ମଣିଷକୁ ଆଉ ବାଣ୍ଟ ନାହିଁ

ଭୁବନେଶ୍ଵର: ଗୋଟିଏ ପୁରୁଣା ଦେଉଳର ଚୂଡ଼ାରେ ଦଳେ ପାରା ରହୁଥିଲେ। ଦେଉଳର ବାର୍ଷିକ ମରାମତି ବେଳେ ପାରା ଦଳଟି ପାଖରେ ଥିବା ଏକ ଗୀର୍ଜା ଉପରକୁ ଉଡ଼ିଗଲେ। ସେଠି ଆଗରୁ ଥିବା ପାରାମାନେ ଏହି ନୂଆ ପାରାଦଳକୁ ଆନନ୍ଦରେ ସ୍ବାଗତ କଲେ ଓ ନିଜ ଦଳରେ ମିଶେଇଦେଲେ। ଯେବେ ବଡ଼ଦିନର ସମୟ ଆସିଲା, ଗୀର୍ଜାଘରର ସାଜସଜ୍ଜା ଆରମ୍ଭ ହେଲା, ସେତେବେଳେ ପାରାମାନଙ୍କୁ ଆଉ ଗୋଟେ ନୂଆ ସ୍ଥାନ ଖୋଜିବାକୁ ପଡ଼ିଲା। ନିକଟରେ ଗୋଟେ ମସଜିଦ୍‌ ଥିଲା। ପାରାମାନେ ସେହି ମସଜିଦ୍‌ ଉପରକୁ ଉଡ଼ିଗଲେ ଓ ସେଠାରେ ରହିବାର ସୁଯୋଗ ପାଇଲେ। ମସଜିଦ୍‌ରେ ପୂର୍ବରୁ ରହୁଥିବା ପାରାମାନେ ଏମାନଙ୍କ ସହ ଖୁସିରେ ମିଶିକି ରହିଲେ। କିଛିଦିନ ପରେ ରମ୍‌ଜାନ୍‌ର ସମୟ ଆସିଲା ଓ ମସଜିଦ୍‌ରେ ରଙ୍ଗବୋଳା ଆରମ୍ଭ ହେଲା। ଏବେ ସବୁ ପାରା ଉଡ଼ିଉଡ଼ି ପୁରୁଣା ଦେଉଳକୁ ଫେରିଆସିଲେ।
ହଠାତ୍‌ ଦିନେ ପାରାମାନେ ମନ୍ଦିର ଉପରୁ ଦେଖିଲେ ଯେ, ତଳେ ବଜାର ଛକ ପାଖରେ ସାଂପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଯାଇଛି। ଛୁଆ ପାରାଟିଏ ତା’ ମାଆକୁ ପଚାରିଲା- ମାଆ! ଏମାନେ କିଏ? ମାଆ ପାରା ଉତ୍ତର ଦେଲା- ଏମାନେ ମଣିଷ। ଛୁଆ ପାରାଟି କୌତୂହଳରେ ପଚାରିଲା- ଏମାନେ ନିଜନିଜ ଭିତରେ ଏମିତି କଳି କରୁଛନ୍ତି କାହିଁକି? ମାଆ ପାରା ଉତ୍ତରଦେଲା- ଏମାନଙ୍କ ମଧ୍ୟରୁ ଯେଉଁ ମଣିଷମାନେ ମନ୍ଦିରକୁ ଯାଆନ୍ତି, ସେମାନେ ନିଜକୁ ହିନ୍ଦୁ ବୋଲି କହନ୍ତି, ଯେଉଁମାନେ ଗୀର୍ଜାକୁ ଯାଆନ୍ତି, ସେମାନେ ନିଜକୁ ଖ୍ରୀଷ୍ଟିଆନ୍‌ କହନ୍ତି, ଆଉ ଯେଉଁମାନେ ମସଜିଦ୍‌କୁ ଯାଆନ୍ତି, ସେମାନେ ନିଜକୁ ମୁସଲମାନ ବୋଲି କହନ୍ତି। ସେଇମାନେ ହିଁ ନିଜନିଜ ଧର୍ମକୁ ନେଇ ଏଭଳି କଳି କରୁଛନ୍ତି। ଛୁଆପାରାଟି ଆଶ୍ଚର୍ଯ୍ୟ ହୋଇ ପଚାରିଲା- କିନ୍ତୁ ଏମିତି କାହିଁକି? ଆମେ ତ ମନ୍ଦିର କି ମସଜିଦ୍‌, ଗୀର୍ଜା କି ଗୁରୁଦ୍ବାର, ଯେଉଁଠି ରହିଲେ ବି ଆମକୁ ସମସ୍ତେ ତ ପାରା ବୋଲି ହିଁ କୁହନ୍ତି। ସେମିତି ଏମାନେ ସମସ୍ତେ ନିଜକୁ ‘ମଣିଷ’ ବୋଲି କହିବା କଥା ନୁହଁ କି? ମାଆ ପାରା ଟିକିଏ ଗମ୍ଭୀର ହୋଇ ଉତ୍ତର ଦେଲା- ତୁ, ମୁଁ, ଆଉ ଆମ ସହ ରହୁଥିବା ସବୁ ପାରାମାନେ ଭଗବାନଙ୍କ ପରିଚୟ ପାଇଛେ। ସେଥିପାଇଁ ଆମେ ମଣିଷଙ୍କଠାରୁ ଉଚ୍ଚରେ ରହୁଛେ ଓ ଖୁବ୍‌ ଶାନ୍ତିରେ ଅଛେ। ତଳେ ଥିବା ଏଇ ମଣିଷମାନେ କିନ୍ତୁ ଏ ଯାଏ ଭଗବାନଙ୍କ ପରିଚୟ ପାଇନାହାନ୍ତି, ସେଥିପାଇଁ ନିଜନିଜ ଧର୍ମକୁ ନେଇ ପରସ୍ପର ସହ କଳିତକରାଳ କରୁଛନ୍ତି। ଛୁଆ ପାରାଟି ମାଆ ପାରାର ଏ ଉତ୍ତର ଶୁଣି ପୁଣି ଥରେ ତଳେ ସଂଘର୍ଷରତ ମଣିଷମାନଙ୍କୁ ଚାହଁି କହିଲା- ‘ହାୟ, ନିର୍ବୋଧ ମଣିଷ!’
ପାଠକେ! ମାଆ ପାରାର ଏ ଉତ୍ତର ଶୁଣି ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ବୋଲାଉଥିବା ​‌େ​‌ଯ କୌଣସି ମଣିଷ ଲଜ୍ଜିତ ହେବା ଉଚିତ। ଆତ୍ମ ସମୀକ୍ଷା କରିବା ଉଚିତ ଯେ ଧର୍ମ ମଣିଷ ତିଆରି କରିଛି ନା’ ମଣିଷ ଧର୍ମ ତିଆରି କରିଛି? ଭଗବାନ ମଣିଷକୁ ସୃଷ୍ଟି କରିଛନ୍ତି ନା ମଣିଷ ଭଗବାନଙ୍କୁ ସୃଷ୍ଟି କରିଛି? କେହି ଜଣେ ବିଦ୍ବାନ ଏକଦା କହିଥିଲେ- ‘ଯେତେବେଳେ ମଣିଷମାନେ ଈଶ୍ବରଙ୍କୁ ଗଢ଼ିବା ଆରମ୍ଭ କଲେ, ସେତେବେଳେ ଈଶ୍ବର ଅନ୍ତର୍ଦ୍ଧାନ ହୋଇଗଲେ।’ ବାସ୍ତବରେ କେଉଁଠି ଅଛନ୍ତି ଭଗବାନ? ଭଗବାନ ସର୍ବତ୍ର ଥାଆନ୍ତି। ମାତ୍ର ମନ୍ଦିର, ମସଜିଦ୍‌, ଗୀର୍ଜା କି ଗୁରୁଦ୍ବାରରେ ତ ଆଦୌ ନଥାନ୍ତି। ମନ୍ଦିରରେ ଘଣ୍ଟିର ଉଚ୍ଚଧ୍ବନି, ମସଜିଦରେ ନମାଜ୍‌ର ଧ୍ବନି, ଗୀର୍ଜାଘରେ ପ୍ରାର୍ଥନାର ଧ୍ବନି, ମଣିଷଙ୍କ ଦ୍ବାରା ଶୁଣାଯାଏ, ପରମେଶ୍ବରଙ୍କ ଦ୍ବାରା ନୁହେଁ। ପରମେଶ୍ବର କେବଳ ନିରବତାର ସ୍ବର ଶୁଣିପାରନ୍ତି ଯାହା ହୃଦୟର ଅନ୍ତର୍ଭାଗରୁ ବାହାରେ। ଏଣୁ ଈଶ୍ବରଙ୍କୁ ବାହାରେ ନୁହେଁ, ନିଜ ହୃଦୟ ଭିତରେ ଅନୁଭବ କରିବାର ପ୍ରକ୍ରିୟାରୁ ହିଁ ଈଶ୍ବରଙ୍କୁ ପାଇହୁଏ ବୋଲି, ଏ ସତ୍ୟଟି କାହିଁ କେତେ ଶତାବ୍ଦୀ ଧରି ଆମକୁ ବୁଝାଇ ଆସିଛନ୍ତି କେତେ ସନ୍ଥ ଓ ମହାପୁରୁଷ। ତେବେ, ସ୍ଥୂଳ ଜୀବନରେ ମଣିଷ ସ୍ଥୂଳ ଅବଲମ୍ବନଟିଏ ଲୋଡ଼ିଥାଏ। ସେଥିପାଇଁ ସେ ମନ୍ଦିର, ମସଜିଦ୍‌, ଗୀର୍ଜା କି ଗୁରୁଦ୍ବାର ଯାଏ। ଯାହାକୁ ଯେଉଁଠି ଶାନ୍ତି ମିଳିଛି, ସେଇଠି ସିଏ ଆଶ୍ରୟ ନେଇଛି। ଯଦି ସବୁ ଦେବତା ମଣିଷ କଳ୍ପନାର ଖିଆଲ ତେବେ ସେ ଏକେଶ୍ବର ହୁଅନ୍ତୁ ଅବା ତ୍ରିମୂର୍ତ୍ତି ହୁଅନ୍ତୁ। ଆଲ୍ଲା ହୁଅନ୍ତୁ କି ଯିଶୁ ହୁଅନ୍ତୁ, ଯିଏ ବା ଯେଉଁମାନେ ମଣିଷକୁ ଶାନ୍ତି ଦେଇପାରିଲେ, ତାଙ୍କରି ଉଦ୍ଦେଶ୍ୟରେ ମଣିଷର ସବୁ ଉପାସନା। ତାହା ଆଶାବାଡ଼ିଟିଏ ହେଉ ବା କ୍ରୁଶକାଠଟିଏ ହେଉ, ତା’ ପାଇଁ ସବୁ ସତ୍ୟ; କିନ୍ତୁ ଯେଉଁ ଧର୍ମାନ୍ଧମାନେ ଆମ ଆଶାବାଡ଼ିଟି ସତ, ଆଉ ସବୁ ମିଛ କିମ୍ବା କ୍ରୁଶକାଠଟି ସତ ଆଉ ସବୁ ମିଛ, ଅଥବା ଆମର ପୋଥି ସତ, ତମର ପୁରାଣ ମିଛ ବୋଲି କହନ୍ତି, ତାହା ସବୁ ପଣ୍ଡିତ ନୀଳକଣ୍ଠଙ୍କ ଭାଷାରେ ‘ଭାକ୍ତିିକ ମିଥ୍ୟା’।
ଧର୍ମର ଅର୍ଥ କୌଣସି ଜାତି ନୁହେଁ କି ସଂପ୍ରଦାୟ ନୁହେଁ କିମ୍ବା କୌଣସି ବିଶେଷ ଈଶ୍ବରଙ୍କ ପାଇଁ ନିର୍ଦ୍ଧାରିତ ପୂଜାପଦ୍ଧତି ବି ନୁହେଁ। ଧର୍ମ କହିଲେ ପ୍ରତ୍ୟେକ ପ୍ରାଣୀର କର୍ମକୁ ହିଁ ବୁଝାଏ। ମଣିଷର ସୀମାବଦ୍ଧ ମନକୁ ଊର୍ଦ୍ଧ୍ବକୁ ତୋଳିନେବା ନିମନ୍ତେ ଧର୍ମର ଜନ୍ମ ହୋଇଥିଲା; କିନ୍ତୁ ବିଡ଼ମ୍ବନା ଏହା ଯେ, ଏବେ ସବୁ ଧର୍ମକୁ ଆନୁଷ୍ଠାନିକ ଭାବେ ମାଡ଼ିବସିଛି ଆସୁରିକ ଅହଙ୍କାର। ଅସୀମର ସ୍ପର୍ଶ ଦେବା ତ ଦୂରର କଥା, ଆନୁଷ୍ଠାନିକ ଭାବରେ ମଣିଷକୁ ଯେତେଦୂର ସୀମାବଦ୍ଧ କରାଯାଇପାରେ ଧର୍ମ ତାହାହିଁ କରୁଛି। ଧର୍ମ ନାଁରେ ମଣିଷକୁ ଏବେ ଖଣ୍ଡଖଣ୍ଡ କରି ବଣ୍ଟା ଚାଲିଛି। ସବୁଠି ଖଣ୍ଡାତର୍ପର ଖେଳ। ଧର୍ମ, ସଂପ୍ରଦାୟ, ଜାତି, ଭାଷା ଓ ଆଞ୍ଚଳିକ ଅସ୍ମିତାର ଦ୍ବାହିଦେଇ ବି​‌େ​‌ଦ୍ବଷର ବିଷାକ୍ତ ବୋମା ଏବେ ଧ୍ବଂସ କରିଚାଲିଛି ଏ ସୁନ୍ଦର ପୃଥିବୀକୁ। ଧର୍ମ ମଣିଷ ସମାଜରେ ସଂହତି ପରିବର୍ତ୍ତେ ସଂଘର୍ଷର ବାତାବରଣ ସୃଷ୍ଟି କରିବାରେ ଲାଗିଛି। ଧାର୍ମିକ ଉତ୍ତେଜନା, ବିଭକ୍ତି ଓ ବିଭାଜନକୁ ନିରୀକ୍ଷଣ କରି ‘ଧର୍ମ’କୁ ସର୍ବସାଧାରଣଙ୍କ ‘ଅଫିମ’ ବୋଲି କାର୍ଲ ମାର୍କ୍ସ ଆଖ୍ୟାୟିତ କରିଛନ୍ତି। କାରଣ ଧର୍ମର ପ୍ରକୃତ ଆତ୍ମା ରାଜନୀତି ଏବଂ ପ୍ରଥାପରମ୍ପରାର ମୋଟା ଚାଦରତଳେ ଅଣନିଃଶ୍ବାସୀ ହୋଇଯାଉଛି। ସେଇଥିପାଇଁ ସେଦିନ ମାର୍କ୍ସ କହିଥିଲେ- ‘ମଣିଷ ଧର୍ମ ତିଆରି କରୁଛି, ମାତ୍ର ଧର୍ମ ମଣିଷ ତିଆରି କରୁନାହିଁ।’
ଧର୍ମ କେବଳ ମଣିଷକୁ ନୁହେଁ, ପଶୁ, ପକ୍ଷୀ, ଫୁଲ, ଫଳ ଓ ରଙ୍ଗକୁ ବି ବାଣ୍ଟିଚାଲିଛି। ଆକାଶର ଜହ୍ନକୁ ବି ଛାଡ଼ିନି ଧର୍ମ। ଜହ୍ନ ଉଇଁଲେ କିଏ ଉପବାସ ଆରମ୍ଭ କରୁଛି ତ କିଏ ଉପବାସ ଭଙ୍ଗ କରୁଛି। ଆପଣ କୁହନ୍ତୁ ତ ଜହ୍ନ କେଉଁ ଧର୍ମର? ଏସବୁକୁ ଲକ୍ଷ୍ୟ କଲାବେଳେ ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ କବି ବିନୟ ମହାଜନଙ୍କ ରଚିତ କାଳଜୟୀ କବିତାର କିଛି ଧାଡ଼ି ମନେ ପଡ଼ୁଛି – ‘ମନ୍ଦିର ମସ୍‌ଜିଦ୍‌ ଗୀର୍ଜାଘରନେ ବାଁଟ୍‌ଲିୟା ଭଗବାନ୍‌ କୋ/ ଧରତୀ ବାଁଟି, ସାଗର ବାଁଟା/ ମତ୍‌ ବାଁଟୋ ଇନ୍‌ସାନ୍‌ କୋ।’ ଅର୍ଥାତ ମନ୍ଦିର, ମସଜିଦ, ଗୀର୍ଜାଘର ଗଢ଼ି ଭଗବାନଙ୍କୁ ବାଣ୍ଟିନେଲ। ଜାତି, ଧର୍ମ, ରୂପ, ରଙ୍ଗ, ଆକାର, ପ୍ରକାର, କ୍ଷେତ୍ର, ସ୍ଥାନ ଆଧାରରେ ଇଏ ତମ ଦେଶ, ଇଏ ମୋ ଦେଶ କହି ଏ ଧାତ୍ରୀ ଧରିତ୍ରୀକି ବି ବାଣ୍ଟିଦେଲ। ଇଏ ତମ ସୀମା, ଇଏ ମୋ ସୀମା କହି ଅସୀମ ସାଗରକୁ ବି ବାଣ୍ଟିଦେଲ। ହେଲେ ଧର୍ମାନ୍ଧମାନେ! ଏବେ ଆଉ ମଣିଷକୁ ବାଣ୍ଟ ନାହିଁ। ମଣିଷ ମଣିଷ ଭିତରେ ପ୍ରାଚୀର ସୃଷ୍ଟି କରନାହିଁ। ମଣିଷକୁ ମଣିଷ ହୋଇ ରହିବାକୁ ଦିଅ। ମଣିଷର ଧର୍ମ ହେଉ କରୁଣା, ନୀତି ହେଉ ପ୍ରେମ। ମଣିଷପଣିଆରେ ଆଲୋକ, ଧର୍ମର କରୁଣା ଓ ପ୍ରେମର ନୀତିରେ ବାଟ ଚାଲୁ ମଣିଷ। ଦୟାକରି ମଣିଷକୁ ଆଉ ବାଣ୍ଟନାହିଁ। ବାଣ୍ଟିବ ତ ସ୍ନେହ, ପ୍ରେମ, ଦୟା ଓ କରୁଣା ହିଁ ବାଣ୍ଟିଚାଲ।

Comments are closed.