍ରେ ଶଢ଼ୁଛନ୍ତି) ଏବଂ ଦେଶର ବୁଦ୍ଧିଜୀବୀଙ୍କୁ ‘ଅର୍ବାନ ନକ୍ସଲ୍’ ଆଖ୍ୟା ଦିଆଯିବା, ଜନସାଧାରଣଙ୍କୁ ଧର୍ମର ଅଫିମ ଚଟାଇ ସମାଜରେ ଧର୍ମୀୟ ଅସହିଷ୍ଣୁତା, ସାଂପ୍ରଦାୟିକ ହିଂସା ତଥା ଉନ୍ମାଦନା ସୃଷ୍ଟିର ରାଜନୈତିକ କୌଶଳ ବେଶ୍ ସଫଳତାର ସହିତ କାର୍ଯ୍ୟ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ବସ୍ତୁତଃ ଏବେ ସମାଜରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଜାତି-ଧର୍ମ-ସଂପ୍ରଦାୟ ତଥା ଭାଷା ଅାଞ୍ଚଳିକ ବାଦ, ଅସାଧୁ, ରାଜନୈତିକ ମେଣ୍ଟ, କ୍ଷୁଦ୍ର-କ୍ଷୁଦ୍ର ଆଞ୍ଚଳିକ ଦଳର ସଂଖ୍ୟା ବୃଦ୍ଧି ତଥା ପ୍ରାଧାନ୍ୟ, ବିରୋଧୀ ଦଳର ପକ୍ଷଚ୍ଛେଦନ, ପ୍ରତିଶୋଧ-ପ୍ରତିହିଂସା ତଥା ଦମନମୂଳକ ପଦକ୍ଷେପ, ବ୍ୟକ୍ତିଗତ କୁତ୍ସାରଟନା, ସଂସଦରେ ଭାଷାର ଅଶାଳୀନତା ସର୍ବୋପରି ନ୍ୟାୟାଳୟର ଅସହାୟତା ଜନିତ ଉଦାସୀନତା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପ୍ରତି ବିପଦ ସୃଷ୍ଟି କରିଛି। ଅର୍ଥନୈତିକ ସଂଘର୍ଷକୁ ଅଲଗା କରି ଏକ ଗଣତାନ୍ତ୍ରିକ ସମସମାଜର ପରିକଳ୍ପନା କରାଯାଇ ନ ପାରେ। ସେହିପରି ବହୁଭାଷୀ- ବହୁ ଧର୍ମାବଲମ୍ବୀ ବସବାସ କରୁଥିବା ଭାରତ ଭୂଖଣ୍ଡରେ ଧର୍ମନିରପେକ୍ଷବାଦକୁ ମଧ୍ୟ ଅଲଗା କରାଯାଇ ନପାରେ। ଏହା ଆମ ସମ୍ବିଧାନର ମୌଳିକ ଚରିତ୍ର ଏବଂ ଏହାର ବିରୋଧାଚରଣ କଲେ ବା ହେଲେ, ସମ୍ବିଧାନ ଅସ୍ତିତ୍ବ ହରାଇବା ସହିତ ଦେଶର ଏକତା-ଅଖଣ୍ଡତା ତଥା ସାର୍ବଭୌମତ୍ବ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିବ ଏବଂ ଏହି ପ୍ରକ୍ରିୟା ବିଗତ ଦଶନ୍ଧିରେ ଉଗ୍ର ରୂପ ଧାରଣ କରିଛି। ସେଥିପାଇଁ ରାଜନୀତି କ୍ଷେତ୍ରରେ ଆଦର୍ଶଗତ ସଂଘର୍ଷକୁ ଅନ୍ତହୀନ- ନିରନ୍ତର ତଥା ଚିରନ୍ତନ ସାମାଜିକ ଧାରା ଭାବେ ବିବେଚନା କରାଯାଇଥାଏ। ଗଣତାନ୍ତ୍ରିକ ବିଚାରଧାରାର ସଂଘର୍ଷ ଏବଂ ଏହାର ଗତିପଥର ବିବର୍ତ୍ତନ ତଥା ଭିନ୍ନ ମୋଡ଼ କେବଳ ଭାରତ ନୁହେଁ, ସାରା ବିଶ୍ବରେ ଦେଖାଦେଇଛି। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର କ୍ଷମତାକୁ ଆସିବା ପରେ ବିରୋଧୀଙ୍କ ସ୍ବରକୁ ସଂକୁଚିତ କରି ବିରୋଧୀ ଦଳ ନେତାଙ୍କୁ ନାନାଦି ନିର୍ଯାତନା ସହିତ ମିଥ୍ୟା ମାମଲାରେ ଛନ୍ଦି ଜେଲରେ ଭର୍ତ୍ତି କରାଯାଉଛି। ଫ୍ରାନ୍ସର ମାଲିନ୍ ରିପେନ୍, ବ୍ରାଜିଲର ବୋଲସୋନାରେ, ଇଟାଲୀର ମାଟିଓ ସାଲ୍ଭିନୀ, ରୋମାନିଆର ଜର୍ଜିସ୍କୁ, ପାକିସ୍ତାନର ଇମ୍ରାନ୍ ଖାଁ ଓ ଭାରତର ରାହୁଲ ଗାନ୍ଧୀଙ୍କ ଭଳି ଲୋକପ୍ରିୟ ବିରୋଧୀ ଦଳ ରାଜନେତାଙ୍କୁ ମିଥ୍ୟା ମାମଲାରେ ଛନ୍ଦି ଜେଲଦଣ୍ଡ ଦିଆଇବାରେ ଶାସକଦଳ ପଛାଉନାହାନ୍ତି। ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ୍ର ଏକ ନ୍ୟାୟାଳୟ ଜରିଆରେ ମାନହାନି ମାମଲାରେ ଦୁଇବର୍ଷ କାରାଦଣ୍ଡ ଦିଆଯାଇଛି। ସେହିପରି ଫ୍ରାନ୍ସର ମାଲିନ୍ ରିପେନ୍ଙ୍କୁ ଚାରିବର୍ଷ କାରାଦଣ୍ଡ ସହିତ ନିର୍ବାଚନ ଲଢ଼ିବାରୁ ବାସନ୍ଦ କରାଯିବା ଗଣତନ୍ତ୍ର ହନନର ନଗ୍ନ ଉଦାହରଣ। ନେପାଳରେ ରାଜତନ୍ତ୍ରର ପ୍ରତ୍ୟାବର୍ତ୍ତନ ପାଇଁ ଗଣ ଆନ୍ଦୋଳନ ଗଣତନ୍ତ୍ରର ବିଚିତ୍ର ଗତିର ଏକ ସଦ୍ୟ ନମୁନା। ସେହିପରି ଶ୍ରୀଲଙ୍କାରେ ସରକାରୀ ବ୍ୟର୍ଥତା ଯୋଗୁଁ ଶାସନତନ୍ତ୍ରର ଗଣଦଖଲ ଏକ ସତର୍କ ଘଣ୍ଟି। ରୁଷ୍, ଚୀନ୍ ଭଳି ଦେଶରେ କମ୍ୟୁନିଷ୍ଟ ଏକଛତ୍ରବାଦୀ ଶାସନ ଥିବାବେଳେ ଆମେରିକାରେ ଏକଛତ୍ରବାଦର ପଦଧ୍ବନି ବାସ୍ତବରେ ଗଣତନ୍ତ୍ରର ଭବିଷ୍ୟତ ଦୃଷ୍ଟିରୁ ଏକ ଅସ୍ବାଭାବିକ ତଥା ଅସ୍ବସ୍ତିକର ଅବସ୍ଥା ସୃଷ୍ଟି କରିଛି। ଆମେ ପାନରୁ ଚୂନ ଖସିବା ପରି କଥା କହୁ ନାହୁଁ, ବରଂ ଗଣତନ୍ତ୍ରର ମାନଦଣ୍ଡର ସର୍ବନିମ୍ନ ଆବଶ୍ୟକତା ଦୃଷ୍ଟିରୁ ଏହା କହୁଛୁ। ଅତଏବ ଆମ ଗଣତନ୍ତ୍ରକୁ ଉପରୋକ୍ତ ସ୍ଥିତିରେ ‘ଗଣତନ୍ତ୍ରର ଜନନୀ’ କହି ଡିଣ୍ଡିମି ପିଟା ଯାଉଥିଲାବେଳେ ବାସ୍ତବରେ ଏହା କେତେ ଯୁକ୍ତିଯୁକ୍ତ, ତାହା ହିଁ ବିଚାର୍ଯ୍ୟ।
Comments are closed.