ସମୟ ହୋଇନି କହି ଫେରାଇଦେଲେ ଡାକ୍ତର, ଶୌଚାଳୟରେ ପିଲା ଜନ୍ମ ଦେଲେ ଗର୍ଭବତୀ

0

ବୌଦ୍ଧ: ଜନନୀ ସୂରକ୍ଷା ଯୋଜନା ନାମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତଳସ୍ତରରେ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ଅନେକ ପ୍ରସୂତୀ ମା ଓ ଶିଶୁ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁର ଶିକାର ହେଉଛନ୍ତି । ଗୋଟିଏପଟେ ସ୍ୱାସ୍ଥ୍ୟ ବିଭାଗ ଚିକିତ୍ସାଳୟରେ ଶତ ପ୍ରତିଶତ ସୁରକ୍ଷିତ ପ୍ରସବ କରାଯାଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବତାରେ ତାହା କେତେଦୂର କାର୍ଯ୍ୟରେ ଅନୁପ୍ରାଣିତ ହେଉଛି ତାହାର କୌଣସି ଉତ୍ତର କାହା ପାଖରେ ନାହିଁ। ବିଗତ କିଛି ଦିନ ହେବ ରାଜ୍ୟରେ ପ୍ରତିଦିନ ପ୍ରସୂତି ମହିଳା ଅବ୍ୟବସ୍ଥା ମଧ୍ୟରେ ପିଲା ଜନ୍ମ କରୁ୍‍ଥିବାର ଖବର ଆସୁଛି କିନ୍ତୁ ଏହାର କୌଣସି ପ୍ରଭାବ ନା ପଡୁଛି ସରକାରଙ୍କ ଉପରେ ନା ପଡୁଛି ପ୍ରଶାସନ ଉପରେ। ପ୍ରସୂତି ମହିଳାଙ୍କ ଏମିତି ଏକ ଅବ୍ୟବସ୍ଥା ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲାରେ। ଜଣେ ପ୍ରସୂତୀ ମହିଳା ଦୁଇ ଦୁଇ ଜଣ ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ ଉପଯୁକ୍ତ ଚିକିତ୍ସା ନପାଇ ଶେଷରେ ସର୍ବସାଧାରଣ ଶୌଚଳାଳୟରେ ପିଲା ଜନ୍ମ କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ବୌଦ୍ଧଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟସେବା ର ଗୁମରକୁ ପଦାରେ ପକାଇଦେଇଛି । ସୂଚନା ମୁତବାକ ବୌଦ୍ଧଜିଲ୍ଳା କାମାଳ ବ୍ଳକ ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ଗଡଫେସପଦର ଗ୍ରାମରେ।ଏହି ଗ୍ରାମର ଜନକ କର୍ମୀଙ୍କ ପତ୍ନୀ ଜାନକୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସେ ତାଙ୍କୁ ନେଇ ମନମୁଣ୍ଡା ଚିକିତ୍ସାଳୟରେ ପହଞ୍ଚିଥିଲେ।କିନ୍ତୁ ସେଠାରେ ଅଲଟ୍ରାସାଉଣ୍ଡ ମେସିନ ନଥିବାରୁ ସୁବର୍ଣ୍ଣପୁର ନେଇଯାଇଥିଲେ।ସେଠାରେ ମଧ୍ୟ ଅଲଟ୍ରାସାଉଣ୍ଡ ହୋଇନପାରିବାରୁ ଶେଷରେ ବୌଦ୍ଧ ଆସିଥିଲେ। ସେଠାରେ ଏକ ଘୋରୋଇ ଅଲଟ୍ରାସାଉଣ୍ଣ କେନ୍ଦ୍ରରେ ପରୀକ୍ଷା କରାଇବା ପରେ ପିଲା ଜନ୍ମ ହେବା ଡେରିଅଛି କହି ମେଡିସିନ ଦେଇ ଫେରାଇ ଦେଇଥିଲେ ଡାକ୍ତର। ସେଠାରୁ ଫେରିବାବେଳେ ନିକଟସ୍ଥ ଶୌଚାଳୟକୁ ଯାଇଥିବା ସମୟରେ ପ୍ରସୂତି ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ପ୍ରସୂତୀଙ୍କ ସ୍ୱାମୀ ସ୍ତ୍ରୀଙ୍କ ଯନ୍ତ୍ରଣା ଦେଖି ଶୌଚାଳୟ ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଆଉଟଡୋର ଟିକଟ କରିବା ସହିତ ତୁରନ୍ତ ତାଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବାକୁ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ତେବେ ତାଙ୍କୁ ସହାୟତା ଯୋଗାଇଦେବା ତ ଦୂରର କଥା ତୁମ ପତ୍ନୀଙ୍କୁ ଚିକିତ୍ସାଳୟକୁ ଆଣିଲେ ଆମେ ଚିକତ୍ସା କରିବୁ ବୋଲି କୁହାଯାଇଥିଲା । ତେବେ ପତ୍ନୀଙ୍କୁ ଚିକିତ୍ସାଳୟକୁ ଆଣିବାକୁ ଆମ୍ବୁଲାନ୍ସ ସହାୟତା ମାଗିଥିଲେ ମଧ୍ୟ କେହି ଶୁଣିନଥିବା ପ୍ରସୂତୀଙ୍କ ସ୍ୱାମୀ ଜନକ ପ୍ରକାଶ କରିଛନ୍ତି । କୌଣସି ଅଟୋ ରିକ୍ସା ସହାୟତାରେ ପତ୍ନୀଙ୍କୁ ଚିକିତ୍ସାଳୟ ପହାଇବା ଆଶାରେ ଜନକ ତୁରନ୍ତ ଶୌଚଳାୟକୁ ଫେରିଥିବାବେଳେ ଏପଟେ ତାଙ୍କ ପତ୍ନୀ ଏକ କନ୍ୟୃା ସନ୍ତାନକୁ ଜନ୍ମ ଦେଇ ଶୌଚାଳୟ ବାରଣ୍ଡାରେ ପଡିରହିଥିଲେ । ତେବେ ଅଟୋରିକ୍ସାରେ ପ୍ରସୂତୀଙ୍କୁ ଚିକିତ୍ସାଳୟ ପର୍ୟ୍ୟନ୍ତ ନେବା ସମ୍ଭବ ନଥିବାରୁ ଜନକ ଅତ୍ୟନ୍ତ ବ୍ୟସ୍ତଥିବାବେଳେ ସ୍ଥାନୀୟ କିଛି ଲୋକଙ୍କୁ ଏ ସଂପର୍କରେ ସହାୟତା ପାଇଁ ଅନୁରୋଧ କରିଥିଲେ । ଜଣେ ସ୍ୱେଛାସେବୀ ଜଗଦୀଶ ବାରିକଙ୍କ ନିକଟରୁ ଘଟଣା ସଂପର୍କରେ ଫୋନ ଯୋଗେ ସୂଚନା ପାଇ କିଛି ସାମ୍ବାଦିକ ତୁରନ୍ତ ସେଠାରେ ପହି ପ୍ରସୂତୀଙ୍କ ଅବସ୍ଥା ଦେଖିବା ପରେ ଘଟଣା ସଂପର୍କରେ ଏଡିଏମଓ ମେଡିକାଲ ଡ. କିଶୋର ଚନ୍ଦ୍ର ପଟ୍ଟନାୟକଙ୍କୁ ଜଣାଇଥିଲେ ଏବଂ ତୁରନ୍ତ ଆମ୍ବୁଲେନସ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ । ଡ. ପଟ୍ଟନାୟକ ଘଟଣାର ଗମ୍ଭିରତାକୁ ବୁଝିପାରି ତୁରନ୍ତ ଦୁଇଜଣ କର୍ମଚାରୀଙ୍କ ସହିତ ଏକ ଆମ୍ବୁଲାନସ ପଠାଇ ପ୍ରସୂତୀଙ୍କୁ ଚିକିତ୍ସାଳୟକୁ ନେଇଥିଲେ । ବର୍ତମାନ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଘଟଣା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଗୁମରକୁ ପଦାରେ ପକାଇଥିବାବେଳେ ପ୍ରସୂତୀ ମା ମାନଙ୍କ ପ୍ରତି ଡାକ୍ତରଙ୍କ ଅବହେଳା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

kalyan agarbati
Leave A Reply