www.samajalive.in
Tuesday, December 9, 2025
16.1 C
Bhubaneswar

ପାର୍ବଣ ସର୍ଜନା: ବଜାରରେ ୩୦ପତ୍ରିକା, କରୋନା ପାଇଁ ପଡ଼ିଛି ଫିକା

ଭୁବନେଶ୍ୱର : ପୂଜା ବଜାରରେ ପ୍ରକାଶ ପାଉଥିବା ପତ୍ରପତ୍ରିକା ବି କରୋନା କାୟାରୁ ବର୍ତ୍ତିନି। ପ୍ରତି ବର୍ଷ ଏକାଧିକ ପତ୍ରିକା ବଜାରକୁ ଆସୁଥିବାବେଳେ ଏଥର  ବଜାରକୁ ମାତ୍ର ୩୦ଟି ପତ୍ରିକା ଆସିଛି। ଗୋପବନ୍ଧୁଙ୍କ ‘ସତ୍ୟବାଦୀ’, ‘ସମ୍ବାଦ’, ‘କାଦମ୍ବିନୀ’ ଓ ‘ଶୋଭନା’ ପୂଜା ବଜାରକୁ ଆଗୁଆ ଆସିଛି।   ପାଠକଙ୍କ ଦ୍ବାରା ଆଦୃତ ‘ପଶ୍ଚିମା’ ଓ ‘ସାମ୍ନା’ ଏଥର ବଜାରକୁ ଆସିବ ନାହିଁ ବୋଲି ଦୋକାନୀ କହିଥିବାବେଳେ ‘ପକ୍ଷୀଘର’ ଓ ‘ବର୍ତ୍ତିକା’ ଆଜିସୁଦ୍ଧା ବଜାରରେ ପହଞ୍ଚି ନାହିଁ। ୩୦ବର୍ଷ ଧରି ପ୍ରକାଶିତ ପାରମ୍ପରିକ ‘ଅମୃତାୟନ’, ‘ସମାରୋହ’ ମଧ୍ୟ ପୂର୍ବ ବର୍ଷମାନଙ୍କରେ ପୂଜା ପୂର୍ବରୁ ଆସିଥିବାବେଳେ ଏବର୍ଷ  ଦୋକାନରେ ପହଞ୍ଚି ନାହିଁ।

ପାଠକଙ୍କ ପୂଜା ପତ୍ରିକା ପ୍ରତି ସ୍ବତନ୍ତ୍ର ଆକର୍ଷଣ ରହିଛି। ତେବେ ପୂଜା ବଜାରକୁ କରୋନା ପ୍ରଭାବିତ କରିଥିବାରୁ ବହୁ ଶାରଦୀୟ ବିଶେଷାଙ୍କ ଏଥର ପ୍ରକାଶ ପାଇବା ନେଇ ଆଶଙ୍କା ଦେଖାଦେଇଛି।  ଗୋପବନ୍ଧୁଙ୍କ ‘ସତ୍ୟବାଦୀ’ରେ ସ୍ଥାନିତ ପ୍ରବନ୍ଧ, ସ୍ମୃତିର ଆଲେଖ୍ୟ, ପ୍ରତିଭା ପରିଚର୍ଯ୍ୟା, କବିତା, କାବ୍ୟ, ବିଶ୍ବ ସାହିତ୍ୟ, ପ୍ରାଚୀନ କବିଙ୍କ ରଚନାରୁ, ଗଳ୍ପ, ଅନୁଦିତ ଗଳ୍ପ, କାଳଜୟୀ ସାହିତ୍ୟ, ବ୍ୟଙ୍ଗ ବିଚାର, ଧାରାବାହିକ ଉପନ୍ୟାସ ପ୍ରଭୃତି ବେଶ୍‌ ଉପାଦେୟ ଓ ଆକର୍ଷଣୀୟ ହୋଇଛି। ପ୍ରଚ୍ଛଦ, ଅଳଙ୍କରଣ ଦୃଷ୍ଟିରୁ ପତ୍ରିକାଟି ନିଆରା ବାରି ହୋଇପଡୁଛି। ସେହିପରି  ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କରେ ପ୍ରବନ୍ଧ ବିଭାଗ ଯେମିତି ଗବେଷଣା ନିମିତ୍ତ ତଥ୍ୟଗର୍ଭ ସେମିତି ମନନଶୀଳ ହୋଇଛି।  ଶୋଭନାରେ ୫୫ଟି  ଗଳ୍ପ ବିଶିଷ୍ଟ ଲେଖକଙ୍କ ଦ୍ବାରା ପ୍ରକାଶ ପାଇଛି। ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ ନଦୀ ନାରୀ ଏବଂ ନୌକା, ତରୁଣକାନ୍ତି ମିଶ୍ରଙ୍କ ରହିମ, ରବିପ୍ରିୟ ଦାଶଙ୍କ ‘ଊର୍ବଶୀର ଚଲାପଥ’ ପାଠକଙ୍କ ପାଇଁ ନୂଆ ଉନ୍ମାଦନା ଭରିଦେଇଛି। ବର୍ତ୍ତମାନ ସୁଦ୍ଧା ବଜାରରେ  ଶୋଭାବର୍ଦ୍ଧନ କରୁଥିବା ପତ୍ର ପତ୍ରିକା ମଧ୍ୟରେ- ‘ସମାଜ’ର ଶ୍ରାଦ୍ଧ ସଂଖ୍ୟା, କଥା କଳିକା, କଥା, ପୌରୁଷ, ଶତଦ୍ରୁ, ଆଇନା, ସୁଧନ୍ୟା, ଚିର ସମର୍ଥା, ଆକାଂକ୍ଷା, ନନ୍ଦିକା, ଶ୍ୱେତ ସଂକେତ, ସାହିତ୍ୟ ଦର୍ପଣ, ଅପୂର୍ବା, କୁସୁମିତ, ନାଗରା, ଲେଖାଲେଖି, ସମଦୃଷ୍ଟି, ସତ୍ୟ ଚେତନା, ଶତଭିକ୍ଷା, ନବଲିପି ଆଦି ଉପଲବ୍ଧ ହେଉଛି। ବିଗତ ବର୍ଷ ପରି ଏଥର ଶାରଦୀୟ ପତ୍ରିକାର ବିକ୍ରି ଆଶାନୁରୂପ ନୁହଁ। ତେବେ ପତ୍ରିକା ପ୍ରତି ପାଠକଙ୍କ ଆକର୍ଷଣ ବାରି ହୋଇପଡୁଛି ବୋଲି ପୁରୁଣା ବସ୍‌ଷ୍ଟାଣ୍ଡରେ ପତ୍ରିକା ବିକ୍ରି କରୁଥିବା ତପନ କୁମାର କହିଛନ୍ତି।ସଙ୍କଟ ସମୟରେ ପ୍ରକାଶିତ ବିଭିନ୍ନ ପତ୍ରିକାର ବିଶେଷାଙ୍କ ସାହିତ୍ୟ ଜଗତକୁ   ସମୃଦ୍ଧ କରିଛି ବୋଲି ଅଧ୍ୟାପକ ଚିନ୍ମୟ ରାୟ କହିଛନ୍ତି।  ଦୋକାନୀ ପଞ୍ଚାନନ କହିଛନ୍ତି ଚଳିତ ବର୍ଷ ଆସିଥିବା ପତ୍ରିକାଗୁଡ଼ିକ ପ୍ରତି ପାଠକଙ୍କ ଚାହିଦା ରହିଥିଲେ ମଧ୍ୟ କରୋନା ଅନେକାଂଶରେ ପୂଜା ବଜାରକୁ ପ୍ରଭାବିତ କରିଥିବାରୁ ବହୁ ପତ୍ରିକା ପ୍ରକାଶ ପାଇ ନାହିଁ।   ଗତବର୍ଷ ଅପେକ୍ଷା ୭୦ରୁ ୮୦ ପତ୍ରିକା ଅଦ୍ୟାବଧି ବଜାରରେ ପହଞ୍ଚି ନାହିଁ ବୋଲି ସେ କହିଛନ୍ତି। ପାଠିକା ପଦ୍ମାଳୟା ଜେନା କହିଛନ୍ତି, ପୂଜା ପତ୍ରିକା ପ୍ରତି ସମସ୍ତଙ୍କ ଆକର୍ଷଣ ରହିଛି। ବିଶେଷକରି ଗଳ୍ପ ପଠନ ପ୍ରତି ମୋର ସ୍ବତନ୍ତ୍ର ରୁଚି ରହିଛି। ମୋ ପସନ୍ଦର କିଛି ପତ୍ରିକା ବଜାରକୁ ଆସି ନଥିବାରୁ ନିରାଶ ହେବାକୁ ପଡ଼ିଛି। ପ୍ରକାଶକ ମାଧବ ନନ୍ଦ କହିଛନ୍ତି, ବର୍ତ୍ତମାନ କରୋନାର କାୟା ସବୁଠି। ତେଣୁ ପତ୍ରିକା ପ୍ରକାଶନ ବନ୍ଦ ରଖି ନୂଆବର୍ଷ ପାଇଁ ଯୋଜନା କରୁଛୁ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories