ସାମାନ୍ୟ ବଚସାରୁ ହତ୍ୟା, ବଡ ଭାଇ ମାଡରେ ଆଖି ବୁଜିଲା ସାନ

ବଲାଙ୍ଗିର: ବଲାଙ୍ଗିର ଚମାରପଡ଼ା କୁହାଯାଉଥିବା ରୋହିଦାସ ନଗରରେ ଶୁକ୍ରବାର ରାତିରେ ଅଘଟଣ ଘଟିଛି। ବଡ ଭାଇର ମାଡରେ ଆଖି ବୁଜିଛି ସାନ ଭାଇ। ପରିବାର ଲୋକେ ମୃତଦେହ ଆଣି ଘରେ ରଖିଥିବା ବେଳେ ସହରାଞ୍ଚଳ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ବଡ ଭାଇକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି।
ସୂଚନା ଅନୁସାରେ, ରୋହିଦାସ ନଗରରେ ବଡ ଭାଇ ରାଜୀନ ରୋହିଦାସ ଓ ସାନ ଭାଇ ଯୋଶେଫ ରୋହିଦାସ ପରିବାର ସହ ରୁହନ୍ତି। ଉଭୟ ରାଜୀନ ଓ ଯୋଶେଫ ତଥା ତାଙ୍କ ପରିବାର ଲୋକେ ସହରର ବିଭିନ୍ନ ସ୍ଥାନରେ ଫିଙ୍ଗା ଯାଇଥିବା ବୋତଲ ସଂଗ୍ରହ କରନ୍ତି। କବାଡି ଖାନାରେ ତାକୁ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ତେବେ ଶୁକ୍ରବାର ମଦ ପିଇ ଘରକୁ ଆସିଥିଲେ ଯୋଶେଫ। ଘରେ ଗାଳିଗୁଲଜ କରିଥିଲେ। ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ ବଡ ଭାଇ ରାଜୀନ। ରାଜୀନ ଉତ୍ତେଜିତ ହୋଇ ଯୋଶେଫ ନିକଟକୁ ଆସିଥିଲେ। ତାଙ୍କ ବେକକୁ ମୋଡି ଦେବା ସହ ମୁହଁରେ ମୁଥ ମାରିଥିଲେ। ପରିବାର ଲୋକେ ଛଡ଼ାଛଡ଼ି କରିଥିଲେ ହେଁ ଅଚେତ ଅବସ୍ଥାରେ ରହିଥିଲେ ଯୋଶେଫ। ତେଣୁ ତାଙ୍କୁ ରାତିରେ ଭୀମ ଭୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଯୋଶେଫଙ୍କ ମୃତଦେହ ଆଣି ପରିବାର ଲୋକେ ଘରକୁ ଆସିଥିଲେ।

 

prayash

ଏସଂପର୍କରେ ଶନିବାର ସକାଳେ ସହରାଞ୍ଚଳ ପୁଲିସ ଖବର ପାଇବା ପରେ ରୋହିଦାସ ନଗରରେ ପହଞ୍ଚିଥିଲା। ସାଇଣ୍ଟିଫିକ୍ ଟିମ୍ ଡକାଇ ପୁଲିସ ଆବଶ୍ୟକ ପ୍ରମାଣ ସଂଗ୍ରହ କରିଥିଲା। ବଡ ଭାଇ ରାଜୀନକୁ ଥାନାକୁ ପଚରା ଉଚୁରା ପାଇଁ ପୁଲିସ ନେଇଥିବା ସୂଚନା ମିଳିଛି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ମୃତ ଯୋଶେଫଙ୍କ ଅବିବାହିତା ଶାଳୀକୁ ବିଭିନ୍ନ ସମୟରେ ବଡ ଭାଇ ରାଜୀନ ଅଶାଳୀନ ଭାଷାରେ କମେଣ୍ଟ ମାରୁଥିଲେ। ଯାହାକୁ ନେଇ କ୍ଷୁବ୍ଧ ଥିଲେ ଯୋଶେଫ। ଶୁକ୍ରବାର ଅପରାହ୍ନରେ ବଡ ଭାଇ ରାଜୀନଙ୍କ ସହ ଯୋଶେଫଙ୍କର ଝଗଡ଼ା ହୋଇଥିଲା। ପରିବାର ଲୋକେ ହସ୍ତକ୍ଷେପ କରି ଉଭୟଙ୍କୁ ଅଲଗା କରିଥିଲେ। ଆଉ ରାତିରେ ଯୋଶେଫ ପୁଣି ଗାଳିଗୁଲଜ କରିବାରୁ ମାମଲା ସଙ୍ଗୀନ ହୋଇଥିବା ଜଣାପଡିଛି। ତେବେ ହତ୍ୟାକାଣ୍ଡ ନେଇ ଉଭୟ ମୃତକ ଓ ହତ୍ୟା ଅଭିଯୁକ୍ତଙ୍କ ପରିବାର ଭିନ୍ନ ଭିନ୍ନ ମତ ରଖୁଛନ୍ତି।

kalyan agarbati

Comments are closed.