www.samajalive.in
Monday, December 8, 2025
27.1 C
Bhubaneswar

ଅଧିକ ସଂସ୍କାର ଲୋଡ଼ା

ଭୁବନେଶ୍ଵର: ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଆଜିକାଲି ବିଚାରପତି ଓ ନ୍ୟାୟାଳୟଙ୍କ ଅନେକ ନିଷ୍ପତ୍ତି ଉପରେ ବିଭିନ୍ନ ମହଲରୁ ଅଙ୍ଗୁଳି ଉଠିବା ମଧ୍ୟ ଆରମ୍ଭ ହେଲାଣି। ନିକଟରେ ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ଘରୁ ନିଆଁ ଲିଭାଇବାବେଳେ ବିପୁଳ ପୋଡ଼ା ଟଙ୍କା ଠାବ କରାଯିବା ଏବଂ ଆହ୍ଲାବାଦ ହାଇକୋର୍ଟର ଜଣେ ବିଚାରପତି ବଳାତ୍କାର ଉଦ୍ୟମ ମାମଲାରେ ବିବାଦୀୟ ରାୟ ଦେବା ପରିପ୍ରେକ୍ଷୀରେ ବିଚାରପତି ନିଯୁକ୍ତି ସମୟରେ ଉପଯୁକ୍ତ ଯାଞ୍ଚ ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯିବା ନେଇ ମତମନ୍ତବ୍ୟ ପ୍ରକାଶ ପାଇଛି। ଏମିତି କି ପ୍ରଚଳିତ କଲେଜିୟମ ବ୍ୟବସ୍ଥା ବଦଳରେ ‘ନ୍ୟାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟସ୍‌ କମିସନ୍‌’ (ଏନ୍‌ଜେଏସି) ବ୍ୟବସ୍ଥା ପ୍ରଚଳନ ସପକ୍ଷରେ ଦାବି ମୁଣ୍ଡ ଟେକିଛି। ଏସବୁ ମଧ୍ୟରେ ସୁପ୍ରିମକୋର୍ଟ କଲେଜିୟମ୍‌ ପକ୍ଷରୁ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ଏକ ସକାରାତ୍ମକ ପଦକ୍ଷେପ ସାମ୍ନାକୁ ଆସିଛି। ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି ପ୍ରଥମ କରି ସୁପ୍ରିମକୋର୍ଟ କଲେଜିୟମ ନିଜ ଆଡୁ ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଗତ ମଙ୍ଗଳବାର ପ୍ରାର୍ଥୀମାନଙ୍କ ମୌଖିକ ପରୀକ୍ଷା (ସାକ୍ଷାତ୍‌କାର) କରିଛନ୍ତି। ଦେଶର ୧୨ଟି ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସମ୍ପୃକ୍ତ ହାଇକୋର୍ଟର କଲେଜିୟମ୍ ପକ୍ଷରୁ ସୁପାରିସ କରାଯାଇଥିବା ୧୦୧ ଜଣଙ୍କର ସାକ୍ଷାତ୍‌କାର ନିଆଯାଇ ସେମାନଙ୍କ ମଧ୍ୟରୁ ମାତ୍ର ୪୯ଙ୍କୁ ବିଚାରପତି ପଦ ଲାଗି ମନୋନୀତ କରାଯାଇଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ବରିଷ୍ଠ ବିଚାରପତି ସୂର୍ଯ୍ୟ କାନ୍ତ ଓ ବି.ଆର ଗଭାଇ ସେମାନଙ୍କ ସାକ୍ଷାତ୍‌କାର ନେଇଥିଲେ। ନିୟମାନୁସାରେ ହାଇକୋର୍ଟ ବିଚାରପତି ନିଯୁକ୍ତି ଲାଗି କୌଣସି ପରୀକ୍ଷା ବା ସାକ୍ଷାତ୍‌କାର ହୋଇ ନଥାଏ। ପ୍ରାର୍ଥୀଙ୍କର ଅଭିଜ୍ଞତା ଓ ନ୍ୟାୟିକ ଦକ୍ଷତାକୁ ମାନଦଣ୍ଡ ଭାବେ ବିବେଚନା କରାଯାଏ। ବିଚାରପତି ପଦ ଲାଗି ଯେଉଁମାନଙ୍କ ନାମ ସୁପାରିସ କରାଯାଏ ସେମାନଙ୍କ ମଧ୍ୟରୁ ପ୍ରାୟ ୯୦% ନିଯୁକ୍ତି ପାଆନ୍ତି। କେବଳ ଗୁଇନ୍ଦା ବିଭାଗ ଯେଉଁମାନଙ୍କ ବିରୋଧରେ ନକାରାତ୍ମକ ରିପୋର୍ଟ ଦିଏ ସେମାନେ ନିଯୁକ୍ତିରୁ ବଞ୍ଚିତ ହୋଇଥାନ୍ତି। ସେଥିଯୋଗୁଁ ବିଚାରପତି ନିଯୁକ୍ତିରେ ବଂଶବାଦ ଓ ପ୍ରିୟାପ୍ରୀତି ତୋଷଣର ଅଭିଯୋଗ ହୋଇଆସୁଛି। ଏହା ଅଯୋଗ୍ୟ ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ବିଚାର ବିଭାଗରେ ପ୍ରବେଶ ପାଇଁ ସୁଯୋଗ ଦେଉଛି ବୋଲି ଚର୍ଚ୍ଚା ହେଉଛି।
ଏବେ ହାଇକୋର୍ଟ ବିଚାରପତି ପଦ ଲାଗି ଜଣେ କେତେଦୂର ଯୋଗ୍ୟ ତାହା ଆକଳନ ପାଇଁ ସାକ୍ଷାତ୍‌କାର କରାଯିବା ସ୍ବାଗତଯୋଗ୍ୟ ଓ ମହତ୍ତ୍ବପୂର୍ଣ୍ଣ। ଏହା ବିଚାର ବିଭାଗରେ ସଂସ୍କାର କ୍ଷେତ୍ରରେ ଏକ ସାକାରାତ୍ମକ ପଦକ୍ଷେପ। ସଞ୍ଜୀବ ଖାନ୍ନାଙ୍କ ପୂର୍ବସୂରୀ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମୟରେ ବିଚାର ବିଭାଗରେ କେତେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିଲା; କିନ୍ତୁ ପରିବର୍ତ୍ତିତ ପରିସ୍ଥିତି ଦୃଷ୍ଟିରୁ ଏସବୁ ଯଥେଷ୍ଟ ନୁହେଁ। ଦେଶବାସୀଙ୍କ ନିକଟରେ ଅଧିକ ବିଶ୍ବାସଭାଜନ ହେବା ପାଇଁ ବିଚାର ବିଭାଗରେ ଆହୁରି ଅନେକ ସଂସ୍କାର ଅଣାଯିବାର ଆବଶ୍ୟକତା ରହିଛି। ସର୍ବୋପରି ବିଚାର ବିଭାଗର ଗରିମା ରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବାର ସମୟ ଉପନୀତ ଏବଂ ଏ ଦିଗରେ ସରକାରଙ୍କ ଅପେକ୍ଷା ଏହି ବିଭାଗର ଅଧିକ ଭୂମିକା ରହିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories