ଗୋରୁହାଟ ହତ୍ୟାକାଣ୍ଡ ମାମଲା : ୫ ଆନ୍ତଃରାଜ୍ୟ ଅଭିଯୁକ୍ତ ଗିରଫ
ବାରିପଦା : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡ଼ା ସାପ୍ତାହିକ ଗୋରୁହାଟ ଗୁଳିକାଣ୍ଡରେ ପଶ୍ଚିମବଙ୍ଗର ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ଘଟିବା ସହିତ ୨୦ଲକ୍ଷ ଟଙ୍କା ଲୁଟ ହୋଇଥିଲା। ମୟୂରଭଞ୍ଜ ଓ କେନ୍ଦୁଝର ପୁଲିସଙ୍କ ମିଳିତ ଉଦ୍ୟମ ଯୋଗୁଁ ୫ଜଣ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଆଜି ସ୍ଥାନୀୟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ୫ଜଣଙ୍କ ମଧ୍ୟରେ ୪ଜଣ ଝାଡ଼ଖଣ୍ଡ ରାଜ୍ୟର ଓ ଜଣେ ଓଡ଼ିଶାର ରହିଛନ୍ତି। ତେବେ ତଦନ୍ତରେ ବ୍ୟାଘାତ ଆଶଙ୍କାରେ ଗିରଫ ଅଭିଯୁକ୍ତଙ୍କ ନାମ ପ୍ରକାଶ କରାଯାଇ ନାହିଁ। ଏହି ସମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ପୁଲିସ ଅଧିକ୍ଷକ ଋଷିକେଶ ଡି. ଖିଲାରୀ ମଧ୍ୟ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଇନ୍ସାସ୍ ଏକ୍ସକାଲିବାର ରାଇଫଲ, ୨୬ ରାଉଣ୍ଡ ୫.୫୬ ମିଲିମିଟର ଗୁଳି, ଦୁଇଟି ମେଗାଜିନ୍, ନଗଦ ୫୦ ହଜାର ଟଙ୍କା, ବହୁସଂଖ୍ୟକ ମୋବାଇଲ ଫୋନ ସମେତ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ ଏବଂ ଲୁଟ ଟଙ୍କାରେ କିଣିଥିବା ଗୋଟିଏ ସୋନାଲିକା ଟ୍ରାକ୍ଟର ଓ ଗୋଟିଏ ଟିଭିଏସ ସ୍ପୋଟସ୍ ମୋଟରସାଇକଲ ଆଦି ଜବତ କରାଯାଇଛି। ସେଗୁଡ଼ିକୁ ସାମ୍ବାଦିକ ସମ୍ମିଳନୀରେ ପ୍ରଦର୍ଶିତ କରାଯାଇଥିଲା। ଅଭିଯୋଗ ଅନୁଯାୟୀ ୨୦ଲକ୍ଷ ଟଙ୍କା ଲୁଟି ହୋଇଥିବା ସେତେବେଳେ କୁହାଯାଇଥିଲେ ମଧ୍ୟ ତଦନ୍ତରେ ୧୧ଲକ୍ଷ ଟଙ୍କା ଲୁଟ ହୋଇଥିଲା ବୋଲି ସ୍ପଷ୍ଟ କରାଯାଇଛି।
ପ୍ରକାଶ ଯେ, ଗତ ୨୫ ତାରିଖ ସକାଳ ୬ଟା ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡ଼ା ସାପ୍ତାହିକ ଗୋରୁହାଟରେ ୭ଜଣିଆ ଗୋରୁ ବ୍ୟବସାୟୀ ଦଳ ପହଞ୍ଚିଥିଲେ। ସେମାନଙ୍କର ମୁଖିଆ ସେକ୍ ଜାମସୁଦ ଅଲ୍ଲୀ ଗୋରୁହାଟ ପଛପାଖ ପୋଖରୀ ହୁଡ଼ାରେ ଏକୁଟିଆ ବସିଥିବା ବେଳେ ୪ଜଣ ଯୁବକ ଦୁଇଟି ବାଇକରେ ପହଞ୍ଚି ତାଙ୍କଠାରୁ ଟଙ୍କାଥଳି ଲୁଟ ଉଦ୍ୟମ କରିଥିଲେ। ସେକ ଅଲ୍ଲୀ ଜଣେ ଲୁଟିଆକୁ କାବୁ କରିଥିଲା ବେଳେ ଅନ୍ୟ ଲୁଟିଆଙ୍କ ମଧ୍ୟରୁ ଜଣଙ୍କର ଗୁଳି ଚାଳନାରେ ସେକ୍ ଜାମସୁଦ ଅଲ୍ଲୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେମାନେ ଟଙ୍କାଥଳିକୁ ନେଇ ଝାଡ଼ଖଣ୍ଡ ସୀମା ଆଡ଼କୁ ପଳାଉଥିଲା ବେଳେ ଅନ୍ୟମାନଙ୍କୁ ଭୟଭୀତ କରିବା ପାଇଁ ୩/୪ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ମୃତକଙ୍କ ଘର ପଶ୍ଚିମବଙ୍ଗ ଜାମବଣୀ ଥାନା ଅନ୍ତର୍ଗତ ଚିଞ୍ଚଡ଼ା ଗ୍ରାମେର ଓ ସେ ସାମୁରୁଦ୍ଦିନ୍ ଅଲ୍ଲୀଙ୍କ ପୁଅ ବୋଲି ପ୍ରକାଶ। ଏ ସମ୍ପର୍କରେ ଥାନାରେ ୯୨/୨୨ ନଂର ଏକ ମାମଲା ଆଇପିସି ୩୦୨ ଓ ୩୯୪ ଦଫା ସହିତ ଆର୍ମସ୍ ଆକ୍ଟର ୨୫ ଓ ୨୭ ଧାରାରେ ରୁଜୁ ହୋଇଥିଲେ ମଧ୍ୟ ତଦନ୍ତରେ ଆଇପିସିର ୩୯୬, ୧୨୦(ବି) ଓ ୨୦୧ ଦଫା ସହିତ ଆର୍ମସ୍ ଆକ୍ଟର ୨୫ ଓ ୨୭ ଧାରାକୁ ପରିବର୍ତ୍ତନ କରାଯାଇଥିଲା।
ଗିରଫ ଅଭିଯୁକ୍ତ ମାନେ ଏହି ମାମଲାରେ ସଂପୃକ୍ତ ଥିବା ସ୍ୱୀକାର କରିଥିବା ସହିତ ଅନ୍ୟ ୭ଟି ମାମଲାରେ ମଧ୍ୟ ଜଡ଼ିତ ଥିବା ପ୍ରକାଶ। ସେଗୁଡ଼ିକ ମଧ୍ୟରୁ କରଞ୍ଜିଆ ଥାନାରେ ଗତ ମଇ ୧୬ ତାରିଖରେ ରୁଜୁ ୧୩୯ ନଂ ମାମଲା, ରରୁଆଁ ଥାନାରେ ଗତ ଜାନୁଆରୀ ୨୦ ତାରିଖରେ ରୁଜୁ ୮ନଂ ମାମଲା, ବାଙ୍ଗିରିପୋଷି ଥାନାରେ ଗତ ମଇ ୧୯ ତାରିଖରେ ରୁଜୁ ୯୮ ନଂ ମାମଲା, ବଡ଼ବିଲ ଥାନାର ଗତ ଅପ୍ରେଲ ମାସ ୧୮ ତାରିଖରେ ରୁଜୁ ୬୫ ନଂ ମାମଲା, ବାମେବାରୀ ଥାନାର ଗତ ମଇମାସ ୨୧ ତାରିଖରେ ରୁଜୁ ୭୭ନଂ ମାମଲା, ଯୋଡ଼ା ଥାନାର ଗତ ମଇ ମାସ ୨୨ ତାରିଖରେ ରୁଜୁ ୯୩ ନଂ ମାମଲା ଏବଂ ବଡ଼ବିଲ ଥାନାର ଗତ ମଇମାସ ୨୪ ତାରିଖରେ ରୁଜୁ ୧୦୦ ନଂ ମାମଲାରେ ଜଡ଼ିତ ଅଛନ୍ତି।
ଏହି ଗୁଳିକାଣ୍ଡ ଓ ଲୁଟ ଘଟଣାର ତଦନ୍ତ ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ପୁଲିସ ପକ୍ଷରୁ ୯ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ଏଥିରେ ରାଇରଙ୍ଗପୁର ଏସଡିପିଓ ରତିକାନ୍ତ ଗିରି, କରଞ୍ଜିଆ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ, ବଡ଼ବିଲ ଏସଡିପିଓ ହିମାଂଶୁ ଭୂଷଣ ବେହେରା, ବାରିପଦା ସଦର ଏସଡିପିଓ କେକେ ହରିପ୍ରସାଦ, ଉଦଳା ଏସଡିପିଓ ସାର୍ଥକ ରାୟ ପ୍ରମୁଖଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଆଇଆଇସି ରଞ୍ଜନ କୁମାର ସେଠୀ, ରାଇରଙ୍ଗପୁର ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ, ବାରିପଦା ଟାଉନ ଆଇଆଇସି ବିରେନ୍ଦ୍ର ସେନାପତି, ବାଦାମପାହାଡ଼ ଓଆଇସି ଅୟଶ କାନ୍ତ ପ୍ରମୁଖଙ୍କ ସମେତ ୧୬ଜଣ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ବେଳେ ମୋଟ ୪୫ଜଣ ପୁଲିସ କର୍ମଚାରୀ ସାମିଲ ଥିଲେ। ସ୍ୱତନ୍ତ୍ର ପୁଲିସ ଦଳ ଗୁଡ଼ିକ ମୟୂରଭଞ୍ଜ, କେନ୍ଦୁଝର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ଜାଗାରେ ଚଢାଉ କରି ଅଭିଯୁକ୍ତଙ୍କୁ ଠାବ କରିଥିବା ଜଣାପଡିଛି।
Comments are closed.