ଜେଲ କର୍ମଚାରୀଙ୍କ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ଜେଲ କର୍ମଚାରୀ ଅନେକ ସମୟରେ ଆନ୍ଦୋଳନ କରିଥିଲା ବେଳେ ଏବେ କିନ୍ତୁ ଅନ୍ୟ ଏକ କାରଣ ପାଇଁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ନିଖିଳ ଓଡିଶା ଜେଲ କର୍ମଚାରୀ ସଂଘ ସଭାପତି ତମିମୁର ରହେମନ କହିଛନ୍ତି ଯେ ଗତ ଦୁଇବର୍ଷ ହେବ ଜେଲ ବିଭାଗ ଡିଜି ପଦବୀରେ ଅବସ୍ଥାପିତ ଅଧିକାରୀଙ୍କୁ ଘନ ଘନ ବଦଳି କରାଯାଉଛି। ତିନିମାସ ତଳେ ସତ୍ୟଜିତ ମହାନ୍ତିଙ୍କୁ ଜେଲ ବିଭାଗ ଡିଜି ପଦବୀରେ ଅବସ୍ଥାପିତ କରାଯାଇଥିଲା। ମାତ୍ର ବୁଧବାର ତାଙ୍କର ବଦଳି ହେଇଯାଇଛି। ବରିଷ୍ଠ ଅଧିକାରୀଙ୍କ ବଦଳି ଯୋଗୁ ଜେଲ କର୍ମଚାରୀଙ୍କ ସମସ୍ୟା ସମାଧାନ ହୋଇ ପାରୁ ନ ଥିବା ବେଳେ ପ୍ରଶାସନିକ ସ୍ତରରେ ଅଚଳାବସ୍ଥା ସୃଷ୍ଟି ହେଉଛି। ଏହାଛଡା ବାରମ୍ବାର ଦାବି ସତ୍ତ୍ବେ ମଧ୍ୟ ଆସିଷ୍ଟାଣ୍ଟ ଆଇଜି ଓ ଡେପୁଟି ଆଇଜି ପଦବୀ ଆଜି ପର୍ୟ୍ୟନ୍ତ ପୂରଣ ହୋଇପାରିଲା ନାହିଁ। ଜେଲ ବିଭାଗ ଡିଜି ପଦବୀରେ ଅବସ୍ଥାପିତ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ବାରମ୍ବାର ବଦଳି ନ କରି ଅତିକମରେ ତିନିବର୍ଷ ପର୍ୟ୍ୟନ୍ତ କାମ କରିବାକୁ ସୁଯୋଗ ଦେବା ଓ ଉପରୋକ୍ତ ଦୁଇ ପଦବୀକୁ ତୁରନ୍ତ ପୂରଣ କରିବାକୁ ସଂଘ ଦାବି କରିଛି। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ କର୍ମଚାରୀମାନେ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ରହେମନ ସୂଚନା ଦେଇଛନ୍ତି ।

Comments are closed.