www.samajalive.in
Sunday, December 7, 2025
23.1 C
Bhubaneswar

ଆଜି ବାହୁଡ଼ିବେ ଦାରୁବ୍ରହ୍ମ; ଶନିବାର ସୁନାବେଶ

ପୁରୀ : ଶ୍ରୀକ୍ଷେତ୍ରରେ ଶୁକ୍ରବାର ବାହୁଡାଯାତ୍ରା ଅନୁଷ୍ଠିତ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଦାରୁବ୍ରହ୍ମ। ନାକଚଣା ଦ୍ବାର ସମ୍ମୁଖରେ ପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ଉତ୍ସବମୁଖର ହୋଇଉଠିଛି ପୁରୀ ସହର। ଦେଶର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଛି। ଶୁକ୍ରବାର ପ୍ରାତଃ ୪ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମଙ୍ଗଳଆଳତି କରାଯିବ। ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଅନୁଷ୍ଠିତ ହେବ ଗୋପାଳବଲ୍ଲଭ ଏବଂ ସକାଳଧୂପ। ଖେଚୁଡି ଭୋଗ ଖାଇ ରଥକୁ ପହଣ୍ଡିବିଜେ କରିବେ ମହାପ୍ରଭୁ। ଦିନ ୧୨ଟାରେ ଆରମ୍ଭ ହେବ ପହଣ୍ଡିଯାତ୍ରା। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ସେବକଙ୍କ ଗହଣରେ ରଥ ଉପରକୁ ବିଜେ କରିବେ ବ୍ରହ୍ମାଣ୍ଡ ଠାକୁର। ଦିନ ୧ଟାରୁ ୨ଟା ୩୦ ମଧ୍ୟରେ ରଥ ଉପରେ ପ୍ରଭୁଙ୍କୁ ବେଶ କରାଯିବ। ଆଦ୍ୟ ସେବକ
ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଦିନ ୨ଟା ୩୦ରେ ରଥରେ ଛେରାପହଁରା କରିବେ। ଏହାପରେ ଚାରମାଳ ଫିଟାଯାଇ ଘୋଡା ଲଗାଯିବ। ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ ପାଇଁ ପ୍ରଶାସନ ସ୍ଥିର କରିଛି।
ଶନିବାର ରଥ ଉପରେ ତିନିଠାକୁରଙ୍କୁ ବଡ଼ତଢାଉ ବେଶ ବା ସୁନାବେଶ କରାଯିବ। ମହଣ ମହଣ ସୁନାରେ ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବ୍ରହ୍ମ। ଏଥିପାଇଁ ଶ୍ରୀକ୍ଷେତ୍ରରେ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଶନିବାର ଅପରାହ୍ଣ ୪ଟାରୁ ୫ଟା ୩୦ ମଧ୍ୟରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ଆଭୂଷିତ କରାଇବେ ସେବକ। ବାହୁଡାଯାତ୍ରା ଏବଂ ସୁନାବେଶକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୫୫ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ୮ଶହ ପୁଲିସ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ ସଜାଗ ହୋଇ ରହିଛି ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌। ହୋଟେଲ, ଲଜିଂ, ସମୁଦ୍ରକୂଳ ଏବଂ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନ ତନଖି କରାଯାଉଛି।
ଶ୍ରୀଜୀଉଙ୍କ ବାହୁଡାଯାତ୍ରା ଏବଂ ସୁନାବେଶ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲାପାଳ ବଲୱନ୍ତ ସିଂହ ଏବଂ ଏସ୍‌ପି ଡଃ ଉମାଶଙ୍କର ଦାଶ ଗୁଣ୍ଡିଚା ମନ୍ଦିରରେ ଉପସ୍ଥିତ ରହି ଦର୍ଶନ ଓ ନୀତିକାନ୍ତି ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories