ବଲାଙ୍ଗିର ପୌର ନିର୍ବାଚନ: ବିଜେଡି-ବିଜେପି ଚିତ୍ର ଅସ୍ପଷ୍ଟ, କଂଗ୍ରେସରୁ ୧୮ ପ୍ରାର୍ଥୀଙ୍କ ନାଁ ଘୋଷଣା
ବଲାଙ୍ଗିର: ବଲାଙ୍ଗିର ପୌର ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପାଇଁ ହାତରେ ଆଉ ୨ ଦିନ। ଶନିବାର ଜଣେ ମହିଳା ପ୍ରାର୍ଥୀ ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନ କରିଛନ୍ତି। ଆଉ ୩ଜଣ କାଉସିଲର୍ ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି। କଂଗ୍ରେସ ଅଧ୍ୟକ୍ଷା ପଦ ପାଇଁ ନାମ ଘୋଷଣା ସହ ୨୧ ୱାର୍ଡରେ କାଉସିଲର୍ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଅନ୍ୟପଟେ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇ ନାହିଁ। ଶେଷ ସମୟରେ ବିଜେଡି ଓ ବିଜେପି ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିବେ ବୋଲି ଆଲୋଚନା ହେଉଛି।
ପୌର ଅଧ୍ୟକ୍ଷା ପାଇଁ ସାମସୁନ ନିଶା ଶନିବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ସଂଖ୍ୟା ୫, ୧୪ ଓ ୧୮ ପାଇଁ ୩ଜଣ ନାମାଙ୍କନ ଦାଖଲ କରିଛନ୍ତି। ଆଉ ୧୭ଜଣ ନାମାଙ୍କନ ପତ୍ର କିଣିଥିବା ଜଣାପଡିଛି। ବିଜେପି ଓ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ଓ କାଉସିଲର୍ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହାନ୍ତି ଏପର୍ଯ୍ୟନ୍ତ। କିନ୍ତୁ ଶନିବାର କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥୀଙ୍କ ସହ କାଉସିଲର୍ ପ୍ରାର୍ଥୀଙ୍କ ନାମ ଆଗକୁ ଆଣିଛି। ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ମିଲନି ସାହୁ ଏଠାରେ କଂଗ୍ରେସରୁ ଅଧ୍ୟକ୍ଷା ପ୍ରାର୍ଥୀ ହୋଇଛନ୍ତି। ସେହିପରି ସସ୍ମିତା କୁମ୍ଭାର, ସୁଜାତା ପୋଡ, ରଜନୀ ବନଛୋର, ଅରବିନ୍ଦ ପରୁଆ, ଗୋବିନ୍ଦ ମହାନ୍ତି, ସ୍ମିତାରାଣୀ ପଟ୍ଟନାୟକ, ସବିତା ଶତପଥୀ, ସୁଧା ସିଂହଦେଓ, ପ୍ରଦୀପ କୁମାର ମିଶ୍ର, ଅଞ୍ଚଳି ସାହୁ, ରଜନୀ ସେଠ, ଜ୍ୟୋସ୍ନା ବେହେରା, କଳ୍ପନା ସେଠ, ସବିତା ସାହୁ, ସୁରେନ୍ଦ୍ର ଅଶ୍ୱପାଳ, ସତ୍ୟବ୍ରତ ବଗର୍ତ୍ତି, ବାସନ୍ତି ଭୋଇ, ମନୋଜ ବେହେରା ୧ରୁ ୨୧ ନମ୍ବର ୱାର୍ଡରେ କଂଗ୍ରେସ ଦଳ ପାଇଁ ପ୍ରାର୍ଥୀ ହୋଇଛନ୍ତି। ୨୦ ନମ୍ବର ୱାର୍ଡରେ ‘ପଟ୍ଟା ନାହିଁ ତ ଭୋଟ୍ ନାହିଁ’ ପ୍ରଚାରକୁ ଧକ୍କା ଲାଗିଛି। ଏଠାରୁ କଂଗ୍ରେସ ପାଇଁ ବାସନ୍ତୀ ଭୋଇ ପ୍ରାର୍ଥୀ ହୋଇଥିବା ବେଳେ ଦଳ ୯, ୧୦ ଓ ୧୫ ନମ୍ବର ୱାର୍ଡରେ ପ୍ରାର୍ଥୀ ଦେଇ ନାହିଁ। କଂଗ୍ରେସ ପ୍ରାର୍ଥି ତାଲିକା ଘୋଷଣା ସମୟରେ ପିସିସି ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନି ମଞ୍ଚାସିନ ଥିଲେ।
ଅନ୍ୟପଟେ ପୌରପାଳିକା ଅଧ୍ୟକ୍ଷ ଦୌଡରେ ରହିଥିବା ଜଣେ ବିଜେଡି ଆଶାୟୀ ପ୍ରାର୍ଥୀ ବିଜେପି ମୁହାଁ ହୋଇଥିବା ସୂଚନା ମିଳିଛି। ସେହିପରି ବ୍ୟବସାୟୀ ଅଶୋକ ରଥଙ୍କ ପତ୍ନୀ କୁସୁମ ରଥଙ୍କ ନାଁ ଚର୍ଚ୍ଚାରେ ରହିଛି। ଶ୍ରୀମତି ରଥ ପୂର୍ବରୁ ଜିଲା ପରିଷଦରେ ସଦସ୍ୟ ଓ ରାଜ୍ୟ ମହିଳା ଆୟୋଗ ସଦସ୍ୟ ବି ରହିଛନ୍ତି। ପରବର୍ତ୍ତିତ ରାଜନୈତିକ ପାଣିପାଗକୁ ଦେଖି ଶ୍ରୀମତି ରଥଙ୍କୁ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ କରିବାକୁ ଚାହୁଁଥିବା ବେଳେ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ସକାଳ ମଧ୍ୟରେ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ କି’ଏ ହେବ ତାହା ସ୍ପଷ୍ଟ ହୋଇଯିବ। ସେହିପରି ବିଜେଡି ବି ଆଶାୟୀ ଅଧ୍ୟକ୍ଷାଙ୍କୁ ଅନ୍ଧାରରେ ରଖିଛି। ସମସ୍ତଙ୍କୁ ଦଳୀୟ ନେତା ପ୍ରତିଶ୍ରୁତି ଦେବା ସହ ଉପରୁ ମୁଖିଆ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି।
Comments are closed.