କ୍ରୀଡ଼ା ଦେଶପ୍ରେମ ଜାଗ୍ରତ କରିବା ସହ ଲୋକଙ୍କୁ ସ୍ୱାଭିମାନୀ କରିଥାଏ : ଗୋପୀଚାନ୍ଦ

0

ଭୁବନେଶ୍ୱର : କ୍ରୀଡ଼ାରେ ପୁଞ୍ଜିନିବେଶ ରାଜ୍ୟ ପାଇଁ ଅନେକ ଗୁଣରେ ଉପାଦେୟ ହେବା ସହ ଏହାର ପ୍ରଭାବ ସୁଦୂରପ୍ରସାରୀ । କ୍ରୀଡ଼ା ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଥାଏ ବୋଲି ଖ୍ୟାତନାମା ବ୍ୟାଡମିଣ୍ଟନ୍‍ ଖେଳାଳି ପଦ୍ମ ବିଭୂଷଣ ପୁଲେଲା ଗୋପୀଚାନ୍ଦ କହିଛନ୍ତି। ଶୁକ୍ରବାର ସଚିବାଳୟ ଠାରେ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାରେ ଯୋଗଦେଇ ଶ୍ରୀ ଗୋପୀଚାନ୍ଦ କହିଥିଲେ, ଯଦି ଗୋଟିଏ ରାଜ୍ୟ ଖେଳ ପଡ଼ିଆ କିମ୍ବା ଷ୍ଟାଡିୟମ୍‍ ନିର୍ମାଣ କରୁନାହିଁ ତେବେ ଡ଼ାକ୍ତରଖାନାର ନିର୍ମାଣ ଆବଶ୍ୟକତା ଦେଖାଦେବ। ଖେଳକୁଦ ଲୋକଙ୍କୁ ଶାରୀରିକ ଭାବେ ସାକ୍ଷର କରିଥାଏ, ଯାହା ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତାକୁ ବୃଦ୍ଧି କରିବାରେ ସହାୟକ ହୁଏ। ଦେଶପ୍ରତି ସମ୍ମାନ ଓ ସ୍ୱାଭିମାନ ଜାଗ୍ରତ କରିବାରେ କ୍ରୀଡ଼ା ମୁଖ୍ୟ ଭୁମିକା ନେଇଥାଏ । ନେଲସନ୍‍ ମାଣ୍ଡେଲାଙ୍କ ପରି ଏପରି ବହୁତ କମ ଜନନାୟକ ଅଛନ୍ତି ଯେଉଁମାନେ ଦେଶ ବିକାଶରେ କ୍ରୀଡ଼ାର ଅବଦାନକୁ ଅନୁଭବ କରି ସେଥିରେ ପୁଞ୍ଜି ବିନିଯୋଗ କରିଥାନ୍ତି। ଏହା ଖୁସିର କଥା ଯେ ଓଡ଼ିଶା ସରକାର ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ସେ କହିଥିଲେ । ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ୍‍ କହିଥିଲେ, ଜଣେ ଉତ୍ତମ କୋଚ୍‍ କ୍ରୀଡ଼ାର ଗୁଣାତ୍ମକ ମାନ ବୃଦ୍ଧି କରିଥାଏ, କିନ୍ତୁ ଗୋପୀଚାନ୍ଦଙ୍କ ଭଳି ଜଣେ ମହାନ୍‍ କୋଚ୍‍ ଖେଳାଳିଙ୍କ ଜୀବନରେ ସଫଳତା ଭରି ଦେଇଥାନ୍ତି। ଏହି ଅବସରରେ ଗୃହ ସଚିବ ଅସିତ ତ୍ରିପାଠୀ ଗୋପୀଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Leave A Reply