ଶୁଷ୍କ ପାଲଟିଯିବ କି ବଂଶଧାରା ! ଉପର ମୁଣ୍ଡରେ ପ୍ରକଳ୍ପ କେବେ ?
ଗୁଣୁପୁର : ଶୁଷ୍କ ପାଲଟିଯିବ କି ବଂଶଧାରା ନଦୀ । ଲୀନ ହୋଇଯିବ କି ଗୁଣୁପୁରର ଜୀବନ ରେଖା ସାଜିଥିବା ଏହି ପୁରାତନ ନଦୀ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଏବେ ଏହି ନଦୀ ଶୁଖିଯାଇ ବାଲୁକା ଶଯ୍ୟାରେ ପରିଣତ ହେବାକୁ ବସିଛି। ଧୀରେ ଧୀରେ ଶୁଖିଯାଉଛି ବଂଶଧାରା ନଦୀ। ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡର ଜୀବନ ରେଖା ସାଜିଥିବା ଏହି ନଦୀ ଏବେ ବାଲୁକା ଶଯ୍ୟାରେ ପରିଣତ ହେବାକୁ ଯାଉଛି । ଧୀରେ ଧୀରେ ହ୍ରାସ ପାଉଛି ଭୂତଳ ଜଳସ୍ତର । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଆଜି ରାୟଗଡା ଜିଲ୍ଲାବାସୀ ନଦୀ ଜଳ ସମ୍ପଦର ଫାଇଦା ଉଠାଇ ପାରୁ ନାହାଁନ୍ତି । ଚିରସ୍ରୋତା ନଦୀ ଥାଇବି ତୃଷାର୍ତ୍ତର ଶୀକାର ହେଉଛନ୍ତି ଏଠାକାର ଲୋକେ। ଚାଷୀମାନେ ମଧ୍ୟ ପାଣି ନ ପାଇ ହତାଶ ହୋଇ ବସି ରହିଛନ୍ତି।
ରାଜ୍ୟ ସରକାରଙ୍କ ଚରମ ଅବହେଳା ଯୋଗୁଁ ବଂଶଧାରା ନଦୀ ଜଳର ଭରପୁର ଫାଇଦା ଉଠାଉଛି ଆନ୍ଧ୍ରପ୍ରଦେଶ । ବଂଶଧାରା ତଳ ମୁଣ୍ଡରେ ଆନ୍ଧ୍ର ସରକାର ଅନେକ ବ୍ୟାରେଜ ପ୍ରକଳ୍ପ ନିର୍ମାଣ କରି କୃଷି, ଜଳସେଚନ, ଶିଳ୍ପ ପ୍ରତିଷ୍ଠାନକୁ ଜଳ ଯୋଗାଇ ଦେଇ ଲାଭବାନ ହେଉଥିବା ବେଳେ ଓଡିଶା ସରକାର ସବୁଜାଣି ଶୁଣି ଅନ୍ଧ ଧୃତରାଷ୍ଟ୍ର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କେବଳ ଘୋଷଣାରେ ସୀମିତ ହୋଇ ରହିଯାଇଛି । ବଂଶଧାରାର ମୋଟ ଦୈର୍ଘ୍ୟ ୨୧୭ କିଲୋମିଟର ହୋଇଥିବା ବେଳେ ଏଥିରୁ ୧୨୫ କିଲୋମିଟର ଓଡ଼ିଶାରେ ପ୍ରବାହିତ। ତଥାପି ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ବଂଶଧାରା ଉପର ମୁଣ୍ଡରେ ଆଡିବନ୍ଧ ଟିଏ ନିର୍ମାଣ କରି ପାରିଲେ ନାହିଁ ।
ଗତ ୨୦୦୫ ମସିହାରେ ବଂଶଧାରା ଉପର ମୁଣ୍ଡରେ ରାଜ୍ୟ ସରକାର ବଂଶଧାରା ଋଷିକୂଲ୍ୟା ନଦୀ ସଂଯୋଗୀକରଣ ନିମନ୍ତେ ଶିଳାନ୍ୟାସ କରିଥିଲେ। ଇତି ମଧ୍ୟରେ ୧୭ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଏହା ଶିଳାନ୍ୟାସରେ ହିଁ ସୀମିତ ରହିଯାଇଛି । ସରକାର ଗୁଣୁପୁର ବାସୀଙ୍କ ଦୀର୍ଘ ଦଶନ୍ଧିର ଦାବୀକୁ ଉପହାସ କରିଛନ୍ତି। ଗତକିଛି ମାସ ପୂର୍ବରୁ ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପାଇଁ ଗୁଣୁପୁରରେ ମାସେ କାଳ ଧରି ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହ ଏନେଇ ଆଲୋଚନା କରିଥିଲେ। ସରକାର ଏନେଇ ଖୁବଶୀଘ୍ର କ୍ଷେତ୍ର ପରିଦର୍ଶନ କରିବେ ବୋଲି ସେହି ପ୍ରତିନିଧି ଦଳକୁ କହିଥିଲେ। ସେହି ଆଶ୍ୱାସନା ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ହୋଇ ନ ପାରିବା ଗୁଣୁପୁର ବାସୀଙ୍କୁ ଚକିତ କରିଛି । ତେବେ କେବେ ରାଜ୍ୟ ସରକାରଙ୍କ ଚେତା ପଶିବ, କେବେ ନିର୍ମାଣ ହେବ ପ୍ରକଳ୍ପ ତାକୁ ହିଁ ଦେଖିବାକୁ ରହିଛି ।
Comments are closed.