ବାନ୍ଦ୍ରା ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଭିଡ଼
- ଗୁଜବ ଭାଙ୍ଗିଲା ସାମାଜିକ ଦୂରତ୍ବ
ମୁମ୍ବଇ: ଏକ ସାମାନ୍ୟ ଗୁଜବ କେତେ ଭୟଙ୍କର ହୋଇପାରେ ତାହା ମୁମ୍ବଇରେ ମଙ୍ଗଳବାର ଦେଖିବାକୁ ମିଳିଛି। ଲକ୍ଡାଉନ୍ ଶେଷ ହେବ ଓ ଟ୍ରେନ୍-ବସ୍ ଚଳାଚଳ ଆରମ୍ଭ ହେବ ଏଭଳି ଏକ ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଲା। ଏହି ଗୁଜବକୁ ଶୁଣି କରୋନା ସଂକ୍ରମଣର ଶୀର୍ଷ ସ୍ଥାନରେ ଥିବା ମହାରାଷ୍ଟ୍ରର ମୁମ୍ବଇ ମହାନଗରୀର ବାନ୍ଦ୍ରା ରେଳ ଷ୍ଟେସନ ଓ କେତେକ ବସ୍ ଷ୍ଟପ୍ରେ ଘଣ୍ଟାକ ଭିତରେ ବଢ଼ିଗଲା ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ଭିଡ଼। ନିଜ ନିଜ ଘରକୁ ଯିବାକୁ ୨୧ ଦିନ ଧରି ତାଲାବନ୍ଦ ଯୋଗୁଁ ଅଟକି ଥିବା ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟର ଶ୍ରମିକମାନେ ଏକାଠି ହୋଇଗଲେ। ହଠାତ୍ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କ ଭିଡ଼କୁ ଦେଖି ମୁମ୍ବଇ ପୁଲିସର ହୋସ୍ ଉଡିଗଲା। ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ ପ୍ରଥମେ ଶ୍ରମିକମାନଙ୍କୁ ବୁଝାଇଥିଲା। ମାତ୍ର ସଂଖ୍ୟାଧିକ ଶ୍ରମିକ ବୁଝିବେ କ’ଣ ପାଲଟା ଘରକୁ ଯିବାକୁ ଜିଦ୍ ଧରି ଗୁଜରାଟର ସୁରତ ସହର ଘଟଣା ଭଳି ବିକ୍ଷୋଭ ପ୍ରଦର୍ଶନ କରିଦେଇଥିଲେ। ପୁଲିସକୁ ବାଧ୍ୟ ହୋଇ ଲାଠି ଚାଳନା କରିବାକୁ ପଡିଲା। ପରିସ୍ଥିତି ସ୍ବାଭାବିକ ହେଲା ସତ; କିନ୍ତୁ ଏଭଳି ଏକ ଗୁଜବ ତାଲାବନ୍ଦ ନିୟମର କଡ଼ା କଟକଣାକୁ ମୁହୂର୍ତ୍ତକ ମଧ୍ୟମରେ ଧୂଳିସାତ୍ କରିଦେଲା। ଏଭଳି ବିଶାଳ ଭିଡ଼ ଗୋଷ୍ଠୀ ସଂକ୍ରମଣ ବଢ଼ାଇବା ଆଶଙ୍କାକୁ ପୁଣି ବହୁଗୁଣିତ କରିଛି। ପ୍ରଶାସନର ଚିନ୍ତାକୁ ବଢାଇ ଦେଇଛି।
ଘଟଣାଟି ଥିଲା ଏହିପରି, ଦେଶରେ ଲକ୍ଡାଉନ୍ ଅବଧିକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟ ବାର୍ତ୍ତାରେ ଆଉ ୧୯ ଦିନ ପାଇଁ ବୃଦ୍ଧି କରିବାକୁ ଘୋଷଣା କଲେ। ମଙ୍ଗଳବାର ପ୍ରଥମ ପର୍ୟାୟ ଲକ୍ ଡାଉନ୍ର ଶେଷଦିନ ଥିଲା। ଏହି ସବୁ ଶ୍ରମିକ ଲକ୍ ଡାଉନ୍ ଉଠିବ ଓ ଟ୍ରେନ୍, ବସ୍ ଚାଲିବ ବୋଲି ଆଶାବାଦୀ ରହିଥିଲେ। ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ କେନ୍ଦ୍ରକୁ ଦାବି ଥିଲା ଅନ୍ତତଃ ପକ୍ଷେ ୨୪ ଘଣ୍ଟା ପାଇଁ ଟ୍ରେନ୍-ବସ୍ ଚଳାଇବାକୁ। ଲକ୍ ଡାଉନ୍ର ଶେଷ ଦିନ ଓ ଏହି ସମୟରେ ଟ୍ରେନ୍ ଚାଲିବା ଗୁଜବ ପ୍ରବାସୀ ଶ୍ରମିକଙ୍କୁ ଅଧିକ ଆଶାବାଦୀ କରିଥିଲା। ଷ୍ଟେସନ୍ରେ ପହଞ୍ଚିବା ପରେ ଆଶା ନିରାଶାରେ ପରିଣତ ହେବା ପରେ ସେମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଓ ବିକ୍ଷୋଭ ଆରମ୍ଭ କରିଦେଇଥିଲେ। ଏତେ ସଂଖ୍ୟାରେ ଲୋକଙ୍କୁ ଏକାଠି ହେବା ଦେଖି ପୁଲିସ ପ୍ରଶାସନର ହୋସ୍ ମଧ୍ୟ ଉଡି ଯାଇଥିଲା। ପୁଲିସ ସେମାନଙ୍କ ଅନେକ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ସେମାନେ ତାହାକୁ ଶୁଣି ନଥିଲେ। ବାଧ୍ୟହୋଇ ଭିଡ଼ ନିୟନ୍ତ୍ରଣ କରିବାକୁ ମୁମ୍ବଇ ପୁଲିସକୁ ଲାଠି ଚାଳନା କରିବାକୁ ପଡିଥିଲା। କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହି ଘଟଣାକୁ ନେଇ ଉଦ୍ଧବ ସରକାର କେନ୍ଦ୍ର ସରକାରଙ୍କୁ ଦୋଷାରୋପ କରିଥିବାବେଳେ ବିଜେପି ସାଂସଦ ପୁନମ ମହାଜନ ପାଲଟା ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଦାୟୀ କରିଛନ୍ତି। ଏନେଇ ଉଦ୍ଧବଙ୍କ ପୁତ୍ର ତଥା ମହାରାଷ୍ଟ୍ରର ମନ୍ତ୍ରୀ ଆଦିତ୍ୟ ଠାକ୍ରେ ଟ୍ବିଟ୍ କରି କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି। ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ରହିଛନ୍ତି। ସେମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଆଶ୍ରୟ ସ୍ଥଳରେ ରଖିଛି। ସେମାନଙ୍କୁ ଖାଇବା ଓ ରହିବା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେ ଏଥିପାର୍ଇ ଅମଙ୍ଗ ହେଉଛନ୍ତି ଓ ନିଜ ନିଜ ରାଜ୍ୟକୁ ଫେରିବାକୁ ଜିଦ୍ କରୁଛନ୍ତି। ତେଣୁ ଲକ୍ ଡାଉନ୍ର ପ୍ରଥମ ପର୍ୟ୍ୟାୟ ଉଠିବା ପରେ ୨୪ ଘଣ୍ଟା ଲାଗି ଟ୍ରେନ୍ ଓ ବସ୍ ବ୍ୟବସ୍ଥା କରି ଏମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୩ ଦିନ ତଳେ ଭିଡ଼ିଓ କନ୍ଫରେନ୍ସି ବୈଠକ ବେଳେ ଅନୁରୋଧ କରିଥିଲେ। ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ରଖିବା ଓ ପରିସ୍ଥିତି ସୁଧୁରିବା ପରେ ଘରକୁ ପଠାଇବା ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ ରଖିଛନ୍ତି ବୋଲି ଟ୍ବିଟ୍ କରିଥିଲେ ଆଦିତ୍ୟ।
ଅନ୍ୟପକ୍ଷରେ ବିଜେପି ନେତ୍ରୀ ପୁନମ୍ ମହାଜନ କହିଛନ୍ତି ଯେ, ଉଦ୍ଧବ ସରକାରଙ୍କ ଟ୍ରେନ୍ ଚଳାଇବା ଦାବି ଓ କେତେକ ସାମାଜିକ ଗଣମାଧ୍ୟମରେ ଟ୍ରେନ୍ ଚାଲୁଥିବା ଗୁଜବ ଯୋଗୁଁ ବାନ୍ଦ୍ରା ଷ୍ଟେସନ୍ଠାରେ ଏଭଳି ଭିଡ଼ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଓ ପ୍ରଶାସନ ଗୁଜବକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ରହିବା ଓ ଖାଇବା ସୁବ୍ୟବସ୍ଥା କରିବାକୁ ସେ ଉଦ୍ଧବ ସରକାରଙ୍କୁ ଅନୁରୋଧ କରିଛନ୍ତି। ଲୋକମାନେ ଏକାଠି ହେଲେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ବଢିବା ଆଶଙ୍କା କରିଛନ୍ତି ପୁନମ୍।
Comments are closed.