‘ରଜ ପାଇଁ କରନ୍ତୁନି ଜୀବନ ବିପନ୍ନ’; ଘରେ ରହି ତାସ ଖେଳି, ପାନ ଖାଇ ପର୍ବ ପାଳନ୍ତୁ – ବାଗଚୀ

ଭୁବନେଶ୍ବର: ରଜ ଆସିଛି। ଖାସ୍‌ ଓଡ଼ିଆଙ୍କ ପର୍ବ। ଏବେ ଆଉ ଆଗଭଳି ଲୁପ୍ତପ୍ରାୟ ଲଉଡ଼ିଖେଳ, ତାସ ଖେଳ କିମ୍ବା ପୁଚି ଖେଳ ଆଦି ଏଠାରେ ଦେଖାଯାଉନାହିଁ। କିନ୍ତୁ ରଜ ସମସ୍ତଙ୍କ ମନରେ ଆଣି ଦେଇଛି ଆନନ୍ଦ ଓ ଉତ୍ସାହ। ଉପକୂଳ ଜିଲା ସମେତ ସାରା ରାଜ୍ୟରେ ରଜ ମଉଜ କରିବା ପାଇଁ ସମସ୍ତେ ପ୍ରସ୍ତୁତ। ତେବେ କରୋନା ଭୂତାଣୁ ସଂକ୍ରମଣ ରଜ ପାଇଁ ଆଣିଛି ନୂଆ ସଂକଟ। ରାଜ୍ୟର ୧୧ଟି ଜିଲାରେ ଶନିବାର ଓ ରବିବାର ସଟ୍‌ଡାଉଡ଼ ଘୋଷଣା କରାଯାଇଥିବାବେଳେ ଆସନ୍ତାକାଲି କର୍ଫ୍ୟୁ କଟକଣା ରାତି ୧୦ଟା ପର୍ଯ୍ୟନ୍ତ ସରକାର ବଢ଼ାଇ ଦେଇଛନ୍ତି। କରୋନା କଟକଣା ମଧ୍ୟରେ ଏଥର ରଜ ପାଳନ କରିବାକୁ ପଡ଼ିବ। ଦିନକ ପରେ ରଜ ପାଇଁ ସଜ ବାଜ। ଏହାପରେ ପହିଲି ରଜ ଓ ତା’ ପରେ ରଜ ସଂକ୍ରାନ୍ତି ଏବଂ ଶେଷ ରଜ। ପାରମ୍ପରିକ ରୀତିନୀତିରେ ଶନିବାରଠାରୁ ରଜ ପର୍ବ ମଙ୍ଗଳବାର ପର୍ଯ୍ୟନ୍ତ ସମସ୍ତେ ପାଳିବେ। କରୋନା ସଂକଟ ଓ କଟକଣା ସମୟରେ ରାଜ୍ୟରେ କିଭଳି ଓଡ଼ିଆଙ୍କ ଗଣପର୍ବ ରଜ କିଭଳି ପାଳନ କରାଯିବ ସେଥିନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଗୋଟିଏ ରଜ ପାଇଁ ଜୀବନକୁ ବିପନ୍ନ ନ କରିବାକୁ କହିଛନ୍ତି ବାଗ୍‌ଚୀ। ଏହି ଅବସରରେ ରଜ କିଣାବିକା ନେଇ ସରକାର ପ୍ରସ୍ତୁତ କରିଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଦେକାନୀ ମାସ୍କ ପିନ୍ଧିବେ ଓ ମାସ୍କ ଖୋଲି କଥା ହେବେନାହିଁ। ବିନା ମାସ୍କରେ ଗ୍ରାହକଙ୍କୁ ଦୋକାନ ଭିତରକୁ ଛାଡ଼ିବେନି ଏବଂ ହାତ ସାନିଟାଇଜ୍‌ କରିବେ। ନଗଦ କାରବାର ହ୍ରାସ କରି ଡିଜିଟାଲ୍‌ ପେମେଣ୍ଟ ଗ୍ରହଣ କରିବେ। ଲୁଗା ଦୋକାନିମାନେ ହାତରେ ଗ୍ଲୋଭସ୍‌ ପିନ୍ଧି ଲୁଗା ଦେଖାଇବେ। ଗ୍ରାହକମାନେ ଦୋକାନ ବାହାରେ ୬ଫୁଟ୍‌ ଦୂରତ୍ବ ରଖି ଛିଡ଼ା ହୁଅନ୍ତୁ। ଭିଡ଼ ଦୋକାନକୁ ଯାଆନ୍ତୁନି। ଜିନିଷ ଆଣି ଘରେ କିଛି ସମୟ ଅଲଗା ରଖନ୍ତୁ। ପରିବାରର ସବୁ ଲୋକ ଜିନିଷ ପାଇଁ ଯାଆନ୍ତୁନି, ଜଣେ ହିଁ ଯାଆନ୍ତୁ। ଭିଡ଼ କରୁଥିବା ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ରଜରେ ବାହାରକୁ ଯାଇ ତାସ୍‌ ଖେଳନ୍ତୁନି, ପରିବାର ସହ ଘରେ ରୁହନ୍ତୁ ବୋଲି ରଜ ବଜାର ଓ ରଜ ପାଳନ ନେଇ ପ୍ରସ୍ତୁତ ମାର୍ଗଦର୍ଶିକାରେ କରାଯାଇଥିବା ସୁବ୍ରତ ବାଗ୍‌ଚୀ କହିଛନ୍ତି। ଏଥର ନିଜ ଘରେ କିମ୍ବା ପାର୍କରେ ରଜ ଦୋଳି ଖେଳି ନ ପାରିଲେ ମଧ୍ୟ ସମସ୍ତ ଓଡ଼ିଆଙ୍କ ଘରେ ପୋଡ଼ ପିଠା ତିଆରି କରନ୍ତୁ। ପାରମ୍ପରିକ ରୀତିନୀତିରେ ପିଠାପଣା ଓ ଭୋଜିଭାତ କରି ଖିଆପିଆ କରନ୍ତୁ। ଘରେ ରହି ତାସ ଖେଳନ୍ତୁ ଓ ରଜ ପାନ ଖିଲଟିଏ ଖାଇ ପାଟି ଓ ଓଠକୁ ଲାଲ୍‍ କରନ୍ତୁ, କିନ୍ତୁ ଘରୁ ବାହାରକୁ ଯାଇ ବୁଲାବୁଲି କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

Comments are closed.