ବୈଦ୍ୟେଶ୍ୱର ପୁଲିସର ଦୁର୍ନୀତି ପ୍ରତିବାଦରେ ଯୁବ କଂଗ୍ରେସର ଥାନା ଘେରାଉ

0

କଳାପଥର(ବାଙ୍କୀ): ବାଙ୍କୀ ଉପଖଣ୍ଡର ବୈଦ୍ୟେଶ୍ୱର ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳାପରିସ୍ଥିତି ଦିନକୁ ଦିନ ଅବନତି ହେବାରେ ଲାଗିଛି। ବୈଦ୍ୟେଶ୍ୱର ଥାନା ଅଧିକାରୀ ସତ୍ୟ ନାରାୟଣ ସେନାପତିଙ୍କ ଦୁର୍ନୀତି, ପ୍ରିୟା ପ୍ରୀତି ତୋଷଣ ଓ ଆଇନ୍‍ ଶୃଙ୍ଖଳା ବିପର୍ଯ୍ୟସ୍ଥ ପ୍ରତିବାଦରେ ଗୁରୁବାର ବାଙ୍କୀ ଯୁବ କଂଗ୍ରେସ ପକ୍ଷରୁ ବୈଦ୍ୟେଶ୍ୱର ଥାନା ଘେରାଉ କରାଯିବା ସହିତ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରତିବାଦ କରାଯାଇଥିଲା। ଥାନା ପରିସର ଅଞ୍ଚଳରେ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବା, ବୟସ୍କା ମହିଳାଙ୍କୁ ଅସମ୍ମାନିତ କରାଯିବା ସହିତ ହତ୍ୟା ଉଦ୍ୟମ ଭଳି ମାମଲା ରୁଜୁ କରାଯାଇ ଗିରଫ କରି କୋର୍ଟ ଚାଲାଣ କରିବା, କଳାପଥର ଗ୍ରା:ପର ଲେମ୍ବେରୀ ଗ୍ରାମର ଜନୈକା ନାବାଳିବା ଅପହରଣକାରୀଙ୍କୁ ଗିରଫ ନ କରି ଘଣ୍ଟ ଘୋଡ଼ାଇବା, ଦିବାଲୋକରେ ବାଲି ମାଫିଆ ଓ ଚୋରା ମଦ ବେପାରୀଙ୍କୁ ପ୍ରୋତ୍ସାହନ ଦେବା, ବିରୋଧୀ ଦଳ କର୍ମୀମାନଙ୍କୁ ହଇରାଣ କରିବା ତଥା ଥାନା ପରିସରରେ ଥିବା ଏକ ବହୁ ପୁରାତନ ମୂଲ୍ୟବାନ୍‍ ପଣସ ଗଛକୁ ରାତି ଅଧିଆ କାଟି ନେଇଯିବା ଆଦି ୫ଦଫା ଦାବିରେ ବାଙ୍କୀ ଯୁବ କଂଗ୍ରେସ ପକ୍ଷରୁ ସଭାପତି ବିଶ୍ୱ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଥାନା ଅଧିକାରୀଙ୍କ ଏତାଦୃଶ୍ୟ ବେଆଇନ କାର୍ଯ୍ୟର ପ୍ରତିବାଦ କରିଥିଲେ।
ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ ବିକ୍ଷୋଭକାରୀମାନଙ୍କୁ ଉଦ୍‍ବୋଧନ ଦେଇ ଥାନା ଅଧିକାରୀଙ୍କ ପକ୍ଷପାତିତା ଓ ବେଆଇନ୍‍ କାର୍ଯ୍ୟର ନିନ୍ଦା କରିଥିଲେ। କଂଗ୍ରେସ ଦଳର କର୍ମୀମାନେ ବୈଦ୍ୟେଶ୍ୱର ଥାନା ଶାସକ ଦଳର ଇଙ୍ଗିତରେ ପରିଚାଳିତ ହେଉଛି ବୋଲି ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲା ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‍.ପି.ଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।

Leave A Reply