www.samajalive.in
Sunday, December 7, 2025
16.1 C
Bhubaneswar

ବାରବାଟୀ ଲଢ଼େଇ ଆଜି

କଟକ :  ଆଉ କିଛି ଘଣ୍ଟାର ଅପେକ୍ଷା। ଓଡ଼ିଶାର ସମସ୍ତ ରାସ୍ତା କଟକ ଆଡ଼କୁ ଏବଂ କଟକର ସମସ୍ତ ରାସ୍ତା ବାରବାଟୀ ଷ୍ଟାଡିୟମ୍‌ ଆଡ଼କୁ ମୁହାଁଇବ। ସାରାରାଜ୍ୟରେ ଏବେ କ୍ରିକେଟ୍‌ ଫିଭର। ଦିନ ଥିଲା; ବାରବାଟୀ ଷ୍ଟାଡିୟମ୍‌ରେ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ ​‌େ​‌ଦ୍ବୖତନଗରୀର ଦର୍ଶକଙ୍କ ପାଇଁ ସୀମିତ ଥିଲା। ହେଲେ ଏବେ ଏହା ପରିବ୍ୟାପ୍ତ ହୋଇଛି। ଅଢ଼େଇ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍‌ ହେଉଥିବା ବେଳେ ଏହାକୁ ଦେଖିବା ପାଇଁ ସାରାରାଜ୍ୟର କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଥିଲା ପ୍ରବଳ ଆଗ୍ରହ; ଯାହା ଗତ ୯ରେ ହୋଇଥିବା ଟିକଟ ବିକ୍ରିରୁ ସ୍ପଷ୍ଟ ହୋଇଯାଇଛି। ରବିବାର ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମ୍‌ରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ନେଇ ଯେପରି ଉତ୍ସାହ ଓ ଉଦ୍ଦୀପନା ଦେଖାଯାଇଛି; ତାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଷ୍ଟାଡିୟମ୍‌ରେ ୪୪ ହଜାର ଦର୍ଶକ ବସିବାର ବ୍ୟବସ୍ଥା ଥିବା ବେଳେ ସମସ୍ତ ଟିକଟ ବିକ୍ରି ହୋଇଯାଇଛି ଓ ପାସ୍‌ ବଣ୍ଟନ ସରିଯାଇଛି। ତେଣୁ ରବିବାର କଟକରେ ସନ୍ଧ୍ୟା ନଇଁବା ସହ ଦୁଲୁକିବ ବାରବାଟୀ ଷ୍ଟାଡିୟମ୍‌। ନୂତନ ଏଲ୍‌ଡି ଫ୍ଲଡ୍‌ଲାଇଟ୍‌ରେ ଟ୍ବେଣ୍ଟି୨୦ କ୍ରିକେଟ୍‌ର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହା ମୁକାବିଲା। ଦର୍ଶକଙ୍କ ହର୍ଷନାଦ ଓ କରତାଳିର ଶବ୍ଦ ସାରା ସହରକୁ ଉନ୍ମାଦ କରିବ। ପୁଣି ଖେଳାଳିଙ୍କ ଚୌକା ଓ ଛକା ଏବଂ ଡିଜେର ଗୀତ ତାଳେତାଳେ ସେମାନେ ନୃତ୍ୟ କରିବାକୁ ପ୍ରସ୍ତୁତ।
ଶନିବାର ଅପରାହ୍‌ଣରେ ପ୍ରଥମେ ଦକ୍ଷିଣ ଆଫ୍ରିକା ଓ ପରେ ଭାରତୀୟ ଦଳ ବାରବାଟୀ ଷ୍ଟାଡିୟମ୍‌କୁ ଅଭ୍ୟାସ କରିବାକୁ ଆସିଥିଲେ। ଏଥିପାଇଁ ୨ଟି ଗ୍ୟାଲେରୀ ଖୋଲା ଯାଇଥିବା ବେଳେ ପାଖାପାଖି ୧୦ ହଜାର କ୍ରିକେଟ୍‌ପ୍ରେମୀ ଅଭ୍ୟାସ କରୁଥିବା ଖେଳାଳିଙ୍କୁ ପାଖରୁ ଦେଖିବାକୁ ଉପସ୍ଥିତ ଥିଲେ। ଏଥିରୁ ଅନୁମେୟ ଯେ ମ୍ୟାଚ୍‌କୁ ନେଇ ସେମାନଙ୍କ ମଧ୍ୟ​‌େ​‌ର କେତେ ଉତ୍ସାହ। ଏହି ମ୍ୟାଚ୍‌ର ଟିକଟ ଓ ମ୍ୟାଚ୍‌ ପାଇଁ ପୂର୍ବରୁ ଏପରି ଚାହିଦା କଦାପି ଦେଖିବାକୁ ମିଳିନଥିଲା। ଭାରତୀୟ ଦଳରେ ୬/୭ ଜଣ ନିୟମିତ ଖେଳାଳି ନଥିବା ଆମ କ୍ରିକେଟ୍‌ପ୍ରେମୀଙ୍କ ଉତ୍ସାହକୁ କମ୍ କରି ପାରିନାହିଁ। କଟକରେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ଖେଳାଯିବ ବୋଲି ଜଣାପଡ଼ିବା ପରେ ଏହାକୁ ସଫଳ କରିବା ଲାଗି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ପୂରା ଦମ୍‌ରେ ଲାଗି ପଡ଼ିଥିଲା। ପଡ଼ିଆ ଓ ପିଚ୍‌ ତ ପୂର୍ବରୁ ନୂତନ ଭାବେ ନିର୍ମିତ ହୋଇଥିଲା। ପୁଣି ୭ନଂ ଗ୍ୟାଲେରୀକୁ ମରାମତି କରାଯିବା ସହ ଖେଳାଳି ଡ୍ରେସିଂରୁମ୍‌ ନୂତନ ଭାବେ ନିର୍ମିତ ହୋଇଛି। ପୂରା ଷ୍ଟାଡିୟମ୍‌କୁ ନବବଧୂ ଭା​ବେ‌ ସଜାଯାଇଛି।
ଉଭୟ ଦଳର ଖେଳାଳି ବାରବାଟୀର ଆଉଟ୍‌ ଫିଲ୍‌ଡକୁ ପ୍ରଶଂସା କରିଛନ୍ତି। ଭାରତ ପାଇଁ ବାରବାଟୀ ଅନ୍ୟତମ ସଫଳ ଗ୍ରାଉଣ୍ଡ। ସମସ୍ତ କ୍ରିକେଟ୍‌ପ୍ରେମୀଙ୍କ ଆଶା ଯେ ଏହି ମ୍ୟାଚ୍‌ରେ ଭାରତ ଜିତୁ। ପ୍ରଥମ ଟ୍ବେଣ୍ଟି୨୦ରେ ଭାରତ ପରାସ୍ତହେବା ପରେ ଏଠାରେ ଋଷଭ ପନ୍ତ୍‌ଙ୍କ ଦଳ ଜିିତିବା ସହ ଶୃଙ୍ଖଳାକୁ ୧-୧ କରିବ ବୋଲି ଆମ ଦର୍ଶକ ଆଶା ରଖିଛନ୍ତି। ଭାରତୀୟ ଦଳକୁ ବାରବାଟୀରେ ପ୍ରବଳ ସମର୍ଥନ ମିଳିବ। ବାରବାଟୀ ହାଉସ୍‌ଫୁଲ୍‌ ହେବା ନିଶ୍ଚୟ; ଏହାସହ ଦର୍ଶକଙ୍କ ପଇସା ଅସୁଲ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। ଗତ ୩ ଦିନ ହେଲା ବାରବାଟୀ ଷ୍ଟାଡିୟମ୍‌ରେ ଆଖପାଖରେ ଭାରତୀୟ ଦଳର ଜର୍ସି ଓ ଜାତୀୟ ପତାକା ମଧ୍ୟ ବିକ୍ରିହେଉଛି। ତେଣୁ ଗ୍ୟାଲେରୀ ଭାରତୀୟ ଦଳର ରଙ୍ଗ ନୀଳରେ ରଙ୍ଗାୟିତ ହେବ। ବହୁତ ଦର୍ଶକଙ୍କ ଶରୀରରେ ଭାରତୀୟ ତ୍ରିରଙ୍ଗା ଓ ଖେଳାଳିଙ୍କ ନାମ ମଧ୍ୟ ଦେଖିବାକୁ ମିଳିବ। ଏହି ମ୍ୟାଚ୍‌କୁ ସଫଳ କରିବା ଲାଗି ରାଜ୍ୟ ସରକାର, ଜିଲା ପ୍ରଶାସନ, ମହାନଗର ନିଗମ ସହ ସମସ୍ତ ବିଭାଗ ସମସ୍ତ ସହଯୋଗ କରୁଛନ୍ତି। ଷ୍ଟାଡିୟମ୍‌ର ଆଖପାଖ ସଫାସୁତୁରା କରାଯିବା ସହ ସଜ୍ଜିତ କରାଯାଇଛି। ପୂରା ଷ୍ଟାଡିୟମ୍‌କୁ ନିରାପତ୍ତା ବଳୟରେ ରଖାଯାଇଛି। ଏହି ମ୍ୟାଚ୍‌ ରାଜ୍ୟ ପାଇଁ ସମ୍ମାନର ବିଷୟ ହୋଇଥିବାରୁ ସମସ୍ତ ଦିଗରୁ ପ୍ରସ୍ତୁତ ହୋଇଛି ପ୍ରଶାସନ ଓ ଓସିଏ। ଗ୍ରୀଷ୍ମଋତୁରେ ପ୍ରଥମଥର ମ୍ୟାଚ୍‌ ଖେଳା ଯାଉଥିବାରୁ ଗ୍ୟାଲେରୀରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଗତ ୨ ଦିନ ହେଲା କଟକରେ ପାଗ ଭଲ ରହୁଥିବାରୁ ଦର୍ଶକମାନେ ଆଶ୍ବସ୍ତ ଅଛନ୍ତି। ମ୍ୟାଚ୍‌ରେ ବର୍ଷା ହେବାର ବହୁତ କମ୍ ସମ୍ଭାବନା ରହିଛି। ବର୍ଷା ହେଲେ ବି ଚିନ୍ତାନାହିଁ; ବିଦେଶରୁ ପୂରା ପଡ଼ିଆକୁ ଘୋଡ଼ାଇବା ପାଇଁ ସୁପର କଭର୍ ଓ ପାଣି ଶୁଖାଇବା ପାଇଁ ନୂତନ ସୁପର ସପର୍ ଆସିଛି। ସାରାରାଜ୍ୟରେ ଏହି ଟ୍ବେଣ୍ଟି୨୦ ମ୍ୟାଚ୍‌ ହିଁ ଏବେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories