ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀ, ସୁରକ୍ଷା ବଦଳରେ ବିପଦକୁ ଆମନ୍ତ୍ରଣ

ଆଠଗଡ :  ବାତ୍ୟା କି ବନ୍ୟା ଆସିବା ପୂର୍ବରୁ ପ୍ରଥମେ ଖୋଜା ପଡେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ। ସରକାର ହୁଅନ୍ତୁ ବା ଗ୍ରାମବାସୀ ବାତ୍ୟା ବା ବନ୍ୟା ପୂର୍ବରୁ ପ୍ରଥମେ ଆଶ୍ରୟସ୍ଥଳ ଖୋଜନ୍ତି । ଆଠଗଡ ଅଞ୍ଚଳରେ ଏଭଳି ଏକ ବାତ୍ୟା ଆଶ୍ରୟସ୍ଥଳ ରହିଛି ଯାହା ଆଶ୍ରିତକୁ ସୁରକ୍ଷା ବଦଳରେ ବିପଦକୁ ଆମନ୍ତ୍ରଣ କରୁଛି। କୁଲାଇଲୋ ପଞ୍ଚାୟତ ଅଧିନ ପାଟଲିଙ୍ଗା ଗ୍ରାମରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଟି ଏବେ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଥିବା ଦେଖିବାକୁ ମିଳିଛି । ଆଉ ଦୁଇ ତିନି ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେବାର ଆଶଙ୍କା ପ୍ରକାଶ ପାଇବା ପରେ ମାଟିଝାଟି କାନ୍ଥ ଓ ଚାଳଛପର ଘରେ ରହୁଥିବା ଲୋକେ ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେବାକୁ ସରକାର ପରାମର୍ଶ ଦେଉଛନ୍ତି । ତେବେ ପାଟଲିଙ୍ଗା ଗ୍ରାମରେ ଗତ ୧୯୯୯ ମସିହା ମହାବାତ୍ୟା ପରେ ନିର୍ମାଣ ହୋଇ ୨୦୦୧ରେ କାର୍ଯ୍ୟକ୍ଷମ ହୋଇଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଏବେ ଜରାଜୀର୍ଣ୍ଣ ଓ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଏହା ଆଠଗଡ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଜଣାପଡୁଛି।

prayash

ଏହି ଆଶ୍ରୟସ୍ଥଳର ଛାତରୁ ବଡବଡ ସିମେଣ୍ଟ ଖଣ୍ଡ ଛାଡି ତଳେ ବିଛାଡି ହୋଇ ପଡିଥିବାବେଳେ କଳଙ୍କିଲଗା ଲୁହାଛଡ ଛିଣ୍ଡିପଡିବା ଅବସ୍ଥାରେ ରହିଛି । ସେହିପରି ଗୋଟିଏ କି ଦୁଇଟି ନୁହେଁ ବରଂ ଏହି ଆଶ୍ରୟସ୍ଥଳର ସମସ୍ତ କଂକ୍ରିଟ ଖମ୍ବରୁ ସିମେଣ୍ଟ କଂକ୍ରିଟ ଛାଡିଯିବା ସହ କଳଙ୍କି ଲଗା ଲୁହାଛଡ ଦେଖାଯାଉଛି। ଏହି ଆଶ୍ରୟସ୍ଥଳ ଉପରେ କେବଳ ପାଟଲିଙ୍ଗା ନୁହେଁ ଶିଳାପାଟ, ବିରିଜିଙ୍ଗା ଗ୍ରାମକୁ ମିଶାଇ ୩ଟି ଗ୍ରାମରେ କଚ୍ଚା ଚାଳଛପର ଘରେ ବସବାସ କରୁଥିବା ଲୋକମାନେ ବାତ୍ୟା ଓ ବନ୍ୟା ସମୟରେ ସଂପୂର୍ଣ୍ଣ ନିର୍ଭରଶୀଳ ରହିଥାନ୍ତି । ସଂପୃକ୍ତ ୩ଟି ଗ୍ରାମରେ ଏବେବି ଅନେକ ଲୋକ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି। ବାତ୍ୟା ଓ ବନ୍ୟା ଆସିଲେ ସେମାନେ କେଉଁଠି ଆଶ୍ରୟ ନେବେ ତାକୁ ନେଇ ଚିନ୍ତାରେ ରହିଥିବାବେଳେ ସରକାରଙ୍କ କାଗଜ କଲମରେ ସେଠାରେ ଏକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଲୋକଙ୍କ ସୁରକ୍ଷା ପାଇଁ ରହିଛି ବୋଲି ଦର୍ଶାଯାଉଛି । କେବଳ ମଣିଷ ନୁହେଁ ଗାଇଗୋରୁଙ୍କ ପାଇଁ ମଧ୍ୟ ଉକ୍ତ ଆଶ୍ରୟସ୍ଥଳ ବିପଦପୂର୍ଣ୍ଣ ପାଲଟିଛି। ଦୀର୍ଘ ୨୦ବର୍ଷରୁ ଅଧିକ ସମୟ ହେବ ନିର୍ମାଣ ହୋଇଥିବା ଏହି ବାତ୍ୟା ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ଅଭାବ ଏବଂ ନିମ୍ନମାନର କାମ ଯୋଗୁଁ ଏବେ ଜରାଜୀର୍ଣ୍ଣ ଓ ବିପଦପୂର୍ଣ୍ଣ ହୋଇପଡିଛି ବୋଲି ପାଟଲିଙ୍ଗା ଗ୍ରାମର ବିଚିତ୍ରାନନ୍ଦ ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ ଓ ରମେଶ ସ୍ୱାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଆଠଗଡ ଉପଜିଲ୍ଲାପାଳଙ୍କ ମତାମତ ନେଇ ପଚାରିବାରେ ସେ ଖୁବ୍‍ଶୀଘ୍ର ଏହି ବାତ୍ୟା ଆଶ୍ରୟସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହିତ ତାର ମରାମତି ବା ନବୀକରଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି । ତେବେ ଏହି ବାତ୍ୟା ଆଶ୍ରୟସ୍ଥଳୀର ଅବସ୍ଥା ଏତେ ଖରାପ ହୋଇଛି ଯେ ତାହା ମରାମତି ନୁହେଁ ବରଂ ତାକୁ ଭାଙ୍ଗି ସଂପୂର୍ଣ୍ଣ ନୂଆ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବା ଆବଶ୍ୟକ ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି।

kalyan agarbati

Comments are closed.